-
ଦେଶର ବଡ଼ ଲକ୍ଷ୍ୟକୁ ପୂରଣ କରିବାରେ ସର୍ଦ୍ଦାର ପଟେଲଙ୍କ କର୍ତ୍ତବ୍ୟ ଓ ନେତୃତ୍ୱ ଜ୍ୱଳନ୍ତ ଉଦାହରଣ – ଧର୍ମେନ୍ଦ୍ର ପ୍ରଧାନ
ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ନିର୍ଣ୍ଣୟ ନେବାର କ୍ଷମତା ଓ ଦୃଢ ଇଚ୍ଛାଶକ୍ତି ସମସ୍ତଙ୍କୁ ପ୍ରଭାବିତ କରିବା ସହ ନିରନ୍ତର ପ୍ରେରଣା ଦେଉଛି । ଦେଶର କଲ୍ୟାଣ ପାଇଁ ବଡ଼ ଲକ୍ଷ୍ୟକୁ ପୂରଣ କରିବା ଦିଗରେ ପଟେଲଙ୍କ କର୍ତ୍ତବ୍ୟ ଓ ନେତୃତ୍ୱ ଜ୍ୱଳନ୍ତ ଉଦାହରଣ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ଅବସରରେ ସଂସଦରେ ଆୟୋଜିତ ‘ରାଷ୍ଟ୍ରୀୟ ଏକତା ଦିବସ’ କାର୍ଯ୍ୟକ୍ରମ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ‘ଏକତା ପାଇଁ ଦୌଡ’ର ଶୁଭାରମ୍ଭ କରିବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି । କେନ୍ଦ୍ରମନ୍ତ୍ରୀ ସଂସଦର ସେଣ୍ଟରାଲ ହଲରେ ଆୟୋଜିତ କାର୍ଯ୍ୟକ୍ରମରେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ସହ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଦେଶର କୋଣ ଅନୁକୋଣରୁ ଆସିଥିବା ଯୁବଶକ୍ତିଙ୍କୁ ସମ୍ବୋଧିତ କରି ସେ କହିଛନ୍ତି, ନିକଟରେ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବନ୍ଧିତ କରି ବଡ ସଂକଳ୍ପ, ବଡ ସ୍ୱପ୍ନ ଉପରେ କାମ କରିବା ପାଇଁ ଆଗ୍ରହ କରିଛନ୍ତି । ଆମକୁ କେବଳ ଭାରତ ନୁହେଁ ବରଂ ବିଶ୍ୱ କଲ୍ୟାଣ ପାଇଁ କାର୍ଯ୍ୟ କରିବାକୁ ହେବ । ଆଜିର ଯୁବପିଢି କେବଳ ଭାରତ ନୁହଁ ବରଂ ବିଶ୍ୱର ନେତୃତ୍ୱ ନେବ ।