
ବଲାଙ୍ଗିର, ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ଠାରେ ଆଜି ଏକ ଜିଲ୍ଲା ସ୍ତରୀୟ ଶିଶୁ ମାନସିକ ସ୍ବାସ୍ଥ୍ୟ ଓ ମନୋ ସାମାଜିକ ସହାୟତା କର୍ମଶାଳା ୟୁନିସେଫ ଓ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ, ଭୁବନେଶ୍ଵର ସ୍ଥିତ ପି ୟୁ ସି ୟୁ ସି ଏବଂ ରାଜେନ୍ଦ୍ର ଯୁବକ ସଂଘ ବଲାଙ୍ଗୀରର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କର୍ମଶାଳାରେ ଜିଲ୍ଲା ପରିଷଦ ସଭାପତି ଦେବକୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ସଭା ଆରମ୍ଭ କରିଥିଲେ। ସେ ତାଙ୍କ ଉଦବୋଧନରେ ଶିଶୁମାନଙ୍କ ପାଇଁ ଥିବା ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ କହିବା ସହ ଶିଶୁମାନଙ୍କ କଲ୍ଯାଣ ପାଇଁ ଠିକ୍ ଭାବରେ ଏହାକୁ କାର୍ଯ୍ୟକାରୀ କରିବା ସମ୍ପର୍କରେ ଯତ୍ନବାନ୍ ହେବାକୁ ପରାମର୍ଶ ଦେଇଥିଲେ । ଏଥିରେ ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷ ଯୋଗେଶ୍ଵର ମହାନ୍ତି ମୁଖ୍ୟବକ୍ତା ଭାବେ ଶିଶୁ ମାନଙ୍କର ମାନସିକ ସ୍ବାସ୍ଥ୍ୟ ଓ ସାମାଜିକ ସୁରକ୍ଷା ଉପରେ ଆଲୋକପାତ କରିଥିଲେ ।
ଏହି କର୍ମଶାଳାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂ, ସମ୍ମାନନୀୟ ଅତିଥି ରୂପେ ଯୋଗଦେଇ ଶିଶୁର ଅଧିକାର ଏବଂ ଆଜିର କାର୍ଯ୍ୟକ୍ରମ ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ। ଏହି କର୍ମଶାଳାରେ ପି ୟୁ ସି ୟୁ ସି ର ପ୍ରଶିକ୍ଷକ ଶୀତଳ ପଟ୍ଟନାୟକ ଶିଶୁ ମାନଙ୍କ ମାନସିକ ଅବସାଦ, ବିଭିନ୍ନ ସମସ୍ୟା ଓ ଉତ୍କଣ୍ଠା ଇତ୍ୟାଦି ଉପରେ ଆବଶ୍ୟକୀୟ ପରାମର୍ଶ ଦେଇଥିଲେ। କିପରି ଶିଶୁ ମାନଙ୍କ ମାନସିକ ଚାପକୁ କମ୍ କରାଯାଇ ଆତ୍ମହତ୍ୟା, ବିଷାଦ ଓ ହିଂସା ମନୋଭାବକୁ ଦୂର କରାଯାଇପାରିବ ସେ ଉପରେ ଆଲୋକପାତ କରିଥିଲେ । ଶେଷରେ ସେକ୍ରେଟାରୀ ରାଜେନ୍ଦ୍ର ଯୁବକ ସଂଘ ରାଜେନ୍ଦ୍ର ପାଣିଗ୍ରାହୀଙ୍କ ଧନ୍ୟବାଦ୍ ଅର୍ପଣ ପରେ ସଭା ସମାପ୍ତ ହୋଇଥିଲା।