
ଝାରସୁଗୁଡା,ଦୁଇ ପୁଅ ହାତୀ ଆକ୍ରମଣରେ ପ୍ରାଣ ହରାଇଥିବା ବେଳେ ବାପା ମାଆ ଆହତ ହୋଇଛନ୍ତି । ଗତକାଲି ରାତିରେ ଝାରସୁଗୁଡା ଜିଲ୍ଲା ବାଗଡିହି ରେଞ୍ଜ୍ ଅନ୍ତର୍ଗତ ଭଉଁରା ଗ୍ରାମ ନିକଟରେ ଘଟିଯାଇଛି ଏଭଳି ଏକ ଅଘଟଣ । ଏମାନେ ଇଟା ଭାଟିରେ କାମ କରିବାକୁ ଆସିଥିଲେ । ଏକ ପଲିଥିନ ତଳେ ଶୋଇଥିବା ବେଳେ ହାତୀ ସେମାନଙ୍କୁ ଶୁଣ୍ଢରେ ଉଠାଇ ନେଇ ତଳେ କଚାଡ଼ି ମାରିଥିଲା । ମୃତ ୨ ଭାଇ ହେଲେ ଧନଞ୍ଜୟ ସତନମୀ ଓ ଅଭୟ ସତନମୀ । ସେମାନେ ଛତିଶଗଡ଼ ବାସିନ୍ଦା ବୋଲି ଜଣାଯାଇଛି ।
୨ ଦିନ ତଳେ ବାପାମା’ ଉମେଶ ରାମ ସତନମୀ ଓ ଲେହେରାବାଈ ସତନମୀଙ୍କ ସହ ଇଟାଭାଟିରେ କାମ କରିବା ପାଇଁ ଓଡ଼ିଶା ଆସିଥିଲେ । ଗତରାତିରେ ୨ ପୁଅ ନିଜ ବାପାମା’ଙ୍କ ସହ ଏକ ପଲିଥିନ ତଳେ ଶୋଇଥିଲେ । ରାତି ପ୍ରାୟ ୧୦ଟା ବେଳେ ହାତୀ ସେଠାରେ ପହଂଚି ପଲିଥିନକୁ ଟାଣି ନେଇଥିଲା । ଉମେଶ ରାମ ସତନମୀ ଓ ଲେହେରାବାଈ ସତନମୀ ଉକ୍ତ ପଲିଥିନ ଭିତରୁ ବାହାରି ଆସିଥିଲେ । ମାତ୍ର ଦୁଇ ପିଲା କିଛି ଜାଣି ପାରି ନ ଥିବା ବେଳେ ହାତୀ ପଲିଥିନ ସହ ସେମାନଙ୍କୁ ବି ଶୁଣ୍ଢରେ ଟେକି ନେଇଥିଲା । ପରିବାର ଲୋକେ ପ୍ରାୟ ୨ ଘଂଟା କାଳ ଖୋଜାଖୋଜି କରିବା ପରେ ଜଙ୍ଗଲରେ ପଲିଥିନ ପଡ଼ିଥିବା ଦେଖିବାକୁ ପାଇଥିଲେ । ଏହାପରେ ଉକ୍ତ ପଲିଥିନ ଭିତରୁ ମୃତ ଅବସ୍ଥାରେ ୨ ପୁଅଙ୍କୁ ଉଦ୍ଧାର କରିଥିଲେ । ହାତୀ କଚାଡ଼ି ଦେବାରୁ ସେମାନଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ଆହତ ପତିପତ୍ନୀଙ୍କୁ ଚିକିତ୍ସା ନିମନ୍ତେ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ପୁଅ ୨ଜଣଙ୍କୁ ହରାଇ ଏହି ଦମ୍ପତି ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ପୁଲିସ ଓ ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି ।