-
ଜନ ଆଶୀର୍ବାଦ ଶାସକ ଦଳର ଅହଙ୍କାରକୁ ଭାଙ୍ଗିବ-ଧର୍ମେନ୍ଦ୍ର ପ୍ରଧାନ
-
ତିହିଡି ବ୍ଲକର ପାଳିଆ ବଜାର, ପାଳିଆବିନ୍ଧା, କୁମାର ସାହୀ, ଅଲି ବଜାର ଓ ଗୁଆମାଳ ସମେତ ବିଭିନ୍ନ ସ୍ଥାନରେ ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ
-
ଦୀର୍ଘ ୨୨ ବର୍ଷର ଶାସନରେ ରାଜ୍ୟରେ ମହିଳାମାନେ ଅଧିକ ନିର୍ଯ୍ୟାତିତ
-
ଧାମନଗରବାସୀ ସାଙ୍କେତିକ ନେତୃତ୍ୱକୁ ବିଶ୍ୱାସ କରନ୍ତି ନାହିଁ
-
ଏ ଅଞ୍ଚଳ ସ୍ଵାଭିମାନର ମାଟି, କେବେ ସାଲିଶ୍ କରିବା ଶିଖିନି
-
ଶାସକ ଦଳର ଅପପ୍ରଚାରକୁ ସ୍ଥାନୀୟବାସୀ କେବେ ବି ପ୍ରଶୟ ଦେବେ ନାହିଁ
-
ମାଆମାନେ ଦଳ ମତ ନିର୍ବିଶେଷର ସୂରଜଙ୍କୁ ଆଶୀର୍ବାଦ ଦେଉଛନ୍ତି
-
ଲଢୁଆ ନେତୃତ୍ୱକୁ ଯୁବବର୍ଗଙ୍କ ସ୍ୱୀକାର ଓ ଜନଆସ୍ଥା ଦ୍ୱାରା ବିଜେପିର ବିଜୟ ସୁନିଶ୍ଚିତ
-
ତିହିଡି ବ୍ଲକ ଶ୍ରୀ ବିରଞ୍ଚିନାରାୟଣ ମନ୍ଦିର ଓ ମାଆ ସାମନ୍ତାଣିଶୁଣୀ ମନ୍ଦିରରେ ଦର୍ଶନ କଲେ
ଶନିବାର କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଚାରର ଦ୍ୱିତୀୟ ଦିନରେ ଧାମନଗର ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ଦଳୀୟ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ ବିଶାଳ ପଦଯାତ୍ରା ଓ ଶୋଭାଯାତ୍ରା କରିବା ଅବସରରେ ଏହା କହିଛନ୍ତି । କେନ୍ଦ୍ରମନ୍ତ୍ରୀ ତିହିଡି ବ୍ଲକର ପାଳିଆ ବଜାର, ପାଳିଆବିନ୍ଧା, କୁମାର ସାହୀ, ଅଲି ବଜାର ଓ ଗୁଆମାଳ ସମେତ ବିଭିନ୍ନ ସ୍ଥାନରେ ପ୍ରଚାର କରିଥିଲେ । ସେ କହିଛନ୍ତି ଯେ ରାଜ୍ୟରେ ମହିଳା ବିକାଶର ଡିଣ୍ଡିମ ପିଟୁଥିବା ସରକାରଙ୍କ ଦୀର୍ଘ ୨୨ ବର୍ଷ ଶାସନରେ ମହିଳାମାନେ ଅଧିକ ନିର୍ଯ୍ୟାତିତ । ଡାକ୍ତରଖାନାକୁ ଯିବା ପାଇଁ ପ୍ରସୂତିମାନେ ଖଟରେ ବୁହା ହେଉଛନ୍ତି । ପରିବାର ଲୋକମାନେ ନିଜ ଆତ୍ମୀୟ ମାନଙ୍କ ଶବକୁ ସାଇକେଲରେ ବୋହିବା ପାଇଁ ବାଧ୍ୟ ହେଉଛନ୍ତି । ଗଣତନ୍ତ୍ରରେ ଅହଙ୍କାର ଗ୍ରହଣୀୟ ନୁହେଁ । ରାବଣ ଓ କଂସର ବି ଦିନେ ଅହଙ୍କାର ଭାଙ୍ଗିଥିଲା । ଭାରତକୁ ଲମ୍ବା ସମୟ ପରାଧୀନ କରି ରଖିବାକୁ ଚାହୁଁଥିବା ବ୍ରିଟିଶର ଅହଙ୍କାରକୁ ମଧ୍ୟ ଭଦ୍ରକର ବୀର ସଂଗ୍ରାମୀମାନେ ଭଙ୍ଗ କରିଛନ୍ତି ।
ଧାମନଗରବାସୀ ସାଙ୍କେତିକ ନେତୃତ୍ୱକୁ ବିଶ୍ୱାସ କରନ୍ତି ନାହିଁ । ଏ ଅଞ୍ଚଳ ହେଉଛି ସ୍ଵାଭିମାନର ମାଟି, କେବେ ସାଲିଶ୍ କରିବା ଶିଖିନି । ଏହି ବୀର ଭୂମିରେ ଶାସକ ଦଳର ଅପପ୍ରଚାରକୁ ସ୍ଥାନୀୟବାସୀ କେବେ ବି ପ୍ରଶୟ ଦେବେ ନାହିଁ । ସୂରଜ ଜଣେ ଉଚ୍ଚ ଶିକ୍ଷିତ ଓ ଲଢୁଆ ଯୁବକ । ଲୋକପ୍ରିୟ ନେତା ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ଆଦର୍ଶରେ ସେ ନିଜ ମାଟି ମାଆର ସେବା କରିବା ପାଇଁ ରାଜନୈତିକ ଯାତ୍ରା ଆରମ୍ଭ କରିଛି ।
ଧାମନଗରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ସମର୍ଥନ ହିମାଳୟ ଭଳି ଅତୁଟ ରହିଛି । ଏଠାକାର କୋଣ ଅନୁକୋଣରେ ଜନପ୍ରିୟ ନେତା ସ୍ୱର୍ଗତ ବିଷ୍ଣୁ ଭାଇଙ୍କ ସ୍ମୃତି ଜୀବିତ ଅଛି । ମାଆମାନେ ଦଳ ମତ ନିର୍ବିଶେଷରେ ସୂର୍ଯ୍ୟବଂଶୀଙ୍କୁ ଆଶୀର୍ବାଦ ଦେଉଛନ୍ତି । ଏ ଅଞ୍ଚଳର ଟାଣୁଆ ସ୍ତମ୍ଭ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ସ୍ୱର୍ଗୀୟ ବିଷ୍ଣୁ ସେଠୀ ଓ ବିଜେପି ପ୍ରତି ଜନତାଙ୍କ ଆସ୍ଥା ଅତୁଟ ରହିଛି । ଯୁବବର୍ଗ ଲଢୁଆ ନେତୃତ୍ୱକୁ ସ୍ୱୀକାର କରୁଛନ୍ତି। ଏହି ସହଯୋଗ ବଳରେ ବିଜେପିର ବିଜୟ ସୁନିଶ୍ଚିତ ବୋଲି ବୋଲି ଶ୍ରୀ ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ଉପନିର୍ବାଚନ ପାଇଁ ପ୍ରଚାର କରିବା ବେଳେ ଶ୍ରୀ ପ୍ରଧାନ ତିହିଡି ବ୍ଲକ ଶ୍ରୀ ଶ୍ରୀ ବିରଞ୍ଚିନାରାୟଣ ମନ୍ଦିର ଓ ମାଆ ସାମନ୍ତାଣିଶୁଣୀ ମନ୍ଦିରରେ ଦର୍ଶନ କରିଥିଲେ । ଭଦ୍ରକ ଜିଲ୍ଲା ଇଚ୍ଛାପୁର, ଶିରାପୁର ସମେତ ବିଭିନ୍ନ ସ୍ଥାନରେ କେନ୍ଦ୍ରମନ୍ତ୍ରୀଙ୍କୁ କାର୍ଯ୍ୟକର୍ତ୍ତା ଓ ନାଗରିକଙ୍କ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।