ମାଲକାନଗିରି, ମାଲାକାନଗିରି ଜିଲ୍ଲା ପଡିଆ ବ୍ଲକରେ ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ପଞ୍ଚାୟତ ସମିତି ପଡିଆ ଠାରେ ଗତକାଲି ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ଵର ନାୟକ, ବ୍ଲକ ଅଧ୍ୟକ୍ଷା ଯମୁନା ମୁସାକ୍ଷି, ବିଡିଓ ରାମକୃଷ୍ଣ ନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁବ୍ରତ ସାମଲ, ବ୍ଲକ ନିର୍ବାହୀ ଯନ୍ତ୍ରୀ ବିଷ୍ନୁ ପ୍ରସାଦ ମହାପାତ୍ର, ଏପିଓ ମନୋଜ ବିଡିକା, ବ୍ଲକ ସାମାଜିକ କର୍ମୀ ମୁରଲୀ କ୍ରିଷ୍ଣା, ଜିଲ୍ଲା ପରିଷଦ ସଭ୍ୟ ସୁରଭି ଭୌମିକ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିବା ବେଳେ ସାମାଜିକ ସୁରକ୍ଷା ଶିବିରରେ ବ୍ଲକର ସମସ୍ତ କନିଷ୍ଠ ଯନ୍ତ୍ରୀ, ପିଇଓ, ଜିଆରଏସ, ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ। ଏହି ଜନ ଶୁଣାଣିରେ ପଡିଆ ବ୍ଲକ ଅନ୍ତର୍ଗତ ୮ ଟି ପଞ୍ଚାୟତରେ ଚାଲିଥିବା ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ବାବଦରେ ମୋଟ ୫୩ ଜଣ ଲୋକ ମୃତ୍ୟୁବରଣ କରିଥିଲେ ସୁଦ୍ଧା ଅଦ୍ୟାବଧି ସେମାନଙ୍କୁ ଭତ୍ତା ବଣ୍ଟନ କରାଯାଉଥିବା ଜଣାପଡିଛି। ଏହି ଭତ୍ତା ଟଙ୍କାକୁ ବାଟମାରଣା କରାଯାଇଥିବା ଅଭିଯୋଗ ହୋଇଛି। ସେହିପରି ମନରେଗା ଯୋଜନାରେ ମଧ୍ୟ ଲକ୍ଷାଧିକ ଟଙ୍କା ଦୁର୍ନୀତି ହୋଇଥିବା ଜନ ଶୁଣାଣିରୁ ଜଣାପଡିଛି। ମୋ ପୋଖରି ଯୋଜନା, ଚାଷ ଜମି ସମତଳ ଯୋଜନା ଏବଂ ଅନ୍ୟାନ୍ୟ ଯୋଜନାରେ ଅର୍ଥ ଆତ୍ମସାତ୍ କରାଯାଇଥିବା ଜଣାପଡିଛି।
ସୂଚନା ଅନୁଯାୟୀ, ପଡିଆ ପଞ୍ଚାୟତ ବେଟୀ ସୁକୁରାଙ୍କ ମୋ ପୋଖରୀ ଯୋଜନାରେ ଧାର୍ଯ୍ୟ ଅର୍ଥ ଠାରୁ ଅଧିକ ୩୨ ୮ ୮ ୭ ଟଙ୍କା ପୈଠ କରାଯାଇଛି। ସେହିପରି ଗୋଲାଗୁଡା ଗ୍ରାମରେ ୨୦ ଗୋଟି ଚାଷଜମି ସମତଳ କରିବା ପାଇଁ ଧାର୍ଯ୍ୟ ଅର୍ଥ ଠାରୁ ୭୪,୭୫୪ ଟଙ୍କା ଅଧିକ ପ୍ରଦାନ କରାଯାଇଥିବା ଜଣାପଡିଛି। ସେହିପରି ମାଟେରୁ ପଞ୍ଚାୟତ ଅନ୍ତର୍ଗତ ଟାକେଲଗୁଡା ଗ୍ରାମରେ ୨୦ ଟି ଜମି ସମତଳ ପାଇଁ ଧାର୍ଯ୍ୟ ମୂଲ୍ୟ ଠାରୁ ଅଧିକ ୮୧୨୨ ଟଙ୍କା ଅଧିକ ଅର୍ଥ ପ୍ରଦାନ କରାଯାଇଛି। ସେହିପରି ଆଇଟିଡିଏ ପକ୍ଷରୁ ଶିମିଳିବାଞ୍ଛା ପଞ୍ଚାୟତ ଭାଲମପାଲୀ ଗ୍ରାମ ଠାରେ ଓ ଟିଏଲପି ଦ୍ଵାରା କାଜୁ ଚାରା ରୋପଣ ପାଇଁ ମୋଟ ୩ ହଜାର ଚାରା ଲାଗିବାର ବ୍ୟବସ୍ଥା ଥିବାବେଳେ ମାତ୍ର ଗୋଟିଏ ଗଛ ରହିଛି। ଏହା ବାବଦକୁ ୨୮ ଲକ୍ଷ ୫ ୬ ହଜାର ଟଙ୍କା ଅଟକଳ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୪ ଲକ୍ଷ ୨୭ ହଜାର ୫୫୭ ଟଙ୍କା ବ୍ୟୟବରାଦ ହୋଇ ଟଙ୍କା ଉଠାଣ କରାଯାଇଛି।
ଅନ୍ୟପକ୍ଷରେ ସେହି ଗ୍ରାମରେ ସମାନ ଯୋଜନାରେ ୩ ହଜାର କାଜୁ ଗଛରୁ ୩୭୫ ଟି ଗଛଥିବା ବେଳେ ଅନ୍ୟ ଗଛ ଗୁଡିକ ଗାଏବ ହୋଇଯାଇଛି। ଏହାର ଅଟକଳ ମୂଲ୍ୟ ୨୭ ଲକ୍ଷ ୬୧୦୦ ଟଙ୍କା ଥିବା ବେଳେ ଏଥିରୁ ୧୫ ଲକ୍ଷରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହୋଇଯାଇଛି। ଏଥିସହ ଉକ୍ତ କାର୍ଯ୍ୟ ମନରେଗା ଯୋଜନା ଅନ୍ତର୍ଭୁକ୍ତ ହୋଇଥିବାରୁ ସ୍ଥାନୀୟ ଜବକାର୍ଡ ଧାରୀଙ୍କ ଦ୍ଵାରା କରାଯିବାର ବ୍ୟବସ୍ଥା ଥିବା ବେଳେ ଜିଲ୍ଲା ବାହାରୁ ଶ୍ରମିକ ଆଣି କାର୍ଯ୍ୟ କରାଯାଇଥିବାର ବ୍ଲକ ପ୍ରଶାସନ ପାଖରେ ଅଭିଯୋଗ ହୋଇଛି। ଏହାକୁ ଅତିରିକ୍ତ ଜିଲ୍ଲାପାଳ ଗୁରୁତର ସହ ଗ୍ରହଣ କରି ବିଡିଓଙ୍କୁ ତଦନ୍ତ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବ୍ଲକ ରେ ଲାଇନ ବିଭାଗ ପକ୍ଷରୁ ହେଉଥିବା ମନରେଗା କାର୍ଯ୍ୟଗୁଡ଼ିକର ଫଳକ ଲଗା ନ ଯାଇ ବିଲ ପ୍ରସ୍ତୁତ କରି ଅର୍ଥ ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି।
ସଭା ଶେଷରେ ଉଣ୍ଡରୁକଣ୍ଡା ଓ ଗିରକାନପଲ୍ଲୀ ପଞ୍ଚାୟତର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଏନ. ହୃଷୀକେଶ ରାଓଙ୍କୁ ଶ୍ରେଷ୍ଠ ପିଇଓ, ଶ୍ରେଷ୍ଠ ଯନ୍ତ୍ରୀ ଭାବେ ବାପନପଲ୍ଲୀ ପଞ୍ଚାୟତର କାମିନି କାନ୍ତ ସି ଓ ଶ୍ରେଷ୍ଠ ଜିଆରଏସ ଭାବେ ବାପନପଲ୍ଲୀ ପଞ୍ଚାୟତର ଏଲ. ତ୍ରିନାଥଙ୍କୁ ଅତିଥି ମାନେ ସମ୍ମାନିତ କରିଥିଲେ।