ଭୁବନେଶ୍ୱର,ଏସ୍ଏଚ୍ଜି ମା’ମାନଙ୍କୁ ଢାଲ କରି ଧାମନଗର ନିର୍ବାଚନ ବୈତରଣୀ ପାରହେବା ଲାଗି ବିଜୁ ଜନତା ଦଳ ହୀନ ଚକ୍ରାନ୍ତ କରୁଛି । ମା’ମାନଙ୍କୁ ସମ୍ମାନ ଦେବା ପରିବର୍ତେ ତାଙ୍କୁ ନିର୍ବାଚନ ପ୍ରଚାର ଓ ଭୋଟରଙ୍କୁ ଟଙ୍କା ବଂଟା ପାଇଁ ବ୍ୟବହାର କରୁଛି ବିଜେଡି । ମା’କୁ ସମ୍ମାନ ଦେଉଥିବା କଥା ଡିଣ୍ଡିମ ପିଟୁଥିବାବେଳେ ଅପରାଧୀ ସଜାଇ ଜେଲ୍ ପଠାଇବାକୁ ପଛାଉନାହିଁ ବିଜେଡି । ଆଜି ତଥ୍ୟ ପ୍ରମାଣ ସହ ୨ଜଣ ସରକାରୀ କର୍ମଚାରୀ ନିୟମ ଉଲଘଂନ କରି ଶାସକ ଦଳ ବିଜେଡି ପାଇଁ ପ୍ରଚାର କରୁଥିବା ଅଭିଯୋଗ ନେଇ ବିଜେପିର ଏକ ପ୍ରତିନିଧି ଦଳ ସିଇଓଙ୍କୁ ଭେଟି ଲିଖିତ ଦାବିପତ୍ର ଦେଇଛନ୍ତି ।
ସୂଚନାଥାଉ କି, ପୂର୍ବରୁ ଏସ୍ଏଚଜି ମହିଳା ଓ ସରକାରୀ ଚାକିରୀ କରିଥିବା ବ୍ୟକ୍ତି ଶାସକ ଦଳର ପ୍ରଚାର କରୁଥିବାର ଅଭିଯୋଗ ନେଇ ବିଜେପି ସିଇଓଙ୍କୁ ଅବଗତ କରିଥିଲା । ସେମାନଙ୍କ ବିରୋଧରେ କେବଳ ଏଫଆଇଆର୍ ଦେଇ ପ୍ରଶାସନ ଚୁପ୍ ବସିଥିବାବେଳେ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ବା ଚାକିରୀରୁ ନିଲମ୍ବନ କରାଯାଇନାହିଁ । ପୁଣି ବିଜେଡି ସରକାରୀ ତହବିଲରୁ ଦରମାପ୍ରାପ୍ତ କର୍ମଚାରୀମାନଙ୍କୁ ଦଳୀୟ ପ୍ରଚାରରେ ଲଗାଉଛି । ଦୁଇ ସରକାରୀ କର୍ମଚାରୀ ହେଲେ ଧାମନଗର ବ୍ଲକର ଗୋଠିଣା ଗାଁ ବୟାଙ୍ଗଡିହି ପଂଚାୟତର ଅନଙ୍ଗ ମଞ୍ଜରୀ ବେହେରା (ସିଆର୍ପି) ଓ ମା’ଶାରଳା ଦେବୀ ମହାବିଦ୍ୟାଳୟର କିରାଣୀ ନୃସିଂହ ଚରଣ ନନ୍ଦୀ ନିଜ ବେକରେ ବିଜୁ ଜନତା ଦଳର ଉତରୀୟ ପକାଇବା ସହ ପୁସିଂକାର୍ଡ ଧରି ପ୍ରଚାର କରୁଥିବାର ଫଟୋ ପ୍ରମାଣ ସହ ରାଜ୍ୟ ସାଧାରଣ ସମ୍ପାଦକ ଡ. ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି । ଏହି ଦୁଇ ସରକାରୀ କର୍ମଚାରୀଙ୍କୁ ତୁରନ୍ତ ଚାକିରୀରୁ ବହିଷ୍କାର ଓ ତାଙ୍କ ବିରୋଧରେ ଏଫଆଇଆର ରୁଜୁ କରିବା ପାଇଁ ଡ. ଲେଖାଶ୍ରୀ ସାମନ୍ତସିଂହାର ସିଇଓଙ୍କ ନିକଟରେ ଦାବି କରିଛନ୍ତି ।
ଏହି ପ୍ରତିନିଧି ମଣ୍ଡଳିରେ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ରାଜ୍ୟ ମୁଖପାତ୍ର ଶ୍ରୀମତୀ ସୋନାଲୀ ସାହୁ, ଲିଗାଲ ସେଲ ରାଜ୍ୟ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।