-
ରାଜରାସ୍ତାରେ ଆନ୍ଦୋଳନକୁ ୧୯ ଦିନ ପୁରିଲା ସରକାର ଦାବି ପୂରଣ କରିବାରେ ଟାଳଟୂଳ ନୀତି ଅବଲମ୍ବନ କଲେ ଚଳିତମାସ ୨୫ରେ ଏକ ସ୍ୱତନ୍ତ୍ର ରାଲିରେ ନବୀନ ନିବାସ ଯିବେ ଗାଁସାଥୀ
ଭୁବନେଶ୍ୱର – ରାଜ୍ୟ ପଂଚାୟତିରାଜ ବିଭାଗରେ ଗ୍ରାମୀଣ ସ୍ତରରେ ପର୍ଯ୍ୟାପ୍ତ କାର୍ଯ୍ୟ ପ୍ରଦାନ ସହିତ ମାସିକ ୬ ହଜାର ଟଙ୍କାରୁ ଉଦ୍ଧ୍ୱର୍ ପ୍ରୋତ୍ସାହନ ରାଶି ପ୍ରାପ୍ତି ସମେତ ୫ ଦଫା ଦାବି ନେଇ ଚଳିତ ନଭେମ୍ବର ୪ରୁ ବିଧାନସଭା ଆଗରେ ଲଢେଇ ଜାରି ରଖିଛନ୍ତି ଗାଁସାଥୀ(ମେଟ) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି, ଓଡ଼ିଶା ପ୍ରଦେଶର ହଜାର ହଜାର ସଭ୍ୟସଭ୍ୟାମାନେ । ଆନ୍ଦୋଳନକୁ ୧୯ ଦିନ ବିତିଲା ପରେ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ବିଧାନସଭା ଆଗ ଧାରଣାସ୍ଥଳରେ ଥିବା ସଂଘର ଟେଂଟରେ ଆଜି ପୂର୍ବାହ୍ନରେ ଏକ ସ୍ୱତନ୍ତ୍ର ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀ ବିଶ୍ୱାଳ ଅତ୍ୟନ୍ତ କ୍ଷୋଭର ସହିତ କହିଥିଲେ ଯେ, ଚଳିତ ଜୁଲାଇ ଓ ଅଗଷ୍ଟ ମାସରେ ବିଭାଗୀୟ ଅଧିକାରୀ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ପଦାଧିକାରମାନଙ୍କ ସହିତ ଆଲୋଚନା, ତା’ପରେ ୩୦ ଜିଲ୍ଲାରୁ ପଂଚାୟତିରାଜ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ଦେବାପରେ ଚଳିତ ନଭେମ୍ବର ୪ ତାରିଖରୁ ଏକ ବିଶାଳ ରାଲି ସହିତ ୧୯ ଦିନ ଧରି ରାଜରାସ୍ତାରେ ହଜାର ହଜାର ଗାଁସାଥୀ ପଡ଼ି ରହିଛନ୍ତି । ପଂଚାୟତିରାଜ ମନ୍ତ୍ରୀଙ୍କ ସହିତ ଦୁଇଥର ସାକ୍ଷାତ ଆଲୋଚନା ପରେ ଏଯାବତ୍ ସଂଘର ୫ ଦଫା ଦାବିର ସମାଧାନ ପାଇଁ ପ୍ରତିଶ୍ରୁତି ମିଳୁଛି, ମାତ୍ର ବିଭାଗୀୟ ପ୍ରମୁଖ ସଚିବଙ୍କ ଅନୁପସ୍ଥିତି ପାଇଁ ସମାଧାନର ରାସ୍ତା ବାହାରିପାରୁ ନାହିଁ । ଏଣୁ ଏହାର ପ୍ରତିବାଦ ତଥା ସଂଘର ଦାବିଗୁଡ଼ିକର ଆଶୁ ସମାଧାନ ଦାବିରେ ସଂଗଠନ ତରଫରୁ ଚଳିତ ନଭେମ୍ବର ୨୫ ତାରିଖ ୯ ଘଟିକା ସମୟରେ ସଂଘର ଧାରଣାସ୍ଥଳସ୍ଥ୍ିତ ୧୧(କ) ଟେଂଟ ଆଗରେ ଗାଁସାଥୀ ସଂଘର ହଜାର ହଜାର ରାଜ୍ୟ, ଜିଲ୍ଲା ଓ ବ୍ଲକସ୍ତରୀୟ ସଂଗଠକମାନେ ଏକତ୍ରିତ ହୋଇ ପ୍ରଥମେ ଏକ ଅଭିନବ ଉପାୟରେ ମଧ୍ୟାହ୍ନ ପର୍ଯ୍ୟନ୍ତ ଧାରଣାରେ ବସିିବେ । ସେଦିନ ସଂଘର ସରକାରଙ୍କ ସାଥୀରେ ତୃତୀୟବାର ଆଲୋଚନା ହେବା ଲାଗି ପଂଚାୟତିରାଜ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ସଂଘ ତରଫରୁ ପ୍ରକାଶ । ଯଦି ସେହି ଆଲୋଚନା ଅନୁଯାୟୀ ୨୫ ନଭେମ୍ବର ମଧ୍ୟାହ୍ନ ସୁଦ୍ଧା ସଂଘର ୫ ଦଫା ଦାବିରେ ଯଥାର୍ଥ ସମାଧାନର ପଥ ପ୍ରସ୍ତୁତ ନ ହୁଏ, ତେବେ ସେଦିନ ଅପରାହ୍ନ ୨ ଘଟିକାରେ ହଜାର ହଜାର ଗାଁସାଥୀ ନିଜ ଧାରଣାସ୍ଥଳସ୍ଥିତ ଟେଂଟରୁ ବାହାରି ଏକ ରାଲି ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ୍ ଓ ଆଲୋଚନା କରିବା ଲାଗି ନବୀନ ନିବାସ ଯିବେ ବୋଲି ଶ୍ରୀ ବିଶ୍ୱାଳ ଗଣମାଧ୍ୟମକୁ ଜଣାଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ସମୟାନୁସାରେ ୨୫ ନଭେମ୍ବର ସକାଳ ୯ ଘଟିକା ସୁଦ୍ଧା ରାଜ୍ୟର ସମସ୍ତ ଗାାଁସାଥୀ (ମେଟ୍)ମାନେ ଯୋଗ ଦେବା ପାଇଁ ସଂଘ ତରଫରୁ ଆହ୍ୱାନ ଦିଆଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ଚଳିତ ମାସ ୨୦ ତାରିଖ ଦିନ ବିଧାନସଭାର ଶୂନ୍ୟକାଳରେ ବିରୋଧୀ ଦଳର ନେତା ଶ୍ରୀ ପ୍ରଦୀପ୍ତ କୁମାର ନାୟକ ଗାଁସାଥୀଙ୍କ ପ୍ରତି ହୋଇଥିବା ଅବିଚାରର ସୁବିଚାର ଲାଗି ବିଧାନସଭାରେ ଏକ ପ୍ରଭାବୀ ଢଙ୍ଗରେ ପ୍ରାୟ ୩୦ ମିନିଟ୍ ସମୟ ନେଇ ପ୍ରଶ୍ନ ଉତ୍ଥାପନ କରିଛନ୍ତି ବୋଲି ସଂଘ ତରଫରୁ ପ୍ରକାଶ । ଏଣୁ ଆଜିର ସାମ୍ବାଦିକ ସମ୍ମିଳନୀ ଜରିଆରେ ଗାଁସାଥୀ ସଂଗଠକମାନେ ବିରୋଧୀ ଦଳ ନେତା ମହୋଦୟଙ୍କୁ ଏବଂ ତାଙ୍କ ସହିତ ପ୍ରଶ୍ନ ଉତ୍ଥାପନ ପାଇଁ ସହଯୋଗ କରିଥିବା ଅନ୍ୟ ସମସ୍ତ ବିଧାୟକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆଜିର ସାମ୍ବାଦିକ ସମ୍ମିଳନୀରେ ଗାଁସାଥୀ ସଂଗଠକ ରବୀନ୍ଦ୍ର ଗୌଡ଼, କୁଳମଣି ମେଂଟା, ପ୍ରତାପ ମଲ୍ଲିକ, ଚରଣ ନାହାକ, ସୁଧାଂଶୁ ଶତପଥୀ, ଶଙ୍କର୍ଷଣ ପଲାଇ, କୈଳାସ ଭତ୍ରା, ହରି ମାଡ଼କାମୀ, ମମତା ଖିଲୋର, ଅଭୟ ପ୍ରଧାନ, ପରମାନନ୍ଦ ଭାଇ, ରାମଚନ୍ଦ୍ର ଭାଇ, ସନ୍ନ୍ୟାସୀ ନାୟକ, ଜଗବନ୍ଧୁ ରେଡ୍ଡି ଓ ଅନ୍ୟ ଶତାଧିକ ଗାଁସାଥୀ ସଂଗଠକ ଉପସ୍ଥିତ ଥିଲେ ।