-
ଭାରତବର୍ଷକୁ ଖେଳର ବଡ ପ୍ରୟୋଗଶାଳା କରିବା ପାଇଁ ସମସ୍ତେ ଉଦ୍ୟମ କରିବା- ଧର୍ମେନ୍ଦ୍ର ପ୍ରଧାନ
-
ଓଡ଼ିଶା ଓ ମୁମ୍ବାଇ କେନକ୍ରେ ଏଫସି ମଧ୍ୟରେ ଅନୁଷ୍ଠିତ ଉଦଘାଟନୀ ମ୍ୟାଚ ଦେଖିଲେ କେନ୍ଦ୍ରମନ୍ତ୍ରୀ
-
ପ୍ରଥମ ମ୍ୟାଚରେ ବିଜୟୀ ଟିମ ମୁମ୍ବାଇ କେନକ୍ରେ ଏଫସି ଟିମକୁ ଶୁଭେଚ୍ଛା ଜଣାଇଲେ
-
ଓଡ଼ିଶା ଟିମର ଖେଳାଳିମାନେ ଭଲ ଖେଳିବା ସହ ଶେଷ ପର୍ଯ୍ୟନ୍ତ ସଂଘର୍ଷ ଜାରୀ ରଖିଥିଲେ, ଖେଳରେ ହାର୍ ଜିତର ପରମ୍ପରାରେ ବ୍ୟକ୍ତିତ୍ୱ ନିର୍ମାଣ ହେବା ସହ ସମାଜ ଶକ୍ତିଶାଳୀ ହୁଏ
-
ଢେଙ୍କାନାଳର ଗୌରବ ଶହୀଦ ବାଜି ରାଉତଙ୍କ ନାଁରେ ଟୁର୍ଣ୍ଣାମେଣ୍ଟର ଆୟୋଜନ ପାଇଁ ‘ଆମେ ଓଡିଆ’କୁ ଧନ୍ୟବାଦ ଜଣାଇଲେ
-
ଏହି ଟୁର୍ଣ୍ଣାମେଣ୍ଟ୍ ଢେଙ୍କାନାଳର ଯୁବଶକ୍ତିଙ୍କୁ ଫୁଟବଲ ଖେଳ ପ୍ରତି ପ୍ରେରିତ କରିବ
-
ଇଣ୍ଟରନେଟ ଓ ଟିଭିରେ ଅଟକି ଯାଉଥିବା ପିଲାଙ୍କୁ ପଡିଆକୁ ଆଣିବା ଆମ ଉଦ୍ଦେଶ୍ୟ
-
ଆଗାମୀ ଦିନରେ ଉଭୟ ମହିଳା ଓ ପୁରୁଷ ବର୍ଗରେ ବିଶ୍ୱବିଦ୍ୟାଳୟସ୍ତରୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବା ପାଇଁ ଯୋଜନା
-
ଦେଶର ୨ କୋଟି ୫୦ ଲକ୍ଷ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଫୁଟବଲ ଖେଳ ସହ ଯୋଡାଯିବ
-
ଓଡ଼ିଶା ସମେତ ଦେଶର ସବୁ ଜିଲ୍ଲାର ସ୍କୁଲ ଗୁଡିକୁ ବଣ୍ଟାଯିବ ୧୦ ଲକ୍ଷ ଫୁଟବଲ୍
-
ଫୁଟବଲ ଖେଳରେ ମହିଳା ମାନଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି କହିଲେ କେନ୍ଦ୍ରମନ୍ତ୍ରୀ
ଢେଙ୍କାନାଳ/ଭୁବନେଶ୍ୱର, ଐତିହାସିକ ସହର ଢେଙ୍କାନାଳର ମିନି ଷ୍ଟାଡିୟମରେ ଗୁରୁବାର ‘ଆମେ ଓଡ଼ିଆ’ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ଆୟୋଜିତ ‘ବାଜି ରାଉତ ଜାତୀୟ ଫୁଟବଲ କପ୍ ଟୁର୍ଣ୍ଣାମେଣ୍ଟ’ ଢେଙ୍କାନାଳର ଯୁବଶକ୍ତିଙ୍କୁ ଫୁଟବଲ ଖେଳ ପ୍ରତି ପ୍ରେରିତ କରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ଭାରତବର୍ଷକୁ ଖେଳର ବଡ ପ୍ରୟୋଗଶାଳା ବନାଇବାରେ ଆମେ ସମସ୍ତେ ଉଦ୍ୟମ କରିବା ଦରକାର ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।
ଏହି ଉଦଘାଟନ ସମାରୋହରେ ଯୋଗଦେବା ସହ ଟୁର୍ଣ୍ଣାମେଣ୍ଟର କପକୁ ଉନ୍ମୋଚନ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ପବିତ୍ର କାର୍ତ୍ତିକ ମାସରେ, ବିଶେଷ ଭାବରେ ଦେଶ ସ୍ୱାଧୀନତାର ୭୫ ବର୍ଷ ଯାତ୍ରା ଅବସରରେ ଅମୃତ ମହୋତ୍ସବ ପାଳନ କରିବା ବେଳେ ଢେଙ୍କାନାଳର ଗୌରବ ତଥା ଦେଶର ସର୍ବକନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ଶହୀଦ ବାଜି ରାଉତଙ୍କ ସ୍ମୃତିରେ ଏହି ଜାତୀୟ ସ୍ତରର ଫୁଟବଲ କପ୍ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବା ଖୁସିର ବିଷୟ । ଆଜିର ସମୟରେ ବାଜି ରାଉତଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କର ସାହସକୁ ମନେ ପକାଇବା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଆଜିର ଆଧୁନିକ ଯୁବପିଢିଙ୍କୁ ଖେଳରେ ସାମିଲ କରିବା ଏହି ଟୁର୍ଣ୍ଣାମେଣ୍ଟର ମୂଳ ଉଦ୍ଦେଶ୍ୟ ରହିଛି । ଢେଙ୍କାନାଳ, ଅନୁଗୋଳ ଓ ତାଳଚେରରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ନେଇ ଲୋକମାନେ ବିଶେଷ ଭାବରେ ଯୁବକମାନଙ୍କ ମଧ୍ୟରେ ବହୁତ ଉତ୍ସାହ ଅଛି ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଖେଲୋ ଇଣ୍ଡିଆ ଅଭିଯାନ, ଫିଟ୍ ଇଣ୍ଡିଆ ମାଧ୍ୟମରେ ଦେଶରେ କ୍ରୀଡାକୁ ପ୍ରୋତ୍ସାହନ ଦିଆଯାଉଛି । ଆଜି ଯେତେବେଳେ ପିଲାମାନେ ଇଣ୍ଟରନେଟ, ଟିଭିରେ ଅଟକି ଯାଉଛନ୍ତି, ତାଙ୍କୁ ପଡିଆକୁ ଆଣିବା ଓ ଖେଳରେ ସାମିଲ କରିବା ଆମର ଉଦ୍ଦେଶ୍ୟ । ଏଥିପାଇଁ ଅନ୍ତରାଷ୍ଟ୍ରୀୟ ଫୁଟବଲ ସଂଗଠନ (ଫିଫା), ସର୍ବଭାରତୀୟ ଫୁଟବଲ ସଂଘ(ଏଆଫଏଫଏଫ), ଭାରତ ସରକାରଙ୍କ ସହଯୋଗରେ ମିଳିତ ଭାବରେ ‘ଫୁଟବଲ ଫର୍ ସ୍କୁଲ’ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି କାର୍ଯ୍ୟକ୍ରମ ଅଧୀନରେ ଦେଶର ୨ କୋଟି ୫୦ ଲକ୍ଷ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଫୁଟବଲ କ୍ରୀଡା ସହ ଯୋଡାଯିବାର ଯୋଜନା କରାଯାଇଛି । ଜବାହର ନବୋଦୟ ବିଦ୍ୟାଳୟ ମାଧ୍ୟମରେ ସମଗ୍ର ଭାରତବର୍ଷର ସବୁ ଜିଲ୍ଲାରେ ସରକାରୀ ଓ ବେସରକାରୀ ସ୍କୁଲ ଗୁଡିକୁ ୧୦ ଲକ୍ଷ ଫୁଟବଲ୍ ବଣ୍ଟନ କରାଯିବ ।
ସେହିପରି ଆଗାମୀ ଦିନରେ ବିଶ୍ୱବିଦ୍ୟାଳୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଭୟ ମହିଳା ଓ ପୁରୁଷ ବର୍ଗ ମଧ୍ୟରେ ଆୟୋଜନ କରାଯିବା ନେଇ ଯୋଜନା ହୋଇଛି । ଏହି ସବୁ ପଦକ୍ଷେପ ଦ୍ୱାରା ଆଜିର ନୂଆପିଢି ଫୁଟବଲ ସହ ସାମିଲ ହେବେ । ଫୁଟବଲ ଖେଳରେ ମହିଳା ମାନଙ୍କୁ ଅଗ୍ରାଧିକାର ଦିଆଯିବ । ଓଡ଼ିଶାରେ ମଧ୍ୟ ଖେଳର ପରମ୍ପରାକୁ ପୁର୍ନଜୀବିତ କରାଯିବ । ଯୁବକ ଯୁବତୀମାନେ ଫୁଟବଲ, କ୍ରିକେଟ, ଆଥଲେଟିକ, ହକି, ଭଲିବଲ, ରଗବି, କବାଡି, ଖୋଖୋ ଓ ଅନ୍ୟାନ୍ୟ କ୍ରୀଡା ଖେଳିବା ପାଇଁ ମଇଦାନକୁ ଓହ୍ଲାନ୍ତୁ । ପିଲାମାନେ ଖେଳନ୍ତୁ, ସୁସ୍ଥ ରୁହନ୍ତୁ । ସୁସ୍ଥ ରହିଲେ ମନରେ ଉତ୍ସାହ ଆସିବ ।
ଓଡ଼ିଶା ଓ ମୁମ୍ବାଇର କେନକ୍ରେ ମଧ୍ୟରେ ଅନୁଷ୍ଠିତ ଉଦଘାଟନୀ ମ୍ୟାଚକୁ ଶ୍ରୀ ପ୍ରଧାନ ଉପଭୋଗ କରିବା ସହ ‘ବାଜି ରାଉତ ଜାତୀୟ ଫୁଟବଲ କପ୍ ଟୁର୍ଣ୍ଣାମେଣ୍ଟ’ ର ସର୍ବସଫଳତା କାମନା କରିଛନ୍ତି । ପ୍ରଥମ ମ୍ୟାଚରେ ବିଜୟୀ ଟିମ ମୁମ୍ବାଇ କେନକ୍ରେ ଏଫସି ଟିମକୁ ଶୁଭେଚ୍ଛା ଜଣାଇବା ସହ ସେ କହିଛନ୍ତି ଯେ ଉଭୟ ଟିମ ଭଲ ପ୍ରଦର୍ଶନ କରିଛନ୍ତି । ଓଡ଼ିଶା ଟିମର ଖେଳାଳିମାନେ ବହୁତ ଭଲ ଖେଳିଥିଲେ । ଶେଷ ପର୍ଯ୍ୟନ୍ତ ନିଜ ସଂଘର୍ଷ ଜାରୀ ରଖିଥିଲେ । ଖେଳରେ ବିଜୟ ଓ ହାରିବା ଏକ ପରମ୍ପରା । ଖେଳରେ ହାରିଲେ ଜିତିବା ପାଇଁ ନିଷ୍ଠା ରହିବ । ହାର୍ ଜିତ୍ ର ପରମ୍ପରାରେ ବ୍ୟକ୍ତିତ୍ୱ ନିର୍ମାଣ ହେବ । ବ୍ୟକ୍ତିତ୍ୱ ନିର୍ମାଣ ହେଲେ ସମାଜ ଶକ୍ତିଶାଳୀ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ସବୁ ଟିମର ଉତ୍ତମ ପ୍ରଦର୍ଶନ କରିବା ସହ ଆଗାମୀ ଦିନରେ ଦେଶ ପାଇଁ ଗୌରବ ଆଣନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ବୀର ସଂଗ୍ରାମୀ ମାଟିରେ ଢେଙ୍କାନାଳର ଯୁବପିଢିଙ୍କୁ ଫୁଟବଲ କ୍ରୀଡା ପ୍ରତି ଉତ୍ସାହିତ କରିବା ପାଇଁ ଆମେ ଓଡ଼ିଆର ଏହି ପ୍ରଚେଷ୍ଟା ପାଇଁ ଢେଙ୍କାନାଳ ତରଫରୁ ଶ୍ରୀ ପ୍ରଧାନ କୃତଜ୍ଞତା ଜଣାଇଛନ୍ତି । ଏହାସହ ଏଥିରେ ସହଯୋଗୀ ହୋଇଥିବା ଏଆଇଏଫଏଫ, ରାଜ୍ୟ ଫୁଟବଲ ଫେଡେରେସନ ସମେତ ଅନୁଗୋଳ, ଢେଙ୍କାନାଳ ଆଥଲେଟିକ ଫେଡେରେସନ ଓ ତାଳଚେରର ସବଡିଭିଜନାଲ ଆଥଲେଟିକ୍ ଆସୋସିଏସନକୁ ସେ ଧନ୍ୟବାଦ ଜଣାଇଛନ୍ତି ।