ବଲାଙ୍ଗିର, ବଲାଙ୍ଗିର ସହର ରୁଗିଡିପଡା ମୁନସିପାଲିଟିରେ ଘଟିଛି ଅଘଟଣ । ଘର ଛାତରୁ କଂକ୍ରିଟ ଖସି ମା, ଝିଅ ଗୁରୁତର ହୋଇଛନ୍ତି । ମୁନସିପାଲିଟି କଲୋନୀର ପୁରୁଣା କୋଠାରେ ପୌରସଂସ୍ଥାର ଅବରସରପ୍ରାପ୍ତ କର୍ମଚାରୀ ଗାୟତ୍ରୀ କୁମ୍ଭାର (୭୫ ବର୍ଷ) ରୁହନ୍ତି । ଗତ ରାତିରେ ତାଙ୍କ ଝିଅ ଆରତୀ କଲେତ ମଧ୍ୟ ତାଙ୍କ ଘରକୁ ଆସିଥିଲେ । ମା ଝିଅ ବସି କଥାବାର୍ତ୍ତା ହେଉଥିବା ସମୟରେ ହଠାତ ଘରର ଛାତରୁ କଂକ୍ରିଟ ଖସି ସେମାନଙ୍କ ମୁଣ୍ଡ ଉପରେ ପଡିଥିଲା । ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଦୁଇଜଣଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରିଥିଲେ । ୭୫ ବର୍ଷୀୟ ଗାୟତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ରେଫର କରିଛନ୍ତି ଡାକ୍ତର । ସେପଟେ ୪୨ ବର୍ଷୀୟା ଆରତୀଙ୍କୁ ବଲାଙ୍ଗିର ହସପିଟାଲରେ ଚିକିତ୍ସା କରାଯାଉଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ଗତ ୧୦ ରୁ ୧୫ ବର୍ଷ ହେଲା ଘର ଗୁଡିକ ବିପଦସଙ୍କୁଳ ଘୋଷଣା ହୋଇଥିଲେ ମଧ୍ୟ ଏଠାରେ ଅବସର ପରେ ମଧ୍ୟ ୪୦ରୁ ଅଧିକ କର୍ମଚାରୀ ରହୁଛନ୍ତି, ତା ବାହାରେ ସାଧାରଣ ଲୋକ ମଧ୍ୟ ଜୋର୍ ଜବରଦସ୍ତ ଘର ଗୁଡିକରେ ରହି ଆସିଛନ୍ତି। ସେମାନଙ୍କୁ କୌଣସି ପ୍ରକାରର ଘର ଖାଲି ପାଇଁ ମୁନିସିପାଲଟି ପଦକ୍ଷେପ ନେଇ ନାହାନ୍ତି।