-
ଫୁଲ ଗଛ ଲଗାଇ ସଚେତନତା ସୃଷ୍ଟି କରୁଥିବା କର୍ମଚାରୀଙ୍କୁ ସମ୍ବର୍ଦ୍ଧନା
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ପାର୍ବଣର ଆଗମନ ହୋଇ ସାରିଛି। ପବିତ୍ର କାର୍ତ୍ତିକ ମାସରେ ପଂଚୁକ ମଧ୍ୟ ଚାଲିଛି ଆଗକୁ ମଧ୍ୟ ନୂଆ ବର୍ଷ ଆସୁଛି।ଏହିସବୁକୁ ଦୃଷ୍ଟିରେ ରଖି ପର୍ଯ୍ୟଟକ ଓ ଯାତ୍ରୀ ମାନଙ୍କୁ ଏକ ଭଲ ଅନୁଭୂତି ଦେବା ଉଦ୍ଦେଶ୍ୟରେ ବସ୍ ମାଲିକ ସଂଘ, ବସ୍ କର୍ମଚାରୀ ସଂଘ ସମେତ ମା ତାରିଣୀ ଅଟୋ ଚାଳକ ସଂଘ, ନୀଳାଚଳ ଅଟୋ ଡ୍ରାଇଭର ଆସୋସିଏସନ୍ ଏବଂ ପୁରୀ ଅଟୋ ଚାଳକ ୟୁନିଅନ ପ୍ରମୁଖ ସାମୁହିକ ଭାବରେ ସମ୍ପୂର୍ଣ୍ଣ ବସ୍ ଷ୍ଟାଣ୍ଡ ପରିସରକୁ ସଫେଇ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ରବିନ୍ ପଟ୍ଟନାୟକ, ପୁରୀ ପୌର ସଂସ୍ଥା ର କନିଷ୍ଠ ଯନ୍ତ୍ରୀ ଶ୍ରୀ ଅର୍ଜ୍ଜୁନ ସାମଲ ଏବଂ ଟାଟା ପାୱାର ର ଏସ୍.ଡି.ଓ ଶ୍ରୀନିବାସ ଦାସ୍ ପ୍ରମୁଖ ଉପସ୍ଥିତ ଥିଲେ।ସମ୍ମାନନୀୟ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ବିଭାଗୀୟ ଅଧିକାରୀ ମାନେ ବସ୍ ଷ୍ଟାଣ୍ଡ ପରିସରର ନବୀକରଣ କାର୍ଯ୍ୟକୁ ବୁଲି ଦେଖିବା ସହ କାର୍ଯ୍ୟକୁ ତ୍ଵରାନିତ କରିବା ଦିଗରେ ଆଲୋଚନା କରିଥିଲେ।
ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ପଟ୍ଟନାୟକଙ୍କ ଦ୍ଵାରା ବସ୍ ଷ୍ଟାଣ୍ଡ ପରିସର ମଧ୍ୟରେ ମୋବାଇଲ ରେ କଥା ହୋଇ ଗାଡ଼ି ଚଳାଉଥିବା କିଛି ମୋଟର ସାଇକେଲ ଆରୋହୀ ଙ୍କୁ ଧରପଗଡ କରିବା ସହ ଜୋରିମାନା ପାଇଁ ଚାଲାଣ ମଧ୍ୟ କାଟିଥିଲେ।
ସର୍ବଶେଷ ରେ ବସ୍ ଷ୍ଟାଣ୍ଡ ପରିସରକୁ ସଫା ରଖିବା ସହ ଫୁଲ ଗଛ ଲଗାଇ ସଚେତନତା ସୃଷ୍ଟି କରୁଥିବା କର୍ମଚାରୀ ମଦନ ମୋହନ ନାୟକ ଓ କାର୍ତ୍ତିକ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା |