ମାଲକାନଗିରି, ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ୍ ଅନ୍ତର୍ଗତ ଦୁର୍ଗମ ସିଲାକୋଟା ଗାଁରେ ଅଜଣା ରୋଗ ବ୍ୟାପିବା ପରେ ଆଜି ସ୍ବାସ୍ଥ୍ୟ ବିଭାଗ ଟିମ ପହଞ୍ଚି ଅନୁଧ୍ୟାନ କରିଛି। ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବିଭାଗ ତତ୍ପରତା ପ୍ରକାଶ କରି ଅସୁସ୍ଥଙ୍କ ଚିକିତ୍ସା ଆରମ୍ଭ କରିଛି। ସେହିପରି ରୋଗର କାରଣ ଖୋଜିବା ଆରମ୍ଭ କରି କିଛି ନମୁନା ସଂଗ୍ରହ କରିଛି। ତେବେ କେଉଁ କାରଣରୁ ଗତ ୬ ମାସ ମଧ୍ୟରେ ୧୧ ଜଣ ଅକାଳରେ ମୃତ୍ୟୁବରଣ କଲେ ସ୍ବାସ୍ଥ୍ୟ ବିଭାଗ ତାହାର ଥଳକୂଳ ପାଉନି। ତେଣୁ ଆଗକୁ ରୋଗର ନିରାକରଣ କରିବା ସ୍ବାସ୍ଥ୍ୟ ବିଭାଗ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ ବୋଲି କୁହାଯାଉଛି।
ସୂଚନା ଅନୁଯାୟୀ, ପ୍ରଶାସନ ଦ୍ବାରା ଆଦର୍ଶ ଗାଁର ମାନ୍ୟତା ପାଇଥିବା ଏହି ଗାଁରେ ଗତ ଏପ୍ରିଲ ମାସରେ ଅଜଣା ରୋଗରେ ପ୍ରଥମ ମୃତ୍ୟୁ ହୋଇଥିଲା। ମୃତକଙ୍କ ହାତଗୋଡ଼ ସହ ପେଟ ହଠାତ୍ ତଥା ଅସ୍ବାଭାବିକ ଭାବେ ଫୁଲି ଯାଇଥିଲା। ସେ ଏତେ ମାତ୍ରାରେ ଦୁର୍ବଳ ହୋଇଗଲେ ଯେ, ଶଯ୍ୟାଶାୟୀ ହେଲେ। ଏହାପରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। କିଛିଦିନ ବ୍ୟବଧାନରେ ଦ୍ବିତୀୟ ମୃତ୍ୟୁ ହୋଇଥିବା ବେଳେ ପର୍ଯ୍ୟାୟ କ୍ରମେ ମୃତକଙ୍କ ସଂଖ୍ୟା ବଢ଼ି ଚଳିତ ମାସ ସୁଦ୍ଧା ୧୧ରେ ପହଞ୍ଚିଛି। ଏହା ଅତ୍ୟନ୍ତ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଏ ନେଇ ପ୍ରଶାସନ କିମ୍ବା ସ୍ବାସ୍ଥ୍ୟ ବିଭାଗ ନିକଟରେ କୌଣସି ସୂଚନା ନଥିଲା। ଅନ୍ୟପକ୍ଷରେ ମୃତକଙ୍କ ସଂଖ୍ୟା ବଢ଼ିବା ଗ୍ରାମବାସୀଙ୍କୁ ଆତଙ୍କିତ କରିଛି।