ଗଞ୍ଜାମ, ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ମଧୁରଝୋଳ ଗ୍ରାମରେ ଗୁଣିଗାରେଡ଼ିକୁ କେନ୍ଦ୍ର କରି ଗତକାଲି ଘଟିଥିବା ହତ୍ୟାକାଣ୍ଡ ଓ ମାଡ ମାରିବା ଘଟଣାରେ ପୋଲିସ ଏପର୍ଯ୍ୟନ୍ତ ଗ୍ରାମର ୨୦ ଜଣ ମହିଳା ଏବଂ ୧୩ ଜଣ ପୁରୁଷଙ୍କୁ ଗିରଫ କରିଛି । ଘଟଣାରେ ଝୁନୁ ନାହାକ (୫୦)ଙ୍କ ମୃତ୍ୟୁ ଘଟିଥିବା ବେଳେ ଗାଁ ଲୋକଙ୍କ ମାଡରେ ୫ ଜଣ ଆହତ ହୋଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି । ଘଟଣାକୁ ନେଇ ଗ୍ରାମରେ ଚାପା ଉତେଜନା ଲାଗି ରହିଛି। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସେଠାରେ ୪ ପ୍ଲାଟୁନ୍ ଫୋର୍ସ ମୁତୟନ ଅଛନ୍ତି । ପୁରୁଷୋତମପୁର ଏସଡିପିଓ ରଜନୀକାନ୍ତ ସାମଲ, କବିସୂର୍ଯ୍ୟନଗର ଥାନା ଅଧିକାରୀ ପ୍ରଭାତ କୁମାର ସାହୁ, ବାଲିଛାଇ ଫାଣ୍ଡି ଅଧିକାରୀ ସୁଜିତ କୁମାର ରାଉତ, କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁ, ପୋଲସରା ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ, ପୁରୁଷୋତମପୁର ଥାନା ଅଧିକାରୀ ପ୍ରିୟଶ ରଞ୍ଜନ ଛୋଟରାୟ ସ୍ଥିତି ଉପରେ ନଜର ରଖିଛନ୍ତି । ଛତ୍ରପୁର ସାଇଂଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଂଚି ଛାନଭିନ୍ ଚଳାଇଛି । ଏ ସଂକ୍ରାନ୍ତରେ କବିସୂର୍ଯ୍ୟନଗର ଥାନାରେ ୪୯୫/୨୨ ରେ ଏକ ମାମଲା ରୁଜ୍ଜୁ ହୋଇଛି ।
Related Stories
November 23, 2024