ଭୁବନେଶ୍ୱର, ରାଜଧାନୀ 7 ଭୁବନେଶ୍ୱର ସହର ଭିତରେ ମଙ୍ଗଳବାର ବିଳମ୍ବିତ ରାତ୍ରୀରେ ହାତୀ ପ୍ରବେଶ କରିଥିଲା । ବନ ବିଭାଗକୁ ଉକ୍ତ ହାତୀକୁ ଟ୍ରାଙ୍କୁଲାଇଜ କରିବାକୁ ନାକେଦମ ହେବାକୁ ପଡିଥିଲା । ଶେଷରେ ବହୁ ଚେଷ୍ଟାରେ ବନ ବିଭାଗର ଅଧିକାରୀ ମାନେ ହାତୀକୁ ଟ୍ରାଂକୁଲାଇଜ କରିବାରେ ସଫଳ ହୋଇଥିଲେ ।
ମିଳିଥିବା ସୂଚନା ଅନୁସାରେ ହାତୀଟି ମଧ୍ୟରାତ୍ରି ପ୍ରାୟ ସାଢେ ୧୨ଟାରେ ପ୍ରଥମେ ଧଉଳି ଅଞ୍ଚଳରେ ଦେଖିବାକୁ ମିଳିଥିଲା। ଦିନ ବେଳା ପିପିଲିରେ ଥିବା ଏହି ହାତୀ ଧଉଳିକୁ ଚାଲି ଆସି ଗ୍ୟାରେଜ ଛକ ଦେଇ ହାତୀ ଲିଙ୍ଗରାଜ ମନ୍ଦିର ନିକଟରେ ପହଞ୍ଚିଥିଲା। ଏହାପରେ ହାତୀଟି ସୁନ୍ଦରପଦା ଅଞ୍ଚଳରେ ପହଁଞ୍ଚିଥିଲା। ଏହା ପରେ ବନ ବିଭାଗ ପକ୍ଷରୁ ତାକୁ ଘଉଡାଇବାକୁ ପ୍ରୟାସ ଆରମ୍ଭ ହୋଇଯାଇଥିଲା । ହାତୀ ଘଉଡ଼ାଇବାରେ ବନ ବିଭାଗର ଟିମ୍, ପୋଲିସର ଏକାଧିକ ଟିମ୍ ପ୍ରାୟ ୬୦ରୁ ଅଧିକ କର୍ମଚାରୀ ହାତୀ ଘଉଡ଼ାଇବାକୁ ଏହି ଟିମ୍ରେ ନିୟୋଜିତ ହୋଇଥିଲେ। ଖୋର୍ଦ୍ଧା ବନ ବିଭାଗ, ସିଟି ଫରେଷ୍ଟ ଡିଭିଜନ ଡିଏଫ୍ଓ ମଧ୍ୟ ସାମିଲ ହୋଇଥିଲେ। ହାତୀକୁ ଘଉଡ଼ାବାକୁ ପ୍ରାୟ ୩ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା। ଶେଷରେ ଆଜି ସକାଳେ ବନ କର୍ମଚାରୀ ହାତୀଟିକୁ ଆଇଗିଣିଆ ଅଞ୍ଚଳରେ ଟ୍ରାଙ୍କୁଲାଇଜ କରିଥିଲେ।