ପୁଣ୍ୟଭୂମି ଉତ୍କଳ ଜନନୀ କୋଳରେ କେତେଜଣ କୃତବିଦ୍ୟ ଯୋଗଜନ୍ମା ଜନ୍ମଗ୍ରହଣ କରି ଜାତିକୁ ଧନ୍ୟ କରିଛନ୍ତି, ସେମାନଙ୍କ ମଧ୍ୟରେ ସର୍ବସ୍ଵତ୍ୟାଗୀ ନିଷ୍କାମସନ୍ଥ ପୁଣ୍ୟାତ୍ମା ପ୍ରଚାରକ ଅନନ୍ତ ମିଶ୍ରଙ୍କ ନାମ ଏଠାରେ ଉଲ୍ଲେଖଯୋଗ୍ୟ । ଜୀବନର ଶେଷ ସଂଗ୍ରାମ ଯାଏଁ ଅଖିଆ ଅପିଆ ହୋଇ ଦେଶ ଓ ଜାତିର ତଥା ଜନ୍ମଭୂମିର ସ୍ଵତନ୍ତ୍ରତାକୁ ଲକ୍ଷ୍ୟ କରି ଲୁହକୁ ଲହୁ କରି କେତେ ଯେ ପୁରପଲ୍ଲୀ ଗିରିବନପ୍ରାନ୍ତର ଅମଡ଼ାପଥକୁ ଅତିକ୍ରମ କରି ଯେଉଁ ଜନ ଜାଗରଣ ସୃଷ୍ଟି କରିଥିଲେ ତାର ପଟାନ୍ତର ନାହିଁ । ସେହି ପୁଣ୍ୟାତ୍ମା ପ୍ରଚାରକ ଅନନ୍ତ ମିଶ୍ର ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ନିକଟବର୍ତୀ ଶ୍ରୀରାମଚନ୍ଦ୍ର ପୁର ଗ୍ରାମରେ ପିତା ରାମଚନ୍ଦ୍ର ମିଶ୍ର ମାତା ମୁକ୍ତାଦେବୀଙ୍କ ଔରସରୁ ସର୍ବ କନିଷ୍ଠ ପଂଚମପୁତ୍ର ସନ୍ତାନ ଭାବରେ ୧୮୮୪ ମସିହା ଅକ୍ଟୋବର ମାସ ଶୁକ୍ଳ ନବମୀ ତିଥିରେ ଜନ୍ମଗ୍ରହଣ କରି ଭାରତଭୂମିର ଉତ୍କଳ ଆକାଶରେ ଅମଳିନ ଜ୍ୟୋତିଷ୍କ ଭାବରେ ପ୍ରତିଭାତ ହୋଇରହିଥିବେ । ଏହି ମହାତ୍ମାଙ୍କ ଲିଖିତ ଡାଇରି ହୁଏତ ଆଜି ଯଦି ସଂକଳିତ ହୋଇଥାଆନ୍ତା ତେବେ ଦେଶର ସାହିତ୍ୟ ପ୍ରଗତିରେ ବିଶେଷ ସହାୟକ ହୋଇ ପାରିଥାଆନ୍ତା ବୋଲି ଅଶ୍ରୁସିକ୍ତ ନୟନରେ ସଖା ଅନନ୍ତଙ୍କୁ ମନେପକାଇ ପଣ୍ଡିତ ନୀଳକଣ୍ଠ ଦାସ ଝୁରିହେଉଥିଲେ । ସମଗ୍ର ଉତ୍କଳୀୟଙ୍କର ଦୁଃଖ, ସୁଖ, କଳା, ସଂସ୍କୃତି ,ସାହିତ୍ୟ ସହିତ ଉତ୍କଳର ଏକତା ଓ ଅଖଣ୍ଡତାକୁ ନିଜ ଜୀବନର ବ୍ରତ ମନେକରି ଘରଦ୍ଵାର ପିଲାଛୁଆଙ୍କୁ ଭୁଲିଯାଇ ଯେଉଁ ମହାନତା ଦେଖାଇଯାଇଛନ୍ତି ତାହା ଅବିସ୍ମରଣୀୟ । ଅନନ୍ତ ଓଡ଼ିଆ ଜାତିର ଜୀବନଚର୍ଯ୍ୟାକୁ ନିଜ ଡାଇରିରେ ଲେଖି ତାହାକୁ ସେ ସମୟର ‘ଆଶା’ ପତ୍ରିକାରେ ପ୍ରକାଶିତ କରି ଦେଶର ଲୋକଙ୍କୁ ଗୋଟିଏ ସୂତାରେ ଯୋଡ଼ିବାର ପ୍ରୟାସକୁ ଆପଣେଇଥିଲେ । ଏପରି କୌଶଳ ତାଙ୍କୁ ବେଶ୍ ଜଣାଥିଲା । ଓଡ଼ିଆ ଭାଷାଭାଷୀ ଅଂଚଳର ଏକତ୍ରୀକରଣ ନିମନ୍ତେ ସେ ଉପାନ୍ତ ଅଂଚଳର ସଢ଼େଇକଳା, ଖରସୁଆଁ, ତାମ୍ରଲିପି, ବସ୍ତର, ଜଳନ୍ତର, ଚକ୍ରଧର ପୁର, ମେଦିନୀପୁର, ସିଂହଭୂମି, ତରଳା, ମୁକ୍ତାପୁର ପ୍ରଭୃତି ଅଂଚଳରେ ଓଡି଼ଆ ବିଦ୍ୟାଳୟ ପ୍ରତିଷ୍ଠା କରିବାଠାରୁ ଆରମ୍ଭ କରି ବିଭିନ୍ନ ପାଣ୍ଠି ଗଠନ କରି ଯେଉଁ ମହତ୍ଵପୂର୍ଣ୍ଣ ପରାକାଷ୍ଠା ଦେଖାଇଗଲେ ଏପରି ବ୍ୟକ୍ତିତ୍ଵ ଆଉ ଜନ୍ମହେବେ ନାହିଁ ବୋଲି ଆଚାର୍ଯ୍ୟ ହରିହର ଦାସ କଇଁ କଇଁ ହୋଇ କାନ୍ଦି କହି ପକାଉଥିଲେ । ତରଳା ରାଜ୍ୟର ମୁକ୍ତାପୁର ସମ୍ମିଳନୀରେ ଶୀର୍ଷକ “ଜଗତର ଲୋକସମାଜର ଆଦିଗଠନ ଠାରୁ ମାନବ ସଭ୍ୟତାର କ୍ରମୋନ୍ନତି” ସଂପର୍କରେ ଦୀର୍ଘ ତିନିଘଂଟା ଭାଷଣଦେଇ ସ୍ଥିର ଓ ନିର୍ନିମେଷ ଜନତା ମୁଗ୍ଧ ଓ ଅଭିଭୂତ ହୋଇ ଅନନ୍ତଙ୍କୁ ଦେବତା କହି ସମ୍ବୋଧନ କରୁଥିଲେ । ପଣ୍ଡିତ ଅନନ୍ତ ମିଶ୍ରଙ୍କୁ ଯେଉଁ ‘ପ୍ରଚାରକ’ ଉପାଧି ମିଳିଥିଲା ତାହା କେହି ସଭାସମିତି କରି ତାଙ୍କୁ ଯାଚିକରି ‘ପ୍ରଚାରକ’ ଉପାଧି ଦେଇନାହିଁ । କେବଳ ତାଙ୍କର ପ୍ରଚଣ୍ଡ ବାଗ୍ମୀତା ଏବଂ ଧୀଶକ୍ତି ବଳରେ ଉତ୍କଳର ଜନମାନସ ତାଙ୍କୁ ପ୍ରଚାରକ ବୋଲି ସମ୍ବୋଧନ କରିଥାନ୍ତି । ଥରେ ମନୀଷି ନୀଳକଣ୍ଠଙ୍କ ଲିଖିତ ‘ନିଶ’ ଗଳ୍ପଟି ସମଗ୍ର ଓଡ଼ିଶାରେ ଚହଳ ସୃଷ୍ଟି କଲା । ପୁରୀ ମୁକ୍ତି ମଣ୍ଡପ ସଭା ଏହି ନିଶଗଳ୍ପକୁ ନେଇ ନୀଳକଣ୍ଠ ଦାସଙ୍କ ଉପରେ ଅକଥନୀୟ ଅତ୍ୟାଚାର ଚଳାଇଲେ । ଏ ପରିସ୍ଥିତିରେ ଅନନ୍ତ ମିଶ୍ରଙ୍କର ଶାଣିତ ସ୍ଵରର କମାଲ ନୀଳକଣ୍ଠଙ୍କୁ ମୃତ୍ୟୁ ମୁଖରୁ ରକ୍ଷା କରିଦେଲା । ସମସ୍ତଙ୍କର ପ୍ରିୟ ଅନନ୍ତଙ୍କ ଭାଷଣରେ ଏପରି ଯାଦୁ ଥିଲା ଯେ ଷୋହଳ ଶାସନ ବ୍ରାହ୍ମଣମାନେ ଆଉ ପାଟି ଖୋଲିଲେ ନାହିଁ । ନିଜେ ଅନନ୍ତ ଦାଢ଼ିକାଟି ନିଶରଖି ସମାଜରେ ସଂସ୍କାର ଆଣିବାରେ ସହାୟ ହୋଇଥିଲେ । ଅନନ୍ତଙ୍କର ଏତାଦୃଶ ଗୁଣକୁ ଆଚାର୍ଯ୍ୟ ହରିହର ବହୁପୂର୍ବରୁ ତଉଲି ଜାଣିଥିଲେ ଯେ ଅନନ୍ତ ନିଶ୍ଚୟ ‘ଭଲ ମଣିଷଟିଏ ହେବ’ । ଆଚାର୍ଯ୍ୟ ମହାଶୟଙ୍କର ଏହି ବାଣୀଟି ମହାବାଣୀ ହୋଇ ଜଗତ କଲ୍ୟାଣ ନିମିତ କାଳକାଳକୁ ଉପଯୋଗ ହୋଇ ରହିଲା । ଅନନ୍ତ ଯେ ଆହୁରି ସୁନାମ ଅର୍ଜନ କରନ୍ତୁ ଦେଶଜାତିର ନାଁ ରଖନ୍ତୁ ଏପରି ସ୍ଵପ୍ନ ଆଚାର୍ଯ୍ୟ ମହାଶୟ ଦେଖୁଥିଲେ । ଏ ଦୁହେଁ ଥିଲେ ଶଳା ଭିଣୋଇ ଏବଂ ସାଥି । ଏ ଦୁହିଁଙ୍କର ପଡ଼ିଶାଘର ଥିଲେ ନୀଳକଣ୍ଠ । ଉଭୟେ ଅନନ୍ତ ଓ ନୀଳକଣ୍ଠଙ୍କ ତ୍ୟାଗମନୋବୃତିକୁ ଆଚାର୍ଯ୍ୟ ମହାଶୟ ଜାଣି ଗୋପବନ୍ଧୁ ଦାସଙ୍କ ଗାଁ କୁ ଡାକି ନେଇଥିଲେ । ସେଦିନ ଗୋପବନ୍ଧୁଙ୍କ ଗାଁ ରେ ଭାଗବତ ସପ୍ତା ଚାଲିଥାଏ । ଶେଷରେ ଭାଗବତଙ୍କ ପାଖରେ ଅନ୍ନ ପ୍ରସାଦ ଭୋଗଲାଗିଥିଲା, ହେଲେ ପଂକ୍ତି ଭୋଜନରେ ବିଭେଦତା ଦେଖି ଅନନ୍ତ ତାହାର ଘୋର ବିରୋଧ କଲେ । ଜାତିଭେଦଠାରୁ ବହୁ ଊର୍ଦ୍ଧ୍ଵରେ ସେ । ଏ କଥା ଗୋପବନ୍ଧୁ ବାବୁ ଜାଣି ବହୁ ସାବାସି ଜଣାଇଲେ ଏବଂ କହିଲେ ଅନନ୍ତ ଆମ ସଭିଙ୍କର ଆଦର୍ଶ ହେବ । ସେହିଦିନ ଠାରୁ ଅନନ୍ତ ମିଶ୍ର ହୋଇଗଲେ ବାବୁ ଗୋପବନ୍ଧୁଙ୍କର ଚଳନ୍ତି ବିଗ୍ରହ । ଗୋପବନ୍ଧୁଙ୍କ ପ୍ରତ୍ୟେକ କାର୍ଯ୍ୟରେ ଅନନ୍ତ ଆଗହୋଇ ଯାଆନ୍ତି । ସେଦିନ ଉତ୍କଳର ଭାଗ୍ୟାକାଶରୁ ତମସା ଲୁଚିଗଲାପରି ପ୍ରତୀୟମାନ ହେଉଥିଲା । ଏହି ଶୁଭସନ୍ଧିକ୍ଷଣର ଅପୂର୍ବ ସଂଯୋଗକୁ ବୋଧହୁଏ ଉତ୍କଳମାତା ଅପେକ୍ଷିତ ଥିଲା । ଏହି ଚାରିଜଣ ସଖା ଭାର୍ଗବୀ ନଦୀର କୂଳରେ ଅବସ୍ଥିତ ମା ଜାଗେଶ୍ୱରୀଙ୍କ ପାଖରେ ଚାଂଚ ପକାଇ ବସି ଓଡ଼ିଆଜାତିର ଭବିଷ୍ୟତ କଥା ଚିନ୍ତା କରୁଥାନ୍ତି । ନଦୀର ଅନତି ଦୂରରେ କୁଢ଼ କୁଢ଼ ମୁର୍ଦାର ପଡ଼ିଥାଏ । ଲୋକେ ପୋଡ଼ିପାରୁ ନଥାନ୍ତି । ସେତେବେଳେ ସେ ଅଂଚଳରେ ହଇଜା ବ୍ୟାପିଥିବାରୁ ଗାଁ ଗାଁରେ କୋକୁଆ ଭୟ । ସଞ୍ଜ ହେଲେ ସମସ୍ତେ ଘରେ ଭୟରେ ଥାଆନ୍ତି । ଏପରିସ୍ଥଳେ ଚାରିଜଣଙ୍କ ମନରେ ଜାତୀୟ ଉନ୍ମାଦନା ସର୍ବାଙ୍ଗ ଶରୀରକୁ ଜାଗ୍ରତ କରାଇଦେଲା । ସଭିଏଁ ଏକସ୍ଵରରେ କହିବାକୁ ଲାଗିଲେ -” ଆମେ ପାଠପଢ଼ି ସରକାରୀ ଚାକିରୀ କରିବା ନାହିଁ । ଦେଶ ପାଇଁ କିଛି କରିବା । ଜନ୍ମବେଳେ ଦେଶକୁ ଯାହା ଦେଖିଥାଇଁ ତା’ଠାରୁ ଉନ୍ନତ ଦେଖି ମରିବା । ” ଏହା ହିଁ ଥିଲା ବଜ୍ର ଶପଥ । ଏହି ପ୍ରତିଜ୍ଞାକୁ ଅନନ୍ତ ନିଜ ମସ୍ତକରେ ବହନ କରି ପାଠପଢ଼ା ଛାଡ଼ିଦେଲେ । ଘରଦ୍ଵାର ପରିତ୍ୟାଗ କରିଦେଲେ । ଶେଷରେ ଗୋପବନ୍ଧୁଙ୍କ କଥା ମାନି ବିବାହ କରିଥିଲେ, କିନ୍ତୁ ନିଜ ପତ୍ନୀ ପାର୍ବତୀଙ୍କର ମୃତ୍ୟୁ ଖବର ଶୁଣି ହସିଦେଇ ଚକ୍ରଧରପୁର ଚାଲିଯାଇଥିଲେ । ପରେ ଘରଲୋକଙ୍କ କଥାମାନି ଘରକୁ ଆସିଥିଲେ । କିନ୍ତୁ, ପାର୍ବତୀଙ୍କୁ ଆଉ ଦେଖିପାରିନ ଥିଲେ । ଶିଶୁପୁତ୍ରକୁ ମାମୁଁ ଘରେ ଛାଡ଼ି ଦେଇ ଉପାନ୍ତ ଅଂଚଳକୁ ଚାଲିଯାଇ ସେଠାରେ ଉତ୍କଳ ସମ୍ମିଳନୀର ଟୋପି ଓ ଗେରୁଆ ବସ୍ତ୍ର ପରିଧାନ କରି ନିଜ ପରିକଳ୍ପିତ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର ସ୍ଵପ୍ନ ଦେଖୁଥିଲେ । ସତ୍ୟବାଦୀ ବନ ବିଦ୍ୟାଳୟରେ ଲୋକେ ବାରମ୍ବାର ନିଆଁ ଲଗାଇ ଧ୍ୱଂସ କରୁଥାନ୍ତି । କିନ୍ତୁ ତିଳେହେଲେ ଚହଲି ନ ଯାଇ ଲୋକଙ୍କଠାରୁ ଅର୍ଥ ସଂଗ୍ରହ କରି ବନବିଦ୍ୟାଳୟକୁ ପୁଣି ଠିଆ କରୁଥାଆନ୍ତି । ଥରେ ଅର୍ଥ ସଂଗ୍ରହ ପାଇଁ ଧରାକୋଟର ରାଜା ମଦନମୋହନ ସିଂହଦେବଙ୍କ ପାଖକୁ ଗୋପବନ୍ଧୁଙ୍କ ସହିତ ଅନନ୍ତ ମିଶ୍ର, ନୀଳକଣ୍ଠ ଓ ହରିହର ଯାଇଥାନ୍ତି । ଅନନ୍ତଙ୍କ ବାଗ୍ମୀତା ନିସ୍ଵାର୍ଥପରତାକୁ ରାଜା ଜାଣି ସଙ୍ଗେ ସଙ୍ଗେ ନଗଦ ଅର୍ଥ ରାଶି ପାଂଚ ହଜାର ଟଙ୍କା ଦାନ କରିଦେଇଥିଲେ ଏବଂ ଆବଶ୍ୟକ ସ୍ଥଳେ ଯଦି ଟଙ୍କା ଆବଶ୍ୟକ ହୁଏ ତେବେ ଦେବେ ବୋଲି ରାଜା ଅଭୟବାଣୀ ଶୁଣାଇବାରୁ ଏହି ଚାରିସଖାଙ୍କର ବନବିଦ୍ୟାଳୟ ପ୍ରତି ଦୃଢ଼ ଆସ୍ଥା ପ୍ରକଟ ହୋଇଥିଲା । ଦେଶଜାତିପାଇଁ ଅନନ୍ତ କେତେଯେ କଷଣ ଓ କାରବରଣ ସହିଛନ୍ତି ତାର ଅବର୍ଣ୍ଣନୀୟ ।
ବିଜୟ କୁମାର ଛାଟୋଇ, ସମ୍ପାଦକ, ପ୍ରଚାରକ ଅନନ୍ତ ମିଶ୍ର ସ୍ମୃତି ପରିଷଦ