ଢେଙ୍କାନାଳ, ବାଜି ରାଉତ ଜାତୀୟ ଫୁଟବଲ କପ ଟୁର୍ଣ୍ଣାମେଂଟରେ ଉଦଘାଟନୀ ସମାରୋହରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତି ଯେ ଯୁବପିଢିକୁ ଉତ୍ସାହିତ କରିବାକୁ ଏହାକୁ ଆୟୋଜନ କରାଯାଉଛି । ମୋର ବହୁତ ଦିନରୁ ଇଚ୍ଛା ଥିଲା ଢେଙ୍କାନାଳରେ ଏକ ଜାତୀୟ ସ୍ତରୀୟ ଖେଳର ଆୟୋଜନ କରାଯାଉ । ଯାହା ଆଜି ସାକାର ହୋଇଛି । ଏଥିପାଇଁ ମୁଁ ବହୁତ ଖୁସି । ସହିଦ ବାଜି ରାଉତଙ୍କ ସ୍ମୃତିରେ ଆମେ ଓଡିଆ ଫାଉଣ୍ଡେସନ ଟ୍ରଷ୍ଟ ଓ ଇଓୠୠର ମିଳିତ ଉଦ୍ୟମରେ ଏହା ସମ୍ଭବ ହୋଇ ପାରିଛି । ତେଣୁ ସମସ୍ତଙ୍କୁ ଧନ୍ୟବାଦ ଓ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ।
ଏହାସହ କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଯୁବପିଢି ମଇଦାନରେ ରହିବା ଦରକାର । ପୁଅ ଝିଅ ସମସ୍ତେ ଖେଳିବା ଦରକାର । ଢେଙ୍କାନାଳରେ ଖେଳ ପଡିଆ ବହୁତ ସୁନ୍ଦର । ଏଠାରେ ସବୁବେଳେ କ୍ରିକେଟ୍, ହକି, ଫୁଟବଲ୍, କବାଡି ଆଦି ଖେଳ ଯୁବକ, ଯୁବତୀ ବୟସ୍କଙ୍କ ମଧ୍ୟରେ ଆୟୋଜନ ହୋଇଥାଏ । ପ୍ରଥାମ ଥର ପାଇଁ ଜାତୀୟ ସ୍ତରରେ ଏହା ଆୟୋଜନ ହୋଇଛି । ରାଜ୍ୟ ସରକାର ମଧ୍ୟ ଏଥିରେ ସହଯୋଗ କରୁଛନ୍ତି । ଖେଳକୁ ପ୍ରାଧାନ୍ୟ ଦେଉଛନ୍ତି । ସେଥିପାଇଁ ବିଦେଶରେ ଖେଳକୁ ନେଇ ଆମ ରାଜ୍ୟକୁ ଚର୍ଚ୍ଚା ହେଉଛି ।
ଆଜିଠାରୁ ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ ଖେଳାଯିବ ମ୍ୟାଚ୍ । ପ୍ରତିଯୋଗିତାରେ ୮ଟି ରାଜ୍ୟରୁ ୮ଟି ଟିମ୍ ଅଂଶଗ୍ରହଣ କରିବେ । ଆଜି ଢେଙ୍କାନାଳ ଷ୍ଟାଡିୟମରେ ଉଦଘାଟନୀ ଉତ୍ସବ ସହ ଦୁଇଟି ମ୍ୟାଚ ଖେଳାଯିବ । ପରେ ତାଳଚେର ଓ ଅନୁଗୋଳରେ ଖେଳ ଅନୁଷ୍ଠିତ ହେବ । ଏହାଦ୍ୱାରା ଯୁବପିଢି ଉତ୍ସାହିତ ହେବେ । ଆଗାମୀ ଦିନରେ ଢେଙ୍କାନାଳର ପ୍ରତ୍ୟେକ ସ୍କୁଲରେ ମଧ୍ୟ ଖେଳ ଆୟୋଜନ ହେବ ।