ଭୁବନେଶ୍ୱର – ୨୦୧୧ ଜନଗଣନା ଅନୁଯାୟୀ ରାଜ୍ୟରେ ଅନୁସୂଚିତ ଜାତିଙ୍କ ସାକ୍ଷରତା ହାର ୬୯.୦୨ ପ୍ରତିଶତ । ଜଗତସିଂହପୁର ଜିଲ୍ଲାରେ ଅନୂସୂଚିତ ଜାତିଙ୍କ ସାକ୍ଷରତା ହାର ସର୍ବାଧିକ ୭୮.୩୩ ପ୍ରତିଶତ ରହିଥିବା ବେଳେ ଗଜପତି ଜିଲ୍ଲାରେ ସର୍ବନିମ୍ନ ୫୧.୦୩ ପ୍ରତିଶତ ରହିଛି । ସେମାନଙ୍କ ଶିକ୍ଷା ଓ ସାକ୍ଷରତା ହାର ଏବଂ ମାନ ବୃଦ୍ଧି ପାଇଁ ସରକାର ବଦ୍ଧ ପରିକର ବୋଲି ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା ପ୍ରକାଶ କରିଛନ୍ତି ।
ଶୁକ୍ରବାର ଦିନ ବିଧାନସଭାରେ ମନ୍ତ୍ରୀ ସଭ୍ୟ ପ୍ରଶାନ୍ତ ବେହେରା , ଗଣେଶ ରାମ ଖୁଂଟିଆ , ପ୍ରଦୀପ୍ତ ଦିଶାରୀ ଓ ନାଉରୀ ନାୟକଙ୍କ ମୂଳ ଓ ଅତିରିକ୍ତ ପ୍ରଶ୍ନର ଉତରଦେଇ ମନ୍ତ୍ରୀ କହିଥିଲେ ଯେ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ରାଜ୍ରରେ ୭୦୦ଟି ଆଶ୍ରମ ବିଦ୍ୟାଳୟ , ୫୦୧ଟି ସେବାଶ୍ରମ, ୨୭ଟି ଏକଲବ୍ୟ ଆଦର୍ଶ ବିଦ୍ୟାଳୟ, ୧୦ଟି କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ ଓ ୪୨୨ଟି ଉଚ୍ଚ ବିଦ୍ୟାଳୟ ରହିଛି । ଏହି ବର୍ଗର ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ ୬୨ଟି ଉଚ୍ଚ ବିଦ୍ୟାଳୟକୁ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ପରିଣତ କରାଯାଇଛି । ବିଭାଗ ଅଧୀନସ୍ଥ ୭.୫୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ବୃତି ଦିଆଯାଉଛି ।
ଏହା ବ୍ୟତୀତ ସାକ୍ଷରତା ବୃଦ୍ଧି ପାଇଁ ସରକାରଙ୍କ ଦ୍ୱାରା ସାକ୍ଷରତା ମିଶନ କର୍ତୃପକ୍ଷ ଗଠନ କରାଯାଇ ସାରା ରାଜ୍ୟରେ ସାକ୍ଷରତା କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହୋଇଛି । ୨୦୦୯ ମସିହାରୁ କାର୍ଯ୍ୟକାରୀ ହୋଇଥିବା ସାକ୍ଷର ଭାରତ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ମହିଳା ସାକ୍ଷରତା ହାର ଶତକଡା ୫୦ରୁ କମ୍ ଥିବା ୧୯ଟି ଜିଲ୍ଲାରେ କାର୍ଯ୍ୟକ୍ରମ କରାଯାଉଛି । ବ୍ଲକ୍ ଏବଂ ପଂଚାୟତ ସ୍ତରରେ ସାକ୍ଷରତା ହାର ବୃଦ୍ଧି ପାଇଁ ସଂଯୋଜକ ଓ ପ୍ରେରକ ନିଯୁକ୍ତି କରାଯାଇଛି । ସ୍ୱେଚ୍ଛାସେବୀ ଶିକ୍ଷକ ମାନଙ୍କ ଦ୍ୱାରା ନବ ସାକ୍ଷରମାନଙ୍କୁ ଶିକ୍ଷାଦାନ କରାଯାଇଛି । ୧୯ଟି ଜିଲ୍ଲାରେ ଆମ କଥା ନାମକ ସାକ୍ଷରତା ପୁସ୍ତକ ବିତରଣ କରାଯାଇଛି ବୋଲି ମନ୍ତ୍ରୀ ଗୃହକୁ ଜଣାଇଛନ୍ତି ।
Related Stories
November 24, 2024
November 24, 2024