ପୁରୀ, ପୁରୀ ଜିଲ୍ଲାର ଦ୍ବିତୀୟ ବୃହତ୍ତମ ଗଣପର୍ଵର ମାନ୍ୟତା ପାଇଥିବା ସାକ୍ଷୀଗୋପାଳ ମନ୍ଦିରରେ ପ୍ରତିବର୍ଷ କାର୍ତ୍ତିକ ଶୁକ୍ଲପକ୍ଷ ନବମୀ ତିଥି ଅଁଳାନଵମୀ ଅବସରରେ ବର୍ଷକୁ ଥରେ ଶ୍ରୀରାଧା ପାଦଦର୍ଶନ ଅନୁଷ୍ଠିତ ହୋଇଥାଏ। ଚଳିତ ବର୍ଷ ନଭେମ୍ବର ୨ ତାରିଖ ବୁଧବାର ଦିନ ଏହି ପର୍ବ ଅନୁଷ୍ଠିତ ହେବ। ଏଥିପାଇଁ ପୁରୀ ଏସ୍. ପି କେ. ବିଶାଲ ସିଂ ଶାନ୍ତିଶୃଙ୍ଖଳା ସମ୍ପର୍କରେ ସମୀକ୍ଷା କରିଛନ୍ତି। ଦୁଇ ବର୍ଷ ପରେ ଶ୍ରୀରାଧା ପାଦ ଦର୍ଶନ ସୁଯୋଗ ଆସିଥିଵାରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଲାଗିବ। ଏଣୁ ଶୃଙ୍ଖଳିତ ଦର୍ଶନ ଏବଂ ପ୍ରସ୍ତୁତି ସମ୍ପର୍କରେ କିଭଳି ବ୍ୟବସ୍ଥା ଗ୍ରହଣ କରାଯାଇଛି ଏନେଇ ଏସ. ପି. ଗତକାଲି ରାତିରେ ସାକ୍ଷୀଗୋପାଳ ମନ୍ଦିରରେ ପହଞ୍ଚି ସମୀକ୍ଷା କରିଛନ୍ତି। ଦ୍ବାରଫିଟା ନୀତି ଠାରୁ ଦେଵନୀତି ସମାପନ, ସାହଣମେଲା ଦର୍ଶନ, ମନ୍ଦିର ସମ୍ମୁଖରେ ଛାୟାପ୍ରଦ ବାରିକେଟ, ପ୍ରବେଶ ଓ ପ୍ରସ୍ଥାନ, ଦୀପଦାନ, ଅଗ୍ନି ନିର୍ବାପକ ବ୍ୟବସ୍ଥା, ଜୋତାଷ୍ଟାଣ୍ଡ, ପାର୍କିଙ୍ଗ୍, ସି ସି କ୍ୟାମେରା ଲଗାଇଵା, ସେଵାୟତ ଓ ମନ୍ଦିର କର୍ମଚାରୀଙ୍କ ପରିଵାର ଦର୍ଶନ, ଭିଆଇପି ଗେଟ୍ ରେ ଅଯଥା ଭିଡ ନିୟନ୍ତ୍ରଣ, ଉଜ୍ବଳ ଆଲୋକ, ସାଂସ୍କୃତିକ ସମାରୋହ ଓ ପ୍ରଦର୍ଶନୀ ପଡିଆରେ ଆଇନ ଶୃଙ୍ଖଳା ନିୟନ୍ତ୍ରଣ ଆଦି ନେଇ ସମୀକ୍ଷା କରିଥିଲେ। ଦେଵନୀତି ଓ ଭକ୍ତ ମାନଙ୍କର ଦର୍ଶନ ସୁବିଧା ସମ୍ପର୍କରେ ସେଵାୟତ ସଂଘ କର୍ମକର୍ତ୍ତା ଵିଜୟ ନନ୍ଦ, ଶୁଭଦର୍ଶୀ ମହାପାତ୍ର, ସୁବ୍ରତ ମହାପାତ୍ର, ଦେଵାଶିଷ ପତ୍ରୀ, ରାମଚନ୍ଦ୍ର ନନ୍ଦ, କାଳୀପ୍ରସାଦ ମହାପାତ୍ରଙ୍କ ସହିତ ମନ୍ଦିର ସୁପରଭାଇଜର ଵିଶ୍ବନାଥ ମହାପାତ୍ର, ଵରିଷ୍ଠ ସେଵାୟତ ତଥା ସାମ୍ବାଦିକ କିଶୋର ଚନ୍ଦ୍ର ମହାପାତ୍ରଙ୍କ ସହ ଆଲୋଚନା କରିଥିଲ। ଏସ୍ ପି ମନ୍ଦିର ପରିସର ଓ ଚର୍ତୁପାର୍ଶ୍ଵ ବୁଲି ଦେଖିଥିଲେ।
ସକାଳେ ଅତିରିକ୍ତ ଏସ୍ ପି ପୁର୍ଣ୍ଣଚନ୍ଦ୍ର ପ୍ରଧାନ, ସତ୍ୟଵାଦୀ ଥାନା ଆଇଆଇସି ବିଜୟ କେତନ ବେହେରା ଅନ୍ୟ ପୋଲିସ ଅଧିକାରୀ ମାନେ ମନ୍ଦିର ଅଞ୍ଚଳରେ ପରିଦର୍ଶନ ସମୟରେ ବିଭିନ୍ନ ପଦକ୍ଷେପ ଟିକିନିଖି ପରଖିଥିବା ଦେଖାଯାଇଥିଲା। ସେହିପରି ମେଳା ପଡିଆ ପରିଦର୍ଶନ କରି ସତ୍ୟଵାଦୀ ବିଧାୟକ ତଥା ମନ୍ଦିର ପରିଚାଳନା କମିଟିର ସଭାପତି ଉମାକାନ୍ତ ସାମନ୍ତରାୟ ମୁକ୍ତାକାଶ ରଙ୍ଗ ମଞ୍ଚ, ପଡିଆର ପ୍ରଵେଶ ପ୍ରସ୍ଥାନ ଗେଟ୍ କରାଯିବା ନେଇ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ। ପରେ ପରେ ଏକ ବୈଠକ ଡାକ ବଙ୍ଗଳାରେ ଅନୁଷ୍ଠିତ ହୋଇଥିଲା। ବିଧାୟକ ଶ୍ରୀ ସାମନ୍ତରାୟ, ସେଵାୟତ ସଂଘ କର୍ମକର୍ତ୍ତା, ମନ୍ଦିର କାର୍ଯ୍ୟନିର୍ଵାହୀ ବସନ୍ତ କୁମାର ପ୍ରଧାନ ଓ ପ୍ରଶାସନିକ ଅଧିକାରୀ ମାନଙ୍କ ମଧ୍ୟରେ ତହସିଲଦାର ଜୟନ୍ତ କୁମାର ଜୟସିଂ, ବିଡ଼ିଓ ଲୋଚନ ଦାସ, ବ୍ଲକ ଚେୟାରମ୍ୟାନ ସୁନିଲ କୁମାର ପଣ୍ଡାଙ୍କ ସହ ଆଲୋଚନା କରିଥିଲେ। ମନ୍ଦିର ରଙ୍ଗ ଠାରୁ ବାରିକେଟ, ରାସ୍ତା ମରାମତି, ପଡିଆ ସମତୁଲ, ଆଲୋକ ବ୍ୟବସ୍ଥା, ପାନୀୟ ଜଳ, ପରିମଳ, ପୋଖରୀ ସଫେଇ, ଜୋତାଷ୍ଟାଣ୍ଡ, ସାଇକେଲ ମୋଟରସାଇକେଲ ଓ କାର, ଅଟୋ ପାର୍କିଙ୍ଗ୍ ସ୍ଥାନ ନିରୂପଣ କରାଯାଇଛି। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା କେନ୍ଦ୍ରରେ ଜରୁରୀକାଳୀନ ଓ ଆବଶ୍ୟକ ସୂଚନା ପ୍ରଦାନ କରାଯିବ ଵୋଲି ସ୍ଥିର କରାଯାଇଥିବା ବେଳେ ଆଵଶ୍ୟକତା ଅନୁଯାୟୀ ସ୍ଥାନ ଅଭାବଯୋଗୁ ମେଳାରେ ପ୍ରତିବର୍ଷ ଅସ୍ଥାୟୀ ଦୋକାନ ଖୋଲି ଵ୍ୟଵସାୟ କରୁଥିବା କ୍ଷୁଦ୍ର ଵ୍ୟଵସାୟୀ ମାନେ ନିରାଶ ହେଵାର ଆଶଙ୍କା ପ୍ରକାଶ ପାଇଛି।