ବଲାଙ୍ଗିର, ଆଜି ବଲାଙ୍ଗିର ସହର ସ୍ଥିତ ଗାନ୍ଧୀ ଷ୍ଟାଡିୟମ ଠାରେ ଫିଟ ଇଣ୍ଡିଆ ଫ୍ରିଡମ ରନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ରେଡକ୍ରସ ସୋସାଇଟି ଏବଂ ଜିଲ୍ଲା ପରିବହନ ବିଭାଗ ସହଯୋଗରେ ଜିଲ୍ଲା ପ୍ରଶାସନ ଦ୍ଵାରା ଆୟୋଜିତ ଫିଟ ଇଣ୍ଡିଆ ଫ୍ରିଡମ ରନ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଚଞ୍ଚଳ ରାଣା, ଆରକ୍ଷୀ ଅଧିକ୍ଷକ ନୀତିନ କୁଶଳକର ପତାକା ଦେଖାଇ ଗାନ୍ଧୀ ଷ୍ଟାଡିୟମ ଠାରୁ ଫିଟ ଇଣ୍ଡିଆ ଫ୍ରିଡମ ରନ ର ଶୁଭାରମ୍ଭ କରିଥିଲେ। ଫିଟ ଇଣ୍ଡିଆ ଫ୍ରିଡମ ରନ ରେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ସରକାରୀ ଅଧିକାରୀ ଓ କର୍ମଚାରୀ, ଏନ.ସି.ସି., ରେଡକ୍ରସ, ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ବିଭିନ୍ନ ସଂଗଠନର କର୍ମକର୍ତ୍ତା ମାନେ ଅଂଶ ଗ୍ରହଣ କରିଥିଲେ। ଫିଟ ଇଣ୍ଡିଆ ଫ୍ରିଡମ ରନ ଗାନ୍ଧୀ ଷ୍ଟାଡିୟମ ଠାରୁ ବାହାରି ବାଇପାସ ରୋଡ, ଶାନ୍ତିପଡା ଦେଇ ସରକାରୀ ଆଇ.ଟି.ଆଇ. ପର୍ଯ୍ୟନ୍ତ ଯାଇ ପୁଣି ଗାନ୍ଧୀ ଷ୍ଟାଡିୟମକୁ ଫେରିଥିଲା । ଫିଟ ଇଣ୍ଡିଆ ଫ୍ରିଡମ ରନ ରେ ବାଳକ ବିଭାଗରେ ରୋଶନ ହରପାଲ, ହରିଶ ପ୍ରଧାନ, ହେମନ୍ତ ବରିହା ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବାବେଳେ ବାଳିକା ବିଭାଗରେ ରିମା ସୁନା, ରଶ୍ମିତା ଦୀପ, ମଲ୍ଲିକା ବାରିକ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଠାରୁ ଟ୍ରଫି ଓ ମାନପତ୍ର ଗ୍ରହଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର କୁମାର ମହାପାତ୍ର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁଶାନ୍ତ କୁମାର ସିଂ, ଉପ –ଜିଲ୍ଲାପାଳ କୁମାର ନାଗଭୂଷଣଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ଜିଲ୍ଲା କ୍ରୀଡା ସଂସଦର କର୍ମକର୍ତ୍ତା, ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ସହକାରୀ ଜିଲ୍ଲାପାଳ ଆଦିତ୍ୟ ଦଳବେହେରା ଏବଂ ଜିଲ୍ଲା କ୍ରୀଡା ଅଧିକାରୀ ପାରାଶର ବାଗ ପରିଚାଳନା କରିଥିଲେ ।