
ସାକ୍ଷିଗୋପାଳ, ରାଜ୍ୟର ପ୍ରମୁଖ ବୈଷ୍ଣବ କ୍ଷେତ୍ର ସାକ୍ଷୀଗୋପାଳଙ୍କ ପୀଠରେ ଆଜି ପବିତ୍ର କାର୍ତିକ ମାସ ବଡ଼ ଏକାଦଶୀ ତିଥିରେ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଛି । ଶ୍ରଦ୍ଧାଳୁ ମାନେ ପ୍ରଭୁ ଶ୍ରୀକୃଷ୍ଣ ଓ ମା ରାଧାରାଣୀଙ୍କ ଲକ୍ଷ୍ମୀ ନାରାୟଣ ବେଶ ଦର୍ଶନ କରିଛନ୍ତି । ଏହି ପବିତ୍ର ତିଥିରେ ଠାକୁରଙ୍କୁ ଚୁଡ଼ାଘଷା ଭୋଗ ଲାଗି ହେବାର ପରମ୍ପରା ରହିଛି । ଠାକୁର ଦକ୍ଷିଣ ଭାରତର ହୋଇଥିବାରୁ ବର୍ଷତମାମ ଏଠାରେ ସେଠାକାର ଭୋଗ ସାମଗ୍ରୀ ଲାଗି କରାଯାଇଥାଏ । କିନ୍ତୁ, ଆଜି ଦିନର ସ୍ଵତନ୍ତ୍ରତା ଅନୁଯାୟୀ ଠାକୁରଙ୍କୁ ସ୍ଥାନୀୟ ବାସିନ୍ଦାଙ୍କ ଦ୍ଵାରା ଉତ୍ପାଦିତ ଚାଉଳରୁ ପ୍ରସ୍ତୁତ ଚୁଡ଼ାରେ ଭୋଗ ପ୍ରସ୍ତୁତ କରାଯାଇ ଲାଗି କରାଯାଇଥାଏ । ସେହିପରି ଅନେକ ମାନସିକଧାରୀ ମନ୍ଦିର ପରିସରରେ ଚୁଡ଼ାଘଷା ଭୋଗ ପ୍ରସ୍ତୁତ କରି ଠାକୁରଙ୍କ ନିକଟରେ ଲାଗି କରିଥିଲେ ।
ଦର୍ଶନ ନିମନ୍ତେ ଦେବନୀତି ପାଇଁ ପୂର୍ବ ରାତ୍ର ୧ଟାରେ ଦ୍ଵାରଫିଟା, ରାତି ୧ଟା ୩୦ ମିନିଟରେ ମଙ୍ଗଳ ଆରତି, ରାତି ୧ଟା ୩୦ ରୁ ୩ଟା ମଧ୍ୟରେ ବେଶ, ମଇଲମ, ମର୍ଦ୍ଦନ ଅବକାଶ, ନଟବର ବେଶ, ରାତି ୩ଟାରୁ ସାଢ଼େ୪ଟା ମଧ୍ୟରେ ସୂର୍ଯ୍ୟପୁଜା, ଦ୍ଵାରପାଳ ପୂଜା, ବଲ୍ଲଭ, ସକାଳ ଧୂପ, ବାଳଧୂପ ଆଦି ନୀତି ସମ୍ପନ୍ନ ହୋଇଥିଲା । ଭୋର ସାଢ଼େ ୫ଟା ଠାରୁ ସକାଳ ୬ଟା ପର୍ଯ୍ୟନ୍ତ ମନ୍ଦିର କର୍ମଚାରୀ ଓ ସେବାୟତ ପରିବାର ଦର୍ଶନ କରିଥିଲେ । ସକାଳ ୬ଟା ଠାରୁ ସାହାଣମେଲା ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା । ରାତି ସାଢ଼େ ୧୧ଟା ପର୍ଯ୍ୟନ୍ତ ଭକ୍ତ ମାନେ ଠାକୁର ଦର୍ଶନ କରିପାରିବେ । ରାତି ୧୨ଟାରେ ପରବର୍ତି ଦେବନୀତି ଆରମ୍ଭ ହୋଇ ପହୁଡ଼ ପଡିବ ବୋଲି ଶ୍ରୀ ଶ୍ରୀ ସାକ୍ଷିଗୋପାଳ ସେବାୟତ ସଂଘ ସୂତ୍ରରୁ ପ୍ରକାଶ ।
ଏହା ବ୍ୟତୀତ ପଂଚସଖା ପଡିଆରେ ବିଭିନ୍ନ ପ୍ରକାର ଫୁଡ୍, ଅନ୍ୟାନ୍ୟ ଷ୍ଟଲରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ଭଳିକି ଭଳି ଦୋଳି ନିକଟରେ ପିଲାଙ୍କ ଭିଡ଼ ଲାଗିଛି । ପଚଂସଖା ମୁକ୍ତାକାଶ ରଙ୍ଗମଂଚରେ ଜିଲ୍ଲା ସଂସ୍କୃତି ପରିଷଦ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଶ୍ରୀରାଧା ଉତ୍ସବ – ୨୦୨୨ ସାଂସ୍କୃତିକ କାର୍ଯ୍ୟକ୍ରମ ସଂନ୍ଧ୍ୟାରେ ଆୟୋଜିତ ହେବ । ଭିଡ଼ ନିୟନ୍ତ୍ରଣ ଓ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।