ନୂଆଦିଲ୍ଲୀ, ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଉପଲକ୍ଷେ ରାଜ୍ୟର ବିଭିନ୍ନ ସ୍ଥାନରେ ରାଷ୍ଟ୍ରୀୟ ଏକତା ଦିବସ ସମାରୋହ ପାଳିତ ହୋଇଯାଇଛି । ଏହି କ୍ରମରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଏବଂ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି) ପକ୍ଷରୁ ରାଜ୍ୟବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ସିବିସିର ବାଲେଶ୍ୱର କ୍ଷେତ୍ର କାର୍ଯ୍ୟାଳୟ ପକ୍ଷରୁ ରେମୁଣା ବ୍ଲକ ସରସ୍ୱତୀପୁର ୟୁଜିୟୁପି ବିଦ୍ୟାଳୟ ଠାରେ ରାଷ୍ଟ୍ରୀୟ ଏକତା ଦିବସ ସମାରୋହ ଏବଂ ଆଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବାଲେଶ୍ୱର ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ରେମୁଣା ବିଧାୟକ ଶ୍ରୀ ସୁଧାଂଶୁ ଶେଖର ପରିଡ଼ା ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ । ଲୌହମାନବ ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ଅବସରରେ ଜନସାଧାରଣଙ୍କ ମଧ୍ୟରେ ରାଷ୍ଟ୍ରୀୟ ଏକତା ଏବଂ ଅଖଣ୍ଡତାର ବାର୍ତ୍ତା ପ୍ରଚାର କରିବା ଉଦ୍ଦେଶ୍ୟରେ ସୋମବାର ସକାଳୁ ଏକତା ଗଣଦୌଡ଼ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସର୍ଦ୍ଦାର ପଟେଲଙ୍କ ଜୀବନୀକୁ ନେଇ ଏକ ଫଟୋଚିତ୍ର ପ୍ରଦର୍ଶନୀ ମଧ୍ୟ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ସ୍କୁଲ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଜନସାଧାରଣ ଉତ୍ସାହର ସହ ସାମିଲ ହୋଇଥିଲେ।