ମାଲକାନଗିରି/ଜୟପୁର, ବିଏସଏଫ ୨ୟ ବାଟାଲିୟନ ପକ୍ଷରୁ ଗତକାଲି କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ ଅନ୍ତର୍ଗତ ତେନ୍ତୁଳିଗୁମ୍ମା ଗ୍ରାମରେ ଏକ ଜନସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମାଲକାନଗିରି ସେକ୍ଟର ଡ଼ିଆଇଜି ଏସ.କେ. ସିହ୍ନା, ୨ୟ ବାଟାଲିୟନ କମାଣ୍ଡାଣ୍ଟ ମନୋଜ କାର୍କି, ବିଏସଏଫ ଅଧିକାରୀ ଏବଂ ଯବାନଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ବିଏସଏଫ ପକ୍ଷରୁ ଏପରି ଜନମଙ୍ଗଳ କାର୍ଯ୍ୟକ୍ରମ ଲୋକଙ୍କ ମନରେ ସୁରକ୍ଷା ଯୋଜନା ପ୍ରତି ବିଶ୍ବାସଭାବ ସୃଷ୍ଟି କରୁଛି ଏବଂ ଆଗାମୀ ଦିନରେ ମାଓ ପ୍ରଭାବିତ ଅଞ୍ଚଳରେ ଏପରି କାର୍ଯ୍ୟକ୍ରମ ଜାରୀ ରହିବ ବୋଲି ପ୍ରକାଶ କରିଥିଲେ ଡ଼ିଆଇଜି ଶ୍ରୀ ସିହ୍ନା । ଯୁବ ଗୋଷ୍ଠୀ ସୁସ୍ଥ ସବଳ ରହିବା ସହ ସୁରକ୍ଷା ବାହିନୀରେ ଯୋଗଦେଇ ଦେଶ ମାତୃକାର ସେବା କରିବାକୁ ଆହ୍ଵାନ ଦେବା ସହିତ ଏଥିପାଇଁ ଯୁବଗୋଷ୍ଠୀଙ୍କୁ ସବୁ ପ୍ରକାର ସହାୟତା ଯୋଗାଇ ସେମାନଙ୍କୁ ହିଂସାପଥରୁ ଆଣି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଇବାରେ ସହାୟକ ହେଉଥିବା ପ୍ରକାଶ କରିଥିଲେ ବିଏସଏଫ ଅଧିକାରୀ । ଏହି ଅବସରରେ ପ୍ରାୟ ୩୫୦ ଗ୍ରାମବାସୀ ଏବଂ ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ, ପୋଷାକ, ଘରକରଣା ସାମଗ୍ରୀ, ଔଷଧ ଓ ମନୋହର ସାମଗ୍ରୀ ବଣ୍ଟନ କରାଯାଇଥିଲା।
ବିଏସଏଫର ଏପରି ଜନମଙ୍ଗଳ କାର୍ଯ୍ୟକ୍ରମକୁ ସରପଞ୍ଚ ମନମତି ନାୟକ, ବାରା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ତାରାମ୍ମନ୍ଦ ବିଷୋୟୀ, ଅଁଳାଗୁଡ଼ା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୀପକ କୁମାର ସିରକା, ମିନାକ୍ଷୀ ଜଳବିଦ୍ୟୁତ କେନ୍ଦ୍ରର ସାଧାରଣ ପରିଚାଳକଏବଂ ସ୍ଥାନୀୟ ୱାର୍ଡ ମେମ୍ବର ପ୍ରମୁଖ ପ୍ରଶଂସା କରିଥିଲେ ।