
ସାକ୍ଷିଗୋପାଳ, ପବିତ୍ର କାର୍ତିକ ମାସ ଶୁକ୍ଳପକ୍ଷ ନବମୀ ତିଥି ଓ ପବିତ୍ର ଅଁଳା ନବମୀରେ ଆଜି ଶ୍ରୀରାଧାଙ୍କ ପାଦ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ । ଏହି ବିଶେଷ ତିଥିରେ ଶ୍ରୀକୃଷ୍ଣଙ୍କ ନଟବର ବେଶ ଓ ମା ରାଧାରାଣୀଙ୍କ ଓଡ଼ିଆଣୀ ବେଶ ଦର୍ଶନ ସାଙ୍ଗକୁ ପାଦଦର୍ଶନ ପାଇଁ ରାଜ୍ୟର ପ୍ରମୁଖ ବୈଷ୍ଣବ କ୍ଷେତ୍ର ସାକ୍ଷୀଗୋପୀନାଥଙ୍କ ପୀଠରେ ଲକ୍ଷାଧିକ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଦୀର୍ଘ ୨ ବର୍ଷର କରୋନା କଟକଣା ପରେ ଚଳିତ ବର୍ଷ ଭକ୍ତମାନେ ଏହି ଦୁର୍ଲ୍ଲଭ ବେଶ ଦର୍ଶନର ସୁଯୋଗ ପାଇଛନ୍ତି । ଭକ୍ତ ମାନେ ଘଂଟା ଘଂଟା ଧରି ଧାଡିରେ ପ୍ରତୀକ୍ଷା ପୂର୍ବକ ମା ରାଧାରାଣୀଙ୍କ ପାଦ ଦର୍ଶନ କରିଛନ୍ତି । ଭକ୍ତ ମାନେ ବ୍ୟାରିକେଡ୍ ଦେଇ ଯାଇ ସିଂହଦ୍ଵାରରେ ପ୍ରବେଶ ପୂର୍ବକ ଦର୍ଶନ ଓ ବେଢ଼ା ପରିକ୍ରମା କରି ଉତର ଦ୍ଵାରରେ ପ୍ରସ୍ଥାନ କରୁଛନ୍ତି । ସେହିପରି ଭିଆଇପି ପାସ୍ ଧାରୀ ମାନେ ଦକ୍ଷିଣ ଦ୍ଵାରରେ ପ୍ରବେଶ ପୂର୍ବକ ଦର୍ଶନ ଓ ବେଢ଼ା ପରିକ୍ରମା କରି ଉତର ଦ୍ଵାରରେ ପ୍ରସ୍ଥାନ କରୁଛନ୍ତି । କାର୍ତିକ ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ଜଗଦ୍ଧାତ୍ରୀଙ୍କ ପୂଜା, ଶ୍ରୀ ରାଧାଙ୍କ ପାଦ ଦର୍ଶନ, ବେଢ଼ା ପରିକ୍ରମା ଓ ମନ୍ଦିର ବେଢ଼ାରେ ଥିବା ଅଁଳା ବୃକ୍ଷ ମୂଳେ ପୂଜାର୍ଚ୍ଚନା କଲେ ଅଶେଷ ପୂର୍ଣ୍ଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ଵାସ ରହିଛି ।
ଏହି ଅବସରରେ ସାକ୍ଷୀଗୋପୀନାଥଙ୍କୁ ନଟବର ବେଶରେ ଓ ଶ୍ରୀ ରାଧାଙ୍କୁ ଓଡ଼ିଆଣୀ ବେଶରେ ସଜ୍ଜିତ କରାଯାଇଥିଲା । ଏହି ବେଶରେ ଶ୍ରୀକୃଷ୍ଣଙ୍କୁ ସୁବର୍ଣ୍ଣ ମୁକୁଟ, ସୁବର୍ଣ୍ଣ ବଂଶୀ, କୁଣ୍ଡଳ, ହୀରା ମୁଦି ଆଦି ଆଭୂଷଣ ଲାଗି ହୋଇଛି । ସେହିପରି ଶ୍ରୀ ରାଧାଙ୍କୁ ସୁବର୍ଣ୍ଣ କିରଟୀ, ପାଉଁଜି, ଗୁଣା, ଚନ୍ଦ୍ରହାର, ଶିକୁଳି, ଖଡ଼ୁ, ନୋଥ ଏବଂ ଅଁଳା ମାଳ, ପୋହଳା ମାଳ ଆଦି ଆଭୂଷଣ ଲାଗି ହୋଇଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ମାଙ୍କ ପାଦପଦ୍ମ ବର୍ଷସାରା ଆବୃତ ରହିଥାଏ । ଆଜିର ଏହି ବିଶେଷ ତିଥିରେ ମାଙ୍କ ଓଡ଼ିଆଣୀ ବେଶ ଦର୍ଶନ ସାଙ୍ଗକୁ ଭକ୍ତଙ୍କୁ ପାଦ ଦର୍ଶନର ସୌଭାଗ୍ୟ ମିଳିଥାଏ ।
ଆଜିର ଏହି ବିଶେଷ ନୀତିକାନ୍ତି ପାଇଁ ରାତି ୧ଟାରେ ମନ୍ଦିର ଦ୍ଵାରଫିଟା, ୧ଟା ୩୦ରେ ମଙ୍ଗଳଆଳତୀ, ରାତି ୧ଟା ୩୦ ରୁ ୩ଟା ମଧ୍ୟରେ ବେଶ, ମଇଲମ, ମର୍ଦ୍ଦନ, ଅବକାଶ ଏବଂ ନଟବର ବେଶ ସମ୍ପନ୍ନ ହୋଇଥିଲା । ରାତି ୩ଟାରୁ ଭୋର୍ ସାଢ଼େ ୪ଟା ମଧ୍ୟରେ ସୂର୍ଯ୍ୟପୂଜା, ଦ୍ଵାରପାଳ ପୂଜା, ବଲ୍ଲଭ, ସକାଳ ଧୂପ, ବାଳଧୂପ ନୀତି ସମ୍ପନ୍ନ ହୋଇଥିଲା । ଭୋର୍ ସାଢ଼େ ୫ଟା ଠାରୁ ସକାଳ ୬ଟା ପର୍ଯ୍ୟନ୍ତ ମନ୍ଦିର କର୍ମଚାରୀ ଓ ସେବାୟତ ପରିବାର ଦର୍ଶନ କରିଥିଲେ । ସକାଳ ୬ଟା ଠାରୁ ସାହାଣମେଲା ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା । ସଂନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଦର୍ଶନ ଚାଲିବ । ଏହାପରେ ପାଳିଆ ପରିବର୍ତନ ନିମନ୍ତେ ଅପରାହ୍ନ ୫ଟା ଠାରୁ ୬ଟା ପର୍ଯ୍ୟନ୍ତ ୧ ଘଂଟା ପାଇଁ ଦର୍ଶନ ବନ୍ଦ ରହିବ । ଏହାପରେ ସଂନ୍ଧ୍ୟା ୬ଟା ଠାରୁ ରାତି ସାଢ଼େ ୧୧ଟା ପର୍ଯ୍ୟନ୍ତ ସାହାଣ ମେଲା ସର୍ବସାଧାରଣ ଦର୍ଶନ ଅନୁଷ୍ଠିତ ହେବ । ଏହାପରେ ପରବର୍ତି ଦେବନୀତି ଆରମ୍ଭ ହେବ ଏବଂ ପହୁଡ଼ ପଡିବ ବୋଲି ଶ୍ରୀ ଶ୍ରୀ ସାକ୍ଷୀଗୋପାଳ ସେବାୟତ ସଂଘ ସୂତ୍ରରୁ ପ୍ରକାଶ ।
ଏହା ବ୍ୟତୀତ ପଂଚସଖା ପଡିଆରେ ବିଭିନ୍ନ ପ୍ରକାର ଫୁଡ୍, ଅନ୍ୟାନ୍ୟ ଷ୍ଟଲରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ଭଳିକି ଭଳି ଦୋଳି ନିକଟରେ ପିଲାଙ୍କ ଭିଡ଼ ଲାଗିଛି । ସଂନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ ।
ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ଭିଡ଼ ନିୟନ୍ତ୍ରଣ ପାଇଁ ମନ୍ଦିର ଭିତରେ ଓ ବାହାରେ ୨୦ ପ୍ଲାଟୁନ ଫୋର୍ସ ମୁତୟନ ରହିଛନ୍ତି । ୫୦ ଜଣ ଅଫିସର ଏହାର ତଦାରଖ କରୁଛନ୍ତି । ମନ୍ଦିର ଚୁର୍ତୁପାର୍ଶ୍ଵ, ରେଳ ଫାଟକ, ବଜାର, ବସଷ୍ଟାଣ୍ଡ, କଲେଜ ଛକ ଆଦି ସ୍ଥାନରେ ପୋଲିସ ମୁତୟନ ହୋଇଛନ୍ତି । ବିଭିନ୍ନ ସ୍କୁଲ କଲେଜ, ଏନସିସି, ସ୍କାଉଟ୍ ଏବଂ ବିଭିନ୍ନ ସ୍ଵେଚ୍ଛାସେବୀ ସଂଗଠନ ପକ୍ଷରୁ ଶ୍ରଦ୍ଧାଳୁ ମାନଙ୍କୁ ଜଳସେବା ଯୋଗାଇ ଦିଆଯାଇଛି । ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଫାଷ୍ଟ ଏଡ୍ ବ୍ୟବସ୍ଥା କରାଯାଇଛି । ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ, ସ୍ଵାସ୍ଥ୍ୟ, ପାନୀୟ ଜଳ ଓ ପରିମଳ ବ୍ୟବସ୍ଥା ଉପରେ ପଦକ୍ଷେପ ଗ୍ରହଣ କରାଯାଇଛି ।