
ଖୋର୍ଦ୍ଧା, ଟ୍ରକ୍-କାର୍ ମୁହାଁମୁହିଁ ଧକ୍କାରେ ୩ ଜଣଙ୍କ ମୃତ୍ୟୁ ଘଟିଛି । ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ପଂଚୁକୋଟ ଅଭିନନ୍ଦନ ଢାବା ନିକଟରେ ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ବୋଲଗଡ଼ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି।
ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ଏକ କାର୍ ଭୁବନେଶ୍ଵରରୁ ନୟାଗଡ଼ ଅଭିମୁଖେ ଯାଉଥିବା ବେଳେ ପଂଚୁକୋଟ ଢାବା ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ହୋଇଛି । ଖବରପାଇ ବୋଲଗଡ଼ ପୋଲିସ ଘଟଣାସ୍ଥଳରେ ପହଂଚି ଦୁର୍ଘଟଣାଗସ୍ତ କାର୍ ଭିତରୁ ୩ ମୃତଦେହ ଉଦ୍ଧାର କରି ଖୋର୍ଦ୍ଧା ଜିଲ୍ଲା ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ପ୍ରାଥମିକ ସୂଚନାରୁ କାର ଯାତ୍ରୀମାନେ ଗୁଜରାଟର ବୋଲି ଜଣାପଡ଼ିଛି । ମୃତକଙ୍କ ପରିଚୟ ମିଳିପାରିନାହିଁ । ତେବେ ଦୁର୍ଘଟଣା ଘଟାଇ ଟ୍ରକ୍ ଚାଳକ ସେଠାରୁ ଫେରାର ହୋଇଯାଇଥିବା ବେଳେ ପୋଲିସ ଗାଡି ଦୁଇଟିକୁ ଜବତ କରି ତଦନ୍ତ ଜାରି ରଖିଛି ।