ପୁରୀ, ଶ୍ରୀମନ୍ଦିରରେ ଆଜି ଠାରୁ ଆରମ୍ଭ ହୋଇଛି ପଚଂକ ନୀତି । ପଚଂକର ପ୍ରଥମ ଦିନରେ ଅର୍ଥାତ ଦେବୋଉତଥାପନ (ବଡ)ଏକାଦଶୀ ତିଥିରେ ଭକ୍ତଙ୍କୁ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତି । କାର୍ତିକ ଶୁକ୍ଳ ଏକାଦଶୀ ତିଥିରେ ଆଜି ଶ୍ରୀ ବିଗ୍ରହମାନଙ୍କର ଅବକାଶ ନୀତି ଶେଷ ହେବା ପରେ “ଲକ୍ଷ୍ମୀନାରାୟଣ ବା ଠିଆକିଆ” ବେଶ ଅନୁଷ୍ଠିତ ହୋଇଛି । ଉପରୋକ୍ତ ବେଶ ଥାଇ ଶ୍ରୀ ଜୀଉମାନଙ୍କର ଗୋପାଳବଲ୍ଲଭ, ସକାଳଧୂପ, ବାଳଧୂପ, ଭୋଗମଣ୍ଡପ ଇତ୍ୟାଦି ନୀତି ଅନୁଷ୍ଠିତ ହୋଇଛି । ସ୍ଵର୍ଣ୍ଣ ଅଳଙ୍କାର, ପୁଷ୍ପମାଲ୍ୟ, ପାଟବସ୍ତ୍ର ଇତ୍ୟାଦିରେ ପୁଷ୍ପାଳକ ସେବକମାନେ ତିନି ଠାକୁରଙ୍କୁ ଲକ୍ଷ୍ମୀନାରାୟଣ ବେଶରେ ଭୂଷିତ କରିଛନ୍ତି । କାର୍ତିକ ମାସରେ ମହାପ୍ରଭୁଙ୍କ ଶ୍ରୀମନ୍ଦିରରେ ଅନୁଷ୍ଠିତ ରାଧାଦାମୋଦର ବେଶରେ ଠାକୁରମାନେ ଶ୍ରୀହସ୍ତରେ ନଳୀଭୁଜ ଧାରଣ କରିଥିଲେ । ହେଲେ ଲକ୍ଷ୍ମୀନାରାୟଣ ବେଶରେ ଶ୍ରୀଭୁଜ ଓ ଶଙ୍ଖ, ଚକ୍ର, ହଳ, ମୂଷଳ ଓ କେତେକ ଅଧିକ ସ୍ଵର୍ଣ୍ଣ ଅଳଙ୍କାର ଧାରଣ କରିଛନ୍ତି । ସୁଭଦ୍ରାଙ୍କ ବେଶରେ କିଛି ପରିବର୍ତନ ହୋଇନାହିଁ । ଏତଦ୍ ବ୍ୟତୀତ ସୁନାବେଶ ଭଳି ଏହି ବେଶରେ ଠାକୁରମାନଙ୍କ ମସ୍ତକରେ ସ୍ଵର୍ଣ୍ଣକିରୀଟ ଶୋଭାପାଉଛି ଓ କିରୀଟ ପଛ ପାର୍ଶ୍ଵରେ ସୁବର୍ଣ୍ଣ କିଆ ଖଞ୍ଜା ଯାଇଛି । ଏହି ବେଶର ଅନ୍ୟନାମ ଠିଆକିଆ ବେଶ । ମସ୍ତକରେ ସୁବର୍ଣ୍ଣ କିଆ ଠିଆ ଭାବରେ ଲାଗି ହେଉଥିବାରୁ ଏହି ବେଶର ନାମ ଏପରି ରଖାଯାଇଛି ।
ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରୁ ମହାପ୍ରଭୁ ନିଦ୍ରା ଯାଇଥିଲେ । ଆଜି କାର୍ତିକ ଶୁକ୍ଳପକ୍ଷ ଏକାଦଶୀ ବା ପବିତ୍ର ପଚୁଂକର ପ୍ରଥମ ଦିନରେ ମହାପ୍ରଭୁ ନିଦ୍ରାଭଙ୍ଗ କରିଛନ୍ତି, ଯାହାକୁ ହରିଉତଥାପନ ଏକାଦଶୀ କୁହାଯାଇଥାଏ । ପଂଚକ ୫ ଦିନରେ ମହାପ୍ରଭୁଙ୍କ ୫ ପ୍ରକାରର ବେଶ ଅନୁଷ୍ଠିତ ହୋଇଥାଏ । ଏହି କ୍ରମରେ ଆସନ୍ତା କାଲି ଶ୍ରୀଜୀଉଙ୍କ ବାଙ୍କଚୁଡ଼ ବେଶ ଅନୁଷ୍ଠିତ ହେବ । ୬ ତାରିଖରେ ତ୍ରିବିକ୍ରମ ବେଶ, ୭ ତାରିଖରେ ଲକ୍ଷ୍ମୀ ନୃସିଂହ ବେଶ ଏବଂ ୮ ତାରିଖ କାର୍ତିକ ପୂର୍ଣ୍ଣିମାରେ ସୁନା ବେଶ ତଥା ରାଜଧିରାଜ ବେଶ ଅନୁଷ୍ଠିତ ହେବ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ଭିଡ଼ ନିୟନ୍ତନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।