ଭୁବନେଶ୍ୱର, ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ୍ ଲଗାଇବା ଅବଧି ପୁଣି ବଢ଼ାଇଛନ୍ତି ରାଜ୍ୟ ସରକାର । ଆଉ ମାସେ ଅର୍ଥାତ୍ ୨୦୨୩ ଫେବ୍ରୁଆରୀ ପର୍ଯ୍ୟନ୍ତ ଅବଧି ବଢ଼ାଇବାକୁ ରାଜ୍ୟ ପରିବହନ ବିଭାଗ ନିଷ୍ପତି ନେଇଛି ।
ପରିବହନ ବିଭାଗ ସୂଚନା ଅନୁସାରେ ନମ୍ୱର ପ୍ଲେଟ୍ ର ଶେଷ ଅଙ୍କ ୧, ୨, ୩, ୪ ଥିଲେ ନଭେମ୍ବର ୩୦ ଶେଷ ତାରିଖ ରହିବ । ସେହିପରି ୫,୬ ଥିଲେ ଡିସେମ୍ବର ୩୧ ଓ ୭, ୮ ଥିଲେ ଜାନୁଆରୀ ୩୧କୁ ଶେଷ ତାରିଖ ଭାବେ ଧାର୍ଯ୍ୟ କରାଯାଇଛି । ଏହାଛଡ଼ା ଶେଷ ଅଙ୍କ ଶୂନ କିମ୍ବା ୯ ଥିଲେ, ଫେବ୍ରୁଆରୀ ୨୮ ଶେଷ ତାରିଖ ରହିବ ।
ସୂଚନାଯୋଗ୍ୟ ଯେ ୨୦୧୯ ଏପ୍ରିଲ ୧ ତାରିଖ ପୂର୍ବରୁ କିଣିଥିବା ଗାଡ଼ି ମାଲିକମାନଙ୍କୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଯିବା ନିର୍ଦ୍ଦେଶ ଦେଇଥିଲା ପରିବହନ ବିଭାଗ । ଏନେଇ ଗତ ଜୁନ୍ ମାସରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ବିଜ୍ଞପ୍ତି ଅନୁସାରେ ଯେଉଁ ବାହନର ପଂଜୀକରଣ ନମ୍ବରର ଶେଷ ଅଙ୍କ ୧ ଅଥବା ୨ ହୋଇଥିବ, ସେଗୁଡ଼ିକର ହାଇ ସିକ୍ୟୁରିଟି ନମ୍ବର ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଲାଗିବା କଥା । ମାତ୍ର ଭିତିଭୂମି ନଥାଏ ଏଭଳି ନିର୍ଦ୍ଦେଶ ଦେଇଥିବାରୁ ଓଡିଶା ହାଇକୋର୍ଟ ଏହି ମାମଲାର ଶୁଣାଣି କରିବା ପରେ ରାଜ୍ୟ ସରକାର ହାଇସିକ୍ୟୁରିଟି ଲଗାଇବା ଅବଧିକୁ ବୃଦ୍ଧି କରିଥିଲେ । ହାଇକୋର୍ଟଙ୍କ ତାଗିଦ ପରେ ସରକାର ଯେଉଁମାନଙ୍କ ଗାଡ଼ିର ନମ୍ବରର ଶେଷ ଅଙ୍କ ୧,୨,୩ ଓ ୪ ଥିବ ସେମାନଙ୍କ ପାଇଁ ହାଇସିକ୍ୟୁରିଟି ପ୍ଲେଟ୍ ଲଗାଇବାର ସମୟସୀମା ଅକ୍ଟୋବର ୩୧ ପର୍ଯ୍ୟନ୍ତ ବଢ଼ାଇ ଥିଲେ । ସେହିପରି ଯେଉଁମାନଙ୍କ ଗାଡ଼ି ନମ୍ବରର ଶେଷ ଅଙ୍କ ୫ ଓ ୬ ରହିଛି, ସେମାନଙ୍କ ପାଇଁ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବାର ସମୟସୀମା ୩୦ ନଭେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଶେଷ ଅଙ୍କ ୭ ଓ ୮ ଥିବା ଗାଡ଼ିଗୁଡ଼ିକରେ ପ୍ଲେଟ୍ ଲଗାଇବା ପାଇଁ ଶେଷ ତାରିଖ ଡିସେମ୍ବର ୩୧ ରଖାଯାଇଛି । ଯେଉଁ ଗାଡ଼ି ଗୁଡ଼ିକର ନମ୍ବରର ଶେଷ ଅଙ୍କ ୯ ଓ ୦ ଥିବ, ସେଗୁଡ଼ିକରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ପାଇଁ ସମୟସୀମାକୁ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ବଢ଼ାଯାଇଥିଲା ।