କଟକ, ଆଠଗଡ଼ ଧବଳେଶ୍ଵର ଠାରେ ଥିବା ଝୁଲାପୋଲ ମରାମତି କାର୍ଯ୍ୟ ଆଜି ଠାରୁ ଆରମ୍ଭ ହୋଇଛି । ଆଜି ସକାଳେ ୫ ଜଣିଆ ବୈଷୟିକ ଟିମ୍ ଘଟଣାସ୍ଥଳରେ ପହଂଚି ପୋଲର ସ୍ଥିତି ଅନୁଧ୍ୟାନ କରିବା ପରେ ଏହି ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ଆଠଗଡ଼ ଉପଜିଲ୍ଲାପାଳଙ୍କ ସହିତ ରାଜ୍ୟ ପୂର୍ତ ବିଭାଗର ବରିଷ୍ଠ ଯନ୍ତ୍ରୀ ମାନେ ସେଠାରେ ପହଂଚି କାର୍ଯ୍ୟର ତଦାରଖ କରୁଛନ୍ତି ।
ଝୁଲାପୋଲ ମରାମତି କାର୍ଯ୍ୟ ଚାଲିଥିବାରୁ ଏହି ପୋଲ ଦେଇ କୌଣସି ଶ୍ରଦ୍ଧାଳୁ ଯାଇପାରିବେ ନାହିଁ । ଏନେଇ ସ୍ପଷ୍ଟ କରିଛନ୍ତି କଟକ ଦାୟିତ୍ଵରେ ଥିବା ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କାଟାରିଆ । ଝୁଲାପୋଲ ସମ୍ପ୍ରତି ଅସୁରକ୍ଷିତ ଅବସ୍ଥାରେ ଥିବାରୁ ପ୍ରଶାସନ ପକ୍ଷରୁ ଏଠାରେ ୧୪୪ ଧାରା ଜାରୀ କରାଯାଇଛି । ୧୪୪ ଜାରୀ ହୋଇଥିବାରୁ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ଅନୁମତି ନାହିଁ । ଆମ ପାଇଁ ଯାତ୍ରୀଙ୍କ ସୁରକ୍ଷା ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ଝୁଲାପୋଲରେ ଯାତାୟାତ ବନ୍ଦ ଥିବାରୁ ଶହ ଶହ ସଂଖ୍ୟାକ ଶ୍ରଦ୍ଧାଳୁ ଡ଼ଙ୍ଗା ଯୋଗେ ନଦୀ ପାର୍ ହୋଇ ଶ୍ରୀ ଧବଳେଶ୍ଵରଙ୍କ ଦର୍ଶନ କରୁଥିବା ଦେଖିବାକୁ ମିଳିଛି ।
ପ୍ରକାଶ ଥାଉକି, ମରାମତି କାମ ପାଇଁ ଗୋଟିଏ ଦିନ ବନ୍ଦ ରହିବ ଧବଳେଶ୍ଵର ଝୁଲାପୋଲ । ଏପରିକି ପୋଲର ସୁରକ୍ଷାକୁ ଗୁରୁତ୍ଵ ଦେଇ ଆବଶ୍ୟକ ପଡିଲେ ଝୁଲାପୋଲକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ ବୋଲି ଗତକାଲି କଟକ ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ ଘୋଷଣା କରିଥିଲେ ।