ଭୁବନେଶ୍ୱର, ଅକ୍ଟୋବର ୩୧ ତାରିଖ ଭୁବନେଶ୍ୱର ସ୍ଥିତ ଇନ୍ଦିରା ପାର୍କ ଠାରୁ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ “ଭାରତ ଯୋଡ଼ ଯାତ୍ରା- ଓଡ଼ିଶା” କାର୍ଯ୍ୟକ୍ରମ ଆରମ୍ଭ ହେବ । ଶୁକ୍ରବାର କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଭାରତ ଯୋଡ଼ ଯାତ୍ରା- ଓଡ଼ିଶା” କାର୍ଯ୍ୟାନ୍ୱୟନ କମିଟି ଅଧ୍ୟକ୍ଷ ତଥା ବିଧାୟକ ସନ୍ତୋଷ ସିଂ ସାଲୁଜା ଏହି ସୂଚନା ଦେଇଛନ୍ତି । ଏହି ଭାରତ ଯୋଡ଼ ଯାତ୍ରା ଓଡ଼ିଶାରେ ୨୭ ଟି ଜିଲ୍ଲା, ୧୯ ସଂସଦୀୟ କ୍ଷେତ୍ର, ୨୨୫୦ କି.ମି. ରାସ୍ତାକୁ ପ୍ରାୟ ୧୦୦ ଦିନରେ ଅତିକ୍ରମ କରିବ । ଏହି ଯାତ୍ରାରେ ବରିଷ୍ଠ କଂଗ୍ରେସ ନେତା, ସାଂସଦ ଓ ବିଧାୟକ, ପୂର୍ବତନ ସାଂସଦ, ପୂର୍ବତନ ମନ୍ତ୍ରୀ, ପୂର୍ବତନ ବିଧାୟକ, ଛାମୁଆ ସଂଗଠନ, ଜିଲ୍ଲା କଂଗ୍ରେସ ସଭାପତି, ବୁଦ୍ଧିଜୀବୀ, କୃଷକ, ଶ୍ରମିକ, ବେକାର ଯୁବକ ଯୁବତୀ, ମହିଳା, ଛାତ୍ର ଛାତ୍ରୀ, ସାମାଜିକ ଅନୁଷ୍ଠାନ ଓ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଅଂଶ ଗ୍ରହଣ କରିବେ । ଓଡ଼ିଶାରେ ସାମାଜିକ ଅର୍ଥନୈତିକ ଓ ରାଜନୈତିକ ସ୍ଥିତିର ବୈପ୍ଳବିକ ପରିବର୍ତନ ପାଇଁ ଏହି “ଭାରତ ଯୋଡ଼ ଯାତ୍ରା – ଓଡ଼ିଶା” ଉଦ୍ଦିଷ୍ଟ ।
ରାଜ୍ୟର ଏ ପରିସ୍ଥିତିର ପରିବର୍ତନ ପାଇଁ କଂଗ୍ରେସ ସଂକଳ୍ପବଦ୍ଧ । ଏଣୁ ଆସନ୍ତୁ ସ୍ୱାଭିମାନୀ, ସୁରକ୍ଷିତ, ଦୁର୍ନୀତିମୁକ୍ତ ଓ ସ୍ୱାବଲମ୍ବୀ ଓଡ଼ିଶା ଗଠନ ପାଇଁ ଅଭିପ୍ରେତ “ଭାରତ ଯୋଡ଼ ଯାତ୍ରା- ଓଡ଼ିଶା”ରେ ସାମିଲ ହେବା । ଏହି ସାମ୍ବାଦିକ ସମ୍ମିଳନୀରେ କଟକ ଜିଲ୍ଲା କଂଗ୍ରେସ ସଭାପତି ତଥା ଭାରତ ଯୋଡ଼ ଯାତ୍ରା-ଓଡ଼ିଶା କାର୍ଯ୍ୟାନ୍ୱୟନ କମିଟିର ସଦସ୍ୟ ମାନସ ଚୌଧୁରୀ, ବିଧାୟକ ଅଧିରାଜ ପାଣିଗ୍ରାହୀ ଓ ସଂଜୟ ତ୍ରିପାଠୀ ଉପସ୍ଥିତ ଥିଲେ ।