ସାଲେପୁର, ଚଳିତ ବର୍ଷ ଖରିଫ ଧାନ ଚାଷକୁ ନେଇ ଚାଷୀକୁଳ ବେଶ୍ ଉତ୍ଫୁଲ୍ଲିତ ହୋଇଉଠିଛି । ଅକ୍ଟୋବର ମାସ ଶେଷ ନହେଉଣୁ କ୍ଷେତରେ ହସିଲାଣି ଧାନର ସୁନା ଫସଲ । ପ୍ରକୃତି ମାଆର ସୁଦୟା ଯଦି ଏକ ମାସ ପର୍ଯ୍ୟନ୍ତ ଏହି କ୍ଷେତ ଉପରେ ରହିବ ତାହା ହେଲେ ଚାଷୀକୁଳ ଯଥେଷ୍ଟ ପରିମାଣରେ ଏଥର ଧାନ ଫସଲ ଅମଳ କରିବାକୁ ବେଶ୍ ଆଶାବାଦୀ ହୋଇଛି । ପବିତ୍ର ଗର୍ଭଣା ସଂକ୍ର୍ରାନ୍ତୀରେ ଚାଷୀ ଘରେ ମା’ ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରି ଧାନ ଫସଲର ସୁରକ୍ଷା ପାଇଁ ଗୁହାରୀ ଜଣାଇ କ୍ଷେତକୁ ପୂଜା କାଠି ନେଇ ମାରିବାକୁ ଯିବା ପରେ ଏ ବର୍ଷର ଧାନ ଫସଲକୁ ଦେଖି ବହୁତ ଖୁସୀ ହୋଇଥିବା ପ୍ରକାଶ କରିଛନ୍ତି ।
ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳରେ ଚଳିତ ବର୍ଷ ମୋଟ ୧୩ ହଜାର ୭୫୩ ହେକ୍ଟର ଚାଷ ଜମିରେ ଖରିଫ ଧାନ ଚାଷ କରାଯାଇଥିବା ବେଳେ ଢିପ ଓ ଖାଲୁଆ ଜମିରେ ଭଲ ଧରଣର ଫସଲ ହୋଇଛି । ଜଳସେଚନ ବିଭାଗ ପକ୍ଷରୁ କେନାଲକୁ ସଫେଇ କରି ପାଣି ଛାଡିବାର କିଛି ବିଳମ୍ବ ହୋଇଥିବାରୁ ଚାଷୀମାନେ ଧାନ ରୁଆପୋତା ପାଇଁ ହଇରାଣ ହରକତ ହୋଇଥିଲେ । ବହୁ ଡେରିରେ ଧାନ ଚାଷ କାର୍ଯ୍ୟ ଆରମ୍ଭ କରାଯାଇଥିଲା ବେଳେ ପ୍ରଥମେ ପ୍ରବଳ ଖରା ଯୋଗୁ କ୍ଷେତରେ ଜଳସେଚନ ଠିକ୍ ଭାବେ ହୋଇ ନପାରି ଅମଳରେ ବାଧା ଉପୁଜିବାର ଆଶନ୍କା ଦେଖାଯାଇଥିବାରୁ ଚାଷୀକୂଳ ମଧ୍ୟରେ ହତାଶର ଭାବ ସୃଷ୍ଟି ହୋଇ ଚିନ୍ତାରେ ପଡିଥିଲେ । ଅଗଷ୍ଟ ମାସ ଠାରୁ ଅକ୍ଟୋବର ମାସ ମଧ୍ୟରେ ଗତ ତିନିମାସ ଧରି ସଂଗଠିତ ହୋଇଥିବା ତିନୋଟି ଲଘୁଚାପ ଯୋଗୁ ଲଗାଣ ବର୍ଷା ଧାନ ଫସଲକୁ ହୁଷ୍ଟପୁଷ୍ଟ କରିବାରେ ବହୁ ସହାୟକ ହୋଇଥିଲା । ଏବେ କ୍ଷେତରେ ଧାନଗଛ ଗୁଡିକରେ ଥୋଡ ବାହାରିବା ଦେଖି ଚାଷୀମାନେ ଭଲ ଅମଳ ହେବ ବୋଲି ପ୍ରକାଶ କରିଥିଲେ ।
ଅପରପକ୍ଷରେ ଅକ୍ଟୋବର ମାସରେ ସିତ୍ରାଙ୍ଗ ନାମକ ବାତ୍ୟା ଆମ ରାଜ୍ୟର ଉପକୂଳ ଦେଇ ଅତିକ୍ରମ କରିବ ବୋଲି ପ୍ରଚାରିତ ହେବା ପରେ ଏହାଦ୍ଵାରା ଧାନ ଫସଲ କ୍ଷୟକ୍ଷତି ହେବାର ଆଶଙ୍କା ନେଇ ଚାଷୀମାନେ ଭୟଭୀତ ହୋଇ ରହିଥିଲେ । ଏହି ବାତ୍ୟା ନହେବାରୁ ଚାଷୀଏବେ ଖୁସିବ୍ୟକ୍ତ କରିଛନ୍ତି । ଚଳିତ ବର୍ଷ ପାଗର ଅନୁକୂଳ ପରିସ୍ଥିତି ଓ ପରିବେଶ ପାଇଁ ଭଲ ଧାନ ଫସଲ ହୋଇଛି ଏବଂ ଅମଳ ମଧ୍ୟ ଭଲ ହେବ ବୋଲି କୃଷି ବିଭାଗ ପକ୍ଷରୁ କୁହାଯାଇଛି । ଠିକ୍ ସମୟରେ ଏବଂ ସଠିକ୍ ପରିମାଣରେ ଲଗାଣ ବର୍ଷା ହେବା ଫଳରେ ଧାନ ଫସଲକୁ କୌଣସି ରୋଗପୋକ ପ୍ରଭାବିତ କରିପାରିନଥିବା କୃଷି ଅଧିକାରୀ ପ୍ରକାଶ କରିଛନ୍ତି । ଆଉମାତ୍ର ଏକ ମାସ ମଧ୍ୟରେ ଧାନ ପାଚି ଯିବା ପରେ ଚାଷୀମାନେ ଏହାକୁ ଅମଳ କରିବେ । ଏବେ ମଧ୍ୟ କୃଷି ବିଭାଗର କର୍ମଚାରୀମାନେ ଧାନ ଫସଲର ସୁରକ୍ଷା ପ୍ରତି ତତ୍ପର ରହିଛନ୍ତି ।