ଭୁବନେଶ୍ୱର – ପୁରୀ ଗୋବର୍ଦ୍ଧନ ମଠର ମୁଖପାତ୍ର ମନୋଜ ରଥଙ୍କ ବିରୁଦ୍ଧରେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ।
ପ୍ରଶ୍ନୋତର କାର୍ଯ୍ୟକ୍ରମ ଶେଷ ହେବା ମାତ୍ରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଶ୍ରୀ ମିଶ୍ରଙ୍କୁ କହିବାକୁ ଅନୁମତି ଦେଇଥିଲେ । ଶ୍ରୀ ମିଶ୍ର କହିଥିଲେ ଯେ ହିନ୍ଦୁ ରିଲିଜିୟସ ଏଣ୍ଡାଓମେଂଟ ଆକ୍ଟରେ ସଂଶୋଧନ ସମ୍ପର୍କରେ ଆଲୋଚନା ବେଳେ ସେ ଗୃହରେ ଦେଇଥିବା ବକ୍ତବ୍ୟକୁ ନେଇ ଶଙ୍କରାଚାର୍ଯ୍ୟଙ୍କ ପ୍ରବକ୍ତା ବୋଲି କହୁଥିବା ମନୋଜ ରଥ ଅପମାନଜନକ ବକ୍ତବ୍ୟ ଦେଇଥିବା ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଇଛି । ପରୋକ୍ଷ ଭାବେ ଏଥିରେ ତାଙ୍କୁ ଧମକ ଦିଆ ଯାଇଛି । ତେଣୁ ଏହା ଦ୍ୱାରା ତାଙ୍କର ସ୍ୱାଧିକାର ଭଙ୍ଗ ହୋଇଛି । ତେଣୁ ଏହାକୁ ପ୍ରିଭିଲେଜ କମିଟିକୁ ପଠାଇବାକୁ ସେ ଅନୁରୋଧ କରିଥିଲେ ।
ବାଚସ୍ପତି ଶ୍ରୀ ପାତ୍ର ଏହାକୁ ଅଧ୍ୟୟନ କରି ସାରିବା ପରେ ଏ ସମ୍ପର୍କରେ ନିଷ୍ପତି ଗ୍ରହଣ କରିବେ ବୋଲି କହିଥିଲେ ।