
ଭୁବନେଶ୍ୱର, ଗତ ରବିବାର ଦିନ ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯେଭଳି ଅତ୍ୟଧିକ ଭିଡ଼ରେ ଭକ୍ତମାନେ ଅଣନିଶ୍ୱାସୀ ହୋଇପଡ଼ିଲେ, ସେଥିପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ କେତେକ ପରାମର୍ଶ ଦିଆଯାଇଛି । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ତଥା ପ୍ରଦେଶ କଂଗ୍ରେସ ସେବାଦଳର ଅଧ୍ୟକ୍ଷ, ବିଶିଷ୍ଟ ସମାଜସେବୀ ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଏକ ପ୍ରେସ ବିବୃତିରେ କହିଛନ୍ତି ଯେ ଶ୍ରୀ ମନ୍ଦିର ପ୍ରଶାସନ କରୋନା ସମୟରେ ଶ୍ରୀମନ୍ଦିରର, ଅନ୍ୟ ତିନିଦ୍ୱାରକୁ ବନ୍ଦ କରି କେବଳ ସିଂହଦ୍ୱାର ବାଟେ ଭକ୍ତଙ୍କ ପ୍ରବେଶ ବ୍ୟବସ୍ଥା କରିଥିଲେ । ପରବର୍ତୀ ସମୟରେ ପୁରୀ ଅଧିବାସୀଙ୍କ ଦାବି ଫଳରେ ପଶ୍ଚିମଦ୍ୱାର ପୁରୀ ଅଧିବାସୀଙ୍କ ପାଇଁ ଖୋଲା ଯାଇଥିଲା । କିନ୍ତୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଚଳିତ କାର୍ତିକ ମାସରେ ଯେଭଳି ଭିଡ଼ ଦେଖାଗଲା, ଦର୍ଶନର ସୁବନ୍ଦୋବସ୍ତ କରିବାପାଇଁ ରାଜ୍ୟ ସରକାର ତଥା ଶ୍ରୀ ମନ୍ଦିର ପ୍ରଶାସନର କୌଣସି ଚିନ୍ତା ଥିଲା ଭଳି ଜଣାପଡ଼ିଲା ନାହିଁ । ଯାହା ଫଳରେ ବିଗତ ଦିନ ମାନଙ୍କରେ ଭକ୍ତମାନେ ବହୁ ଅସୁବିଧାର ସମ୍ମୁଖୀନ ହେବା ଗଣମାଧ୍ୟମରୁ ଜଣାପଡ଼ୁଛି ।
ଆଗାମୀ କାର୍ତିକ ପଂଚକରେ ଭିଡ଼ର ସମ୍ଭାବନାକୁ ଦେଖି ସରକାର ତଥା ଶ୍ରୀ ମନ୍ଦିର ପ୍ରଶାସନ ଶ୍ରୀ ମନ୍ଦିରର ଚାରି ଦ୍ୱାରକୁ ଖୋଲିବାର ବ୍ୟବସ୍ଥା କରନ୍ତୁ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଡ. ଜ୍ଞାନେନ୍ଦ୍ର ଦୃଢ଼ ଦାବି କରିବା ସହ କାର୍ତିକ ହବିଷ୍ୟାଳିଙ୍କୁ ସମାନ ଦୃଷ୍ଟିରେ ଦେଖିବାପାଇଁ ସେ ରାଜ୍ୟ ସରକାର ଓ ଶ୍ରୀ ମନ୍ଦିର ପ୍ରଶାସନକୁ ପରାମର୍ଶ ଦେଇଛନ୍ତି । ଡ. ଜ୍ଞାନେନ୍ଦ୍ର ଆହୁରି କହିଛନ୍ତି ଯେ କେବଳ ବୃନ୍ଦାବତୀ ନିବାସରେ ସରକାରୀ ହେପାଜତରେ ଯେଉଁ ହବିଷ୍ୟାଳିମାନେ ରହୁଛନ୍ତି ସେହିମାନଙ୍କୁ ମହାପ୍ରଭୁଙ୍କ ଦର୍ଶନରେ ସ୍ୱତନ୍ତ୍ର ସୁବିଧା ମିଳିବ, ପୁରୀ ସହର ଓ ପଂଚକୋଷୀ ହବିଷ୍ୟାଳିଙ୍କୁ ଏହା ମିଳିବ ନାହିଁ, ପ୍ରଶାସନର ଏହା ଏକ ଦୁର୍ବଳ ମାନସିକତା । ସରକାର ତଥା ମନ୍ଦିର ପ୍ରଶାସନ ସମସ୍ତ ହବିଷ୍ୟାଳିଙ୍କୁ ସମାନ ଦୃଷ୍ଟିରେ ଦେଖିବାକୁ ସେ ଶ୍ରୀମନ୍ଦିର ପ୍ରଶାସନ ତଥା ସରକାରଙ୍କୁ ନିବେଦନ କରିଛନ୍ତି ।