ଭୁବନେଶ୍ୱର , ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ସୋମବାର ଶପଥ ପାଠ କରାଯାଇଛି । ସୂଚନା ଓ ଲୋକସଂପର୍କ ବିଭାଗ ପରିସରରେ ବିଭାଗୀୟ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉପଲକ୍ଷେ ଶପଥ ପାଠ କରାଇଥିଲେ । ପ୍ରତ୍ୟେକ ନାଗରିକ ସାଧୁତା ଓ ସଚ୍ଚୋଟତା ପଥ ଅନୁସରଣ କରିବା ସହ ଦୁର୍ନୀତି ନିବାରଣ ପାଇଁ ଐକ୍ୟବଦ୍ଧ ଭାବେ ଉଦ୍ୟମ କରିବା ଆବଶ୍ୟକ । ବ୍ୟକ୍ତିଗତ ବ୍ୟବହାରରେ ସାଧୁତା ପ୍ରଦର୍ଶନ ଏବଂ ସ୍ୱଚ୍ଛତାର ସହ କାର୍ଯ୍ୟ ସଂପାଦନ ନେଇ ଶପଥ ପାଠ କରାଯାଇଥିଲା ।
ଅନୁରୂପ ଭାବରେ ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ମଧ୍ୟ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଶପଥ ପାଠ କରିଥିଲେ । ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଦୂରଦୃଷ୍ଟି ଓ କାର୍ଯ୍ୟ ଦେଶର ଏକତା ଅକ୍ଷୁଣ୍ଣ ରଖିବାରେ ସହାୟକ ହୋଇଥିଲା । ପ୍ରତ୍ୟେକ ନାଗରିକ ଦେଶର ଏକତା, ଅଖଣ୍ଡତା ଏବଂ ସୁରକ୍ଷାକୁ ବଜାୟ ରଖିବା ପାଇଁ ନିଜ ନିଜ କ୍ଷେତ୍ରରେ ଉଦ୍ୟମ ଜାରି ରଖିବାର ଆବଶ୍ୟକତା ରହିଛି ।
ଶପଥ ପାଠ ଉତ୍ସବରେ ବିଭାଗୀୟ ନିର୍ଦ୍ଦେଶକ (ବୈଷୟିକ) ସୁରେନ୍ଦ୍ରନାଥ ପରିଡ଼ା, ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, ଯୁଗ୍ମ ସଚିବ ଶ୍ରୀମତୀ ବିଷ୍ଣୁପ୍ରିୟା ସାହୁ, ଯୁଗ୍ମ ନିର୍ଦ୍ଦେଶକ ବିଶ୍ୱଜିତ ଦାସ, ଗୁରୁବୀର ସିଂହଙ୍କ ସମେତ ସମସ୍ତ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଶପଥ ପାଠରେ ଅଂଶଗ୍ରହଣ କରିଥିଲେ ।