ଭୁବନେଶ୍ୱର – ଧାନ କିଣାକୁ ନେଇ ବିଧାନସକଭାରେ କୌଣସି ଉତର ନ ଦେଇ ରାଜ୍ୟ ସରକାରଙ୍କ ଜଣେ ମନ୍ତ୍ରୀ ସୁଶାନ୍ତ ସିଂହ ଓ ସରକାରୀ ଦଳର ଉପ ମୁଖ୍ୟ ସଚେତକ ରୋହିତ ପୂଜାରୀ ଚାଷୀ ମାନଙ୍କ ସହ ଆଲୋଚନା କରି ଟୋକେନ ବିନା ଧାନ କିଣା ହୋଇ ପାରିବ ବୋଲି ଦେଇଥିବା ମନ୍ତବ୍ୟ ଶୁକ୍ରବାର ଦିନ ବିଧାନସଭାରେ ଉଠିଥିଲା । ଏ ପ୍ରସଙ୍ଗ ଉଠାଇବା ସହ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ପ୍ରସଙ୍ଗରେ ଗୃହରେ ବିବୃତି ଦିଅନ୍ତୁ ବୋଲି ବିରୋଧୀ ଦଳର ବିଧାୟକ ମାନେ ଦାବି କରିଥିଲେ । ଏହାକୁ ନେଇ ଉଭୟ ବିରୋଧୀ ଦଳ ଗୃହରେ ହଟ୍ଟଗୋଳ କରିବା ଫଳରେ ବିଧାନସଭାକୁ ତିନିଥର ମୁଲତବୀ ରଖିବାକୁ ପଡିଥିଲା ।
ପରେ ଏହା ଉପରେ ରୁଲିଂ ଦେଇ ବାଚସ୍ପତି ବିଭାଗୀୟ ମନ୍ତ୍ରୀଙ୍କୁ ଗୃହରେ ବିବୃତି ରଖିବାକୁ ନିଦେ୍ର୍ଧଶ ଦେଇଥିଲେ । ତେବେ ତାଙ୍କ ନିକଟରେ ସମ୍ପୂର୍ଣ୍ଣ ତଥ୍ୟ ନଥିବାରୁ ସେ ସୋମବାର ଉତର ରଖିବେ ବୋଲି ଜଣାଇଥିଲେ ।
ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ ଶୂନ୍ୟକାଳ ସମୟରେ ଏହି ପ୍ରସଙ୍ଗ ଉଠାଇଥିଲେ । ସେ କହିଥିଲେ ଯେ ବିଧାନସଭା ଚାଲୁ ଥିବା ବେଳେ ଜଣେ ମନ୍ତ୍ରୀ ଓ ସରକାରୀ ଦଳର ଉପ ମୁଖ୍ୟ ସଚେତକ ଚାଷୀ ମାନଙ୍କ ସହ ଆଲୋଚନା କରିବା ସହ ବିନା ଟୋକେନରେ ମଣ୍ଡିରେ ଧାନ ବିକ୍ରୀ କରା ଯାଇ ପାରିବ ବୋଲି ଘୋଷଣା କରିଥିବା ଖବର ଗଣମାଧ୍ୟମରେ ଆସିଛି । ଏହି ସମାନ ପ୍ରସଙ୍ଗରେ ବିଭାଗୀୟ ମନ୍ତ୍ରୀ ଗୃହରେ ଉତର ଦେଇ ପାରୁ ନାହାନ୍ତି ।
ଶ୍ରୀ ନାୟକ ପ୍ରଶ୍ନ କରିଥିଲେ ଯେ ଏହି ଦୁଇ ଜଣ କେଉଁ କ୍ଷମତାରେ ଚାଷୀ ମାନଙ୍କ ନିକଟରେ ଏହି ଘୋଷଣା କରିଛନ୍ତି । ବିନା ଟୋକେନରେ ଧାନ କିଣା ଯାଇ ପାରିବ ଏହି ବ୍ୟବସ୍ଥା କେବଳ ସମ୍ବଲପୁର ଓ ବରଗଡରେ ହିଁ ଚାଷୀ ମାନଙ୍କ ପାଇଁ ଲାଗୁ ହେବ ନା ରାଜ୍ୟର ଅନ୍ୟ ଜିଲ୍ଲା ଯେଭଳି କଳାହାଣ୍ଡି ଓ ବଲାଙ୍ଗୀରରେ ମଧ୍ୟ ଲାଗୁ ହେବ ।
ସେ କହିଥିଲେ ଯେ ମଣ୍ଡି ମାନଙ୍କରେ ସମ୍ପୂର୍ଣ ଭାବେ ଅବ୍ୟବସ୍ଥା ରହିଛି । ସେଠାରେ ଶେଡର ମଧ୍ୟ ବ୍ୟବସ୍ଥା ନାହିଁ । ମଣ୍ଡି ଗୁଡିକର ଭିତିଭୂମିକୁ ଠିକ କରିବା ପାଇଁ ସରକାରଙ୍କ ନିକଟରେ ଅର୍ଥର ଅଭାବ ନ ଥିଲେ ମଧ୍ୟ ଏହାକୁ କରା ଯାଉ ନାହିଁ । ଛତିସଗଡ ପରି ପଡୋଶୀ ରାଜ୍ୟରେ ମଣ୍ଡି ମାନଙ୍କରେ ଅତ୍ୟନ୍ତ ଭଲ ବ୍ୟବସ୍ଥା ରହିଛି । ସେ କହିଥିଲେ ଯେ ବସ୍ତା ନାମରେ ୧୨ ଶହରୁ ୧୫ ଶହ କୋଟି ଟଙ୍କାର ଦୁର୍ନୀତି ହେଉଥି ।
କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ମଧ୍ୟ ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ କାଠଗଡାରେ ଠିଆ କରିବା ସହ ବିଭାଗୀୟ ମନ୍ତ୍ରୀ ଏହି ପ୍ରସଙ୍ଗରେ ବିଧାନସଭାରେ ବିବୃତି ଦିଅନ୍ତୁ ବୋଲି ଦାବି କରିଥିଲେ ।
ସେ କହିଥିଲେ ଯେ ବିଧାନସଭା ଚାଲିଥିବା ବେଳେ ଜଣେ ମନ୍ତ୍ରୀ ଓ ସରକାରୀ ଦଳର ଉପ ମୁଖ୍ୟ ସଚେତକ ଚାଷୀ ମାନଙ୍କ ସହ ଆଲୋଚନା କରିବା ସହ ବିନା ଟୋକେନରେ ମଣ୍ଡିରେ ଧାନ ବିକ୍ରୀ କରା ଯାଇ ପାରିବ ବୋଲି ଘୋଷଣା କରିଛନ୍ତି । ମନ୍ତ୍ରୀ ଏହି ମାମଲାରେ କୌଣସି ଉତର ଦେଇ ପାରୁ ନାହାନ୍ତି । ତେଣୁ ବିଭାଗୀୟ ମନ୍ତ୍ରୀ ଏହି ପ୍ରସଙ୍ଗରେ ବକ୍ତବ୍ୟ ପ୍ରଦାନ କରନ୍ତୁ ବୋଲି ସେ ଦାବି କରିଥିଲେ ।
ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର କହିଥିଲେ ଯେ ଗୃହ ଚାଲୁଥିବା ବେଳେ କିପରି ଜଣେ ମନ୍ତ୍ରୀ ଓ ଶାସକ ଦଳର ଉପ ମୁଖ୍ୟ ସଚେତକ ଧାନ କିଣା ସମ୍ପର୍କରେ ବାହାରେ ଘୋଷଣା କଲେ । ଏହି ମାମଲାରେ ବିଭାଗୀୟ ମନ୍ତ୍ରୀ ବକ୍ତବ୍ୟ ଦେବାକୁ ସେ ଦାବି କରିଥିଲେ ।
କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ମଧ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ । ସେ କହିଥିଲେ ଯେ ଗୃହ ଚାଲିଥିବା ବେଳେ ଗୃହକୁ ବିଶ୍ୱାସକୁ ନେଇ ରାଜ୍ୟ ସରକାରଙ୍କର ମନ୍ତ୍ରୀ ଓ ଶାସକ ଦଳର ଉପ ମୁଖ୍ୟ ସଚେତକ କିପରି ନିଜ ଅଂଚଳରେ ବିନା ଟୋକନରେ ଧାନ କିଣି ହେବ ବୋଲି କହିଲେ । ସେ ଅଥରିଟି ତାଙ୍କୁ କିଏ ଦେଇଥିଲା । ବିଧାନସଭାର ନିୟମାବଳୀର ବ୍ୟବସ୍ଥାକୁ ଏହା ଉଲ୍ଲଂଘନ କରୁ ନାହିଁ କି ବୋଲି ସେ ପ୍ରଶ୍ନ କରିଥିଲେ । ବଲାଙ୍ଗୀର ଜିଲ୍ଲାରେ ଆଜି ସୁଦ୍ଧା କୁଲତାପଡା ଓ ଅର୍ଜୁନପୁର ପଂଚାୟତର ଚାଷୀ ମାନେ କୃଷି ବୀମା ପାଇ ନାହାନ୍ତି । ଜିଲ୍ଲାପାଳଙ୍କ ଅଫିସ ଆଗରେ ଅନଶନରେ ଚାଷୀ ମାନେ ବସିଛନ୍ତି । ୫୦ ପ୍ରତିଶତରୁ ଉର୍ଧ ଶସ୍ୟ ନଷ୍ଟ ହୋଇଛି । ସଂପୃକ୍ତ ବୀମା କମ୍ପାନୀ ବିରୁଦ୍ଧରେ ଏଫଆଇଆର କରିବାକୁ ସେମାନେ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ । କିନ୍ତୁ ଜିଲ୍ଲାପାଳ ମଧ୍ୟ ତାଙ୍କ କଥା ବୁଝିଲେ ନାହିଁ । ଧାନ କିଣା ମାମଲାରେ ସରକାର ଗୃହରେ ବକ୍ତବ୍ୟ ଦେବାକୁ ନିର୍ଦେଶ ଦେବାକୁ ସେ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ । ବୀମା ଉପରେ ପଦକ୍ଷେପ ନେବାକୁ ବାଚସ୍ପତି ସରକାରଙ୍କୁ ନିର୍ଦେଶ ଦେଇଥିଲେ ।
ଏହା ପରେ ଉଭୟ ବିଜେପି ଓ କଂଗ୍ରେସ ଦଳର ବିଧାୟକ ମାନେ ଧାନ କିଣା ଉପରେ ଗୃହରେ ବିଭାଗୀୟ ମନ୍ତ୍ରୀ ବିବୃତି ରଖିବାକୁ ଦାବି କରି ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ । ବାଚସ୍ପତି ବାଧ୍ୟ ହୋଇ ୧୨.୧୪ରୁ ୧୨.୨୪ ଦଶ ମିନିଟ ପାଇଁ ଗୃହକୁ ମୁଲତବୀ ରଖିଥିଲେ । ପରେ ଉପ ବାଚସ୍ପତି ଗୃହକୁ ୧୨.୨୪ରୁ ୧୨.୩୪ ଦଶ ମିନିଟ ପାଇଁ ଓ ତା ପରେ ତୃତୀୟ ଥର ପାଇଁ ୧୨.୩୪ରୁ ୧୨.୩୯ ଯାଏ ଗୃହକୁ ମୁଲତବୀ ରଖିଥିଲେ ।
ବାଚସ୍ପତି ଏହା ଉପରେ ରୁଲିଂ ଦେଇ କହିଥିଲେ ଯେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଗୃହରେ ଉପସ୍ଥିତ ଅଛନ୍ତି । ଧାନ ବିକ୍ରୀ ସମ୍ପର୍କରେ ବିରୋଧୀ ଦଳର ସଦସ୍ୟ ମାନେ ଯାହା ଉଠାଇଛନ୍ତି ତାହା ଉପରେ ବିବୃତି ରଖିବା ପାଇଁ ବାଚସ୍ପତି ମନ୍ତ୍ରୀଙ୍କୁ ନିର୍ଦେଶ ଦେଇଥିଲେ । ଏହାର ଉତରରେ ମନ୍ତ୍ରୀ କହିଥିଲେ ଯେ ତାଙ୍କ ପାଖରେ ସଂପୂର୍ଣ ତଥ୍ୟ ଉପଲବ୍ଧ ନ ଥିବା କାରଣରୁ ସେ ଆଗାମୀ ସୋମବାର ଦିନ ଏ ସମ୍ପର୍କରେ ଗୃହକୁ ଜଣାଇବେ ବୋଲି କହିଥିଲେ । ଏହା ପରେ ହଟ୍ଟଗୋଳର ଅବସାନ ଘଟିଥିଲା ।