-
ଫସଲ ଅବଶେଷ ଜଳାଇବା ସମସ୍ୟାର ସମାଧାନ ନେଇ ଆଲୋଚନା
ନୂଆଦିଲ୍ଲୀ, ଦିଲ୍ଲୀ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ପ୍ରଦୂଷଣର ମୁକାବିଲା ପାଇଁ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ଆଧାରିତ କାର୍ଯ୍ୟ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ବୈଧାନିକ ନିର୍ଦ୍ଦେଶନାମା ଜାରି କରାଯାଇଛି । ଚଳିତ ବର୍ଷ ପଞ୍ଜାବରେ ବହୁ ପରିମାଣରେ ଫସଲ ଅବଶେଷ ଜଳାଇବା ଘଟଣା ଘଟୁଥିବା କାରଣରୁ ଏଭଳି ସ୍ଥିତି ଦେଖା ଦେଇଛି ।
ଆୟୋଗ ପକ୍ଷରୁ କୁହାଯାଇଛି ଯେ, ଅକ୍ଟୋବର ୨୪, ୨୦୨୨ ସୁଦ୍ଧା ପ୍ରାପ୍ତ ସାଟେଲାଇଟ ରିମୋଟ ସେନ୍ସିଂ ଡାଟା ଅନୁଯାୟୀ ପଞ୍ଜାବରେ ପାଖାପାଖି ମାତ୍ର ୩୯% ଜମିରେ ଚାଷ କାର୍ଯ୍ୟ କରାଯାଇଛି, କିନ୍ତୁ ଅଧିକ ସଂଖ୍ୟାରେ ଫସଲ ଅବଶେଷ ଜଳାଇବା ଏକ ଚିନ୍ତାର ବିଷୟ । ବାୟୁ ଗୁଣବତ୍ତା ପରିଚାଳନା ପାଇଁ ଇସ୍ରୋ ପକ୍ଷରୁ ଏକ ମାନକ ନିୟମାବଳୀ ବିକଶିତ କରାଯାଇଛି । ୧୫ ସେପ୍ଟେମ୍ବର, ୨୦୨୨ ଠାରୁ ୨୬ ଅକ୍ଟୋବର, ୨୦୨୨ ମଧ୍ୟରେ ପଞ୍ଜାବରେ ମୋଟ୍ ୭ ହଜାର ୩୬ଟି ଫସଲ ଅବଶେଷ ଜଳାଇବା ଘଟଣା ଘଟିଛି । ଏହା ଗତବର୍ଷ ସମାନ ଅବଧିରେ ହୋଇଥିବା ୬ ହଜାର ୪୬୩ଟି ଫସଲ ଅବଶେଷ ଜଳାଇବା ଘଟଣା ତୁଳନାରେ ଅଧିକ ।
ଆହୁରି ଚଳିତ ଧାନ ଉତ୍ପାଦନ ଋତୁରେ ପଞ୍ଜାବର ୬ଟି ଜିଲ୍ଲା ଯଥା ଅମୃତସର, ଫିରୋଜପୁର, ଗୁରଦାସପୁର, କପୁରତଲା, ପଟିଆଲା ଓ ତର୍ଣ୍ଣ ତରନରେ ୭୦% ଫସଲ ଅବଶେଷ ଜଳାଇବା ଘଟଣା ଘଟିଛି । ପଞ୍ଜାବରେ ମୋଟ୍ ୭ହଜାର ୩୬ଟି ଘଟଣା ମଧ୍ୟରୁ ଏହି ଛଅଟି ଜିଲ୍ଲାରେ ୪ହଜାର୮୯୯ଟି ଘଟଣା ଘଟିଛି । ଏଗୁଡ଼ିକର ପାରମ୍ପରିକ ଭାବେ ହଟସ୍ପଟ୍ ଜିଲ୍ଲା ହୋଇଥିବାରୁ ଗତ ବର୍ଷ ଏସବୁ ଜିଲ୍ଲାରେ ୬୫% ଫସଲ ଅବଶେଷ ଜାଳିବା ଘଟଣା ଘଟଥିଲା । ଗତ ଛଅ ଦିନ ମଧ୍ୟରେ ଏସବୁ ଜିଲ୍ଲାରେ ୬୧% ଫସଲ ଜାଳିବା ଘଟଣା ଦେଖିବାକୁ ମିଳିଛି ।