
ଭୁବନେଶ୍ୱର,ରେଳବାଇ ବିଷୟବସ୍ତୁ ସମ୍ବନ୍ଧରେ ଆଜି ଭୁବନେଶ୍ୱର ଠାରେ ପୂର୍ବତଟ ରେଳପଥ ପକ୍ଷରୁ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ପରିସୀମା ଅନ୍ତର୍ଗତ ସମ୍ମାନୀୟ ସାଂସଦ ମାନଙ୍କ ସହିତ ରେଳମଣ୍ଡଳ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଅଛି I ସମ୍ମାନନୀୟ ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ, ଚନ୍ଦ୍ରଶେଖର ସାହୁ, ମହେଶ ସାହୁ, ପିନାକୀ ମିଶ୍ର, ସୁଲତା ଦେଓ, ପ୍ରମିଳା ବିଶୋଇ, ଶର୍ମିଷ୍ଠା ସେଠୀ, ମୁଜିବୁଲ୍ଲା ଖାଁ, ଶ୍ରୀ ରାମ ମୋହନ ନାଇଡୁ କାଞ୍ଜିରାପପୁ ଏବଂ ଡ଼. ରାଜଶ୍ରୀ ମଲ୍ଲିକ ପ୍ରମୁଖ ଏହି ବୈଠକ ରେ ଯୋଗଦାନ କରିଥିଲେ I ପୂର୍ବତଟ ରେଳପଥ ର କାର୍ଯ୍ୟକାରୀ ମହାପ୍ରବନ୍ଧକ ଶ୍ରୀ ଶରଦ କୁମାର ଶ୍ରୀବାସ୍ତବଙ୍କ ସହିତ ପୂର୍ବତଟ ରେଳପଥର ପ୍ରମୁଖ ବିଭାଗୀୟ ଅଧିକାରୀ ଏବଂ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ରିଂକେଶ ରାୟ ଏହି ବୈଠକ ରେ ମଧ୍ୟ ଉପସ୍ଥିତ ଥିଲେ I ବହୁ ଗଠନମୂଳକ ଚିନ୍ତାଧାରା, ମୂଲ୍ୟବାନ ଉପଦେଶ ଏବଂ ରେଳବାଇ ସମ୍ବନ୍ଧରେ ସାର୍ବଜନୀନ ଦାବିଗୁଡିକ ସମ୍ମାନୀୟ ସାଂସଦ ମାନଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିଲା I ଏଗୁଡିକ ହେଲା – ରେଳବାଇ ନେଟୱର୍କର ଉନ୍ନତିକରଣ ପ୍ରସଙ୍ଗ, ଜନସାଧାରଣଙ୍କ ଆକାଂକ୍ଷା ଓ ଦାବି ଏବଂ ପୂର୍ବତଟ ରେଳପଥର କାର୍ଯ୍ୟ ପ୍ରଣାଳୀ ସମ୍ବନ୍ଧରେ ସମୀକ୍ଷା କରାଯାଇଥିଲା I