ପୁରୀ, ଚନ୍ଦନପୁର ତିନିମୁହାଣି ଆନିକଟ ନିକଟରେ ଭାର୍ଗବୀ ନଦୀ ଜଳ ଅବରୋଧ କରି ଉପର ମୁଣ୍ଡରେ ଥିବା ଅଂଚଳ ତଥା ବାଲିପଡ଼ା, ଚାଳିଶିବାଟିଆ, ଗଡ଼ମୃଗଶିରା ଏବଂ ଉପରମୁଣ୍ଡର ଅନେକ ଅଂଚଳ ଚାଷ ଜମିକୁ ଜଳସେଚନ ବ୍ୟବସ୍ଥା କରାଇବା ଦାବିରେ ଆଜି ପୁରୀ ଜିଲ୍ଲା ଜଳସେଚନ ବିଭାଜନ ଅଧିକ୍ଷଣ ଯନ୍ତ୍ରୀ ରତ୍ନାକର ଦଳେଇଙ୍କୁ ଭେଟିଛନ୍ତି ଅଂଚଳବାସୀ । ଶ୍ରୀ ଦଳେଇଙ୍କୁ ଭେଟିବା ସହ ସେମାନେ ସମସ୍ୟା ବାବଦରେ ତାଙ୍କୁ ଅବଗତ କରିଛନ୍ତି । ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ଦଳେଇ ମଧ୍ୟ ସମସ୍ୟାକୁ ଗୁରୁତ୍ଵର ସହ ନେଇ ଖୁବ୍ ଶୀଘ୍ର ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।
ଏହି ସମୟରେ ସେଠାରେ ଅଂଚଳର ବିଶିଷ୍ଟ ସମାଜସେବୀ ସୋମନାଥ ପ୍ରହରାଜ, ସଚ୍ଚିଦାନନ୍ଦ ଭୋଇ, ଶତ୍ରୁଘ୍ନ ପ୍ରଧାନ, କ୍ଷେତ୍ରମୋହନ ପରିଡା, ଗଙ୍ଗାଧର ସ୍ଵାଇଁ, କୃଷ୍ଣ ମୋହନ ପରିଡା ଏବଂ ଅଂଚଳର କିଛି ଚାଷୀ ଉପସ୍ଥିତ ଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ, ଚନ୍ଦନପୁର ତିନିମୁହାଣି ଆନିକଟ ନିକଟରେ ନିର୍ମାଣାଧିନ ଚେକଡ୍ୟାମ୍ କାମ ସମ୍ପୂର୍ଣ୍ଣ ହେଲେ ବାଲିପଡ଼ା, ଚାଳିଶିବାଟିଆ, ଗଡ଼ମୃଗଶିରା ଏବଂ ଉପରମୁଣ୍ଡର ପ୍ରାୟ ୫୦୦୦ ରୁ ଉର୍ଦ୍ଧ୍ଵ ଏକର ଜମି ଜଳସେଚିତ ହୋଇପାରିବ । ଫଳରେ ଦୀର୍ଘ ଦିନ ଧରି ଲାଗିରହିଥିବା ସମସ୍ୟାର ସମାଧାନ ହୋଇପାରିବ ଓ ଚାଷୀ ଅଧିକ ଫସଲ ଉତ୍ପାଦନ କରିବା ସହ ଲାଭବାନ୍ ହୋଇପାରିବେ ।