
ଖୋର୍ଦ୍ଧା, ସହରରେ ମାତିଛନ୍ତି ବାଇକ୍ ଲୁଟେରା । ଖୋର୍ଦ୍ଧା କୋର୍ଟ ପରିସରରୁ ବାଇକ୍ ନେଇ ଚମ୍ପଟ ମାରିଛନ୍ତି ଦୁର୍ବୃତ । ସୂଚନା ଅନୁଯାୟୀ, ଶନିବାର ସକାଳ ପ୍ରାୟ ୧୦ଟା ସମୟରେ ସଦର ଥାନା ଅନ୍ତର୍ଗତ ବାଜପୁର ଗ୍ରାମର ଦିବ୍ୟରଞ୍ଜନ ସାହୁ ତାଙ୍କର ବନ୍ଧୁ ବିଜୟ ସେନାପତିଙ୍କ ଓଡି ୩୩ଏମ ୭୫୪୦ ବିଶିଷ୍ଟ ବାଇକ୍ ନେଇ କୋର୍ଟ ତାରିଖରେ ହାଜର ହେବାକୁ ଆସିଥିଲେ । ସେ କୋର୍ଟ ପରିସରରେ ବାଇକ୍ ରଖି କୋର୍ଟର କୋଠରି ଭିତରେ ତାରିଖ ପଡିବାର ସମୟକୁ ଅପେକ୍ଷା କରିଥିଲେ । ଏହି ସମୟରେ ହଠାତ୍ ଜଣେ ଅଜଣା ବ୍ୟକ୍ତି ତାଙ୍କ ବାଇକ୍ ଏକ ନକଲି ଚାବିରେ ଖୋଲି ବାଇକ୍ ନେଇ କୋର୍ଟ ବାହାରକୁ ଚାଲିଯାଇଥିଲା । ତେବେ ବାଇକ୍ ଚୋରକୁ ଧରିବାକୁ କିଛି ଓକିଲ ଓ ଦିବ୍ୟରଞ୍ଜନ ପିଛା କରି ଧରିବାରେ ବିଫଳ ହୋଇଥିଲେ । ପରେ ଏନେଇ ଟାଉନ ଥାନାରେ ଏକ ଅଭିଯୋଗ କରିଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ କୋର୍ଟ ପରିସରରୁ ବାଇକ୍ ଚୋରି ଘଟଣା ଜଣାପଡିବା ପରେ ଓକିଲମାନେ ପୋଲିସର କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନ ଉଠାଇଛନ୍ତି ।