ସାକ୍ଷିଗୋପାଳ, ଆସନ୍ତାକାଲି ପବିତ୍ର ଅଁଳା ନବମୀ । ଶ୍ରୀ ରାଧାଙ୍କ ପାଦ ଦର୍ଶନ । ଏଥିସହ ଶ୍ରୀକୃଷ୍ଣଙ୍କ ନଟବର ବେଶ ଓ ରାଧାରାଣୀଙ୍କ ଓଡ଼ିଆଣୀ ବେଶ ଦର୍ଶନର ସୌଭାଗ୍ୟ ଲାଭ କରିବେ ଭକ୍ତ । ୨ ବର୍ଷର କରୋନା କଟକଣା ପରେ ଚଳିତ ବର୍ଷ ଭକ୍ତ ମାନେ ଏହି ଦୁର୍ଲ୍ଲଭ ବେଶ ଦର୍ଶନ କରିବେ । ସେନେଇ ଚଳଚଂଚଳ ହୋଇଉଠିଛି ରାଜ୍ୟର ପ୍ରମୁଖ ବୈଷ୍ଣବ କ୍ଷେତ୍ର ସାକ୍ଷିଗୋପାଳ । କାର୍ତିକ ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ଜଗଦ୍ଧାତ୍ରୀଙ୍କ ପୂଜା, ଶ୍ରୀ ରାଧାଙ୍କ ପାଦ ଦର୍ଶନ ଏବଂ ମନ୍ଦିର ପରିସରରେ ଥିବା ଅଁଳାବୃକ୍ଷ ମୂଳରେ ପୂଜାର୍ଚ୍ଚନ କଲେ ଅଶେଷ ପୂଣ୍ୟ ମିଳିଥାଏ ବୋଲି ବିଶ୍ଵାସ ରହିଛି । ଚଳିତ ବର୍ଷ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି । ଭକ୍ତ ମାନେ ବ୍ୟାରିକେଡ୍ ଦେଇ ଯାଇ ସିଂହଦ୍ଵାରରେ ପ୍ରବେଶ ପୂର୍ବକ ଦର୍ଶନ ଓ ବେଢ଼ା ପରିକ୍ରମା କରି ଉତର ଦ୍ଵାରରେ ପ୍ରସ୍ଥାନ କରିବେ । ସେହିପରି ଭିଆଇପି ପାସ୍ ଧାରୀ ମାନେ ଦକ୍ଷିଣ ଦ୍ଵାରରେ ପ୍ରବେଶ ପୂର୍ବକ ଦର୍ଶନ ଓ ବେଢ଼ା ପରିକ୍ରମା କରି ଉତର ଦ୍ଵାରରେ ପ୍ରସ୍ଥାନ କରିବେ ।
ଏନେଇ ଅଧିକ ସୂଚନା ଦେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କେ.ବିଶାଲ ସିଂହ କହିଛନ୍ତି ଯେ, ଭକ୍ତ ମାନେ ଶ୍ରୀରାଧାଙ୍କ ପାଦ ଦର୍ଶନ କରିପାରିବେ, ତେବେ ସ୍ପର୍ଶ କରିପାରିବେ ନାହିଁ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ଭିଡ଼ ନିୟନ୍ତ୍ରଣ ପାଇଁ ମନ୍ଦିର ଭିତରେ ଓ ବାହାରେ ୨୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ । ୫୦ ଜଣ ଅଫିସର ଏହାର ତଦାରଖ କରିବେ ।