ସାଲେପୁର, ସାଲେପୁର, ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳରେ ଦିନକୁ ଦିନ ମାଙ୍କଡ ଓ କୁକୁରମାନଙ୍କର ପାର୍ଦୁଭାବ ବଢିବଢି ଚାଲିଛି । କୁକୁର ଓ ମାଙ୍କଡମାନଙ୍କର ଆଶାତୀତ ବଂଶ ବୃଦ୍ଧି ଘଟିବାରୁ ସେମାନେ ସଠିକ୍ ଭାବେ ଖାଦ୍ୟ ନପାଇ ହିଂସ୍ର ହୋଇଯାଉଥିବା ଦେଖାଯାଇଛି । ଏହି ପଶୁମାନେ ହିଂସ୍ର ପାଲଟିଯାଉଥିବାରୁ ସମାଜରେ ଲୋକମାନଙ୍କର ବହୁ କ୍ଷତି ସାଧନ କରୁଛନ୍ତି । ବିଶେଷ କରି କୁକୁରମାନଙ୍କର ବଂଶବୃଦ୍ଧି କମାଇବା ପାଇଁ ବନ୍ଧ୍ୟାକରଣ କରାଯିବା ଏବଂ ମାଙ୍କଡମାନଙ୍କୁ ଜନଗହଳି ପୂର୍ଣ୍ଣ ଅଂଚଳରୁ ନିଆଯାଇ ଜଙ୍ଗଲରେ ସୁରକ୍ଷିତ ଭାବେ ଛଡାଯିବା ପାଇଁ ଅନେକ ଥର ବ୍ଲକ ଓ ତହସିଲ ପ୍ରଶାସନ ନିକଟରେ ଲୋକମାନେ ଅଭିଯୋଗ କରୁଥିଲେ ମଧ୍ୟ ସେମାନେ ଏଥିପ୍ରତି ଦୃଷ୍ଟି ଦେଉ ନାହାଁନ୍ତି । ଯାହାଦ୍ଵାରା ଲୋକମାନେ ପ୍ରତିମୁହୂର୍ତ୍ତରେ ବିଭିନ୍ନ ସମସ୍ୟାରେ ପଡୁଥିବା ସହିତ ବହୁ କ୍ଷତି ସହୁଛନ୍ତି । ବେଳେବେଳେ ରାସ୍ତା ଉପରେ ମାଙ୍କଡ ପଲ ବସିରହୁଥିବାରୁ ବାଟୋଇମାନେ ଯାତାୟାତ ପାଇଁ ଭୟଭୀତ ହେଉଥିବା ବେଳେ କୁକୁରମାନେ ମଧ୍ୟ ଅତର୍କିତ ଭାବେ ଆସି ଲୋକମାନଙ୍କୁ କାମୁଡି ପକାଉଥିବା ଦେଖାଯାଇଛି । ଏପରିକି ବିଭିନ୍ନ ବିଦ୍ୟାଳୟ ଚାଲୁଥିବା ବେଳେ ପାଖରେ ଥିବା ମାଙ୍କଡମାନେ ହିଂସ୍ର ପାଲଟି ଛାତ୍ର ଛାତ୍ରୀମାନଙ୍କୁ ଆକ୍ରମଣ କରୁଥିବା ଦେଖାଯାଇଛି । ଗତ ଶୁକ୍ରବାର ଦିନ ଖଣ୍ଡସାହି ଜଗନ୍ନାଥ ବିଦ୍ୟାପୀଠର ସପ୍ତମ ଶ୍ରେଣୀର ଛାତ୍ରୀ ଶୁଭସ୍ମିତା ବେହେରା ଶ୍ରେଣୀ ଗୃହ ସମ୍ମୁଖରେ ଠିଆ ହୋଇଥିଲା ବେଳେ ମାଙ୍କଡପଲରୁ ଗୋଟିଏ ମାଙ୍କଡ ବାହାରି ହଠାତ୍ ତାଙ୍କୁ ଆକ୍ରମଣ କରିଥିଲା ।
ସେହିପରି ସରପଡା ଗ୍ରାମର ୨/୩ ଜଣ ମାଙ୍କଡ କାମୁଡାରେ ଆହତ ହୋଇ ଚିିକିତ୍ସିତ ହେଉଛନ୍ତି । ମାଙ୍କଡମାନଙ୍କର ବଂଶ ବୃଦ୍ଧି ଯୋଗୁ ବିଭିନ୍ନ ପନିପରିବାର ଚାଷ ଓ ବାଡିରେ ଲଗାଯାଇଥିବା କଦଳୀ, ଅମୃତ ଭଣ୍ଡା, ପିଜୁଳି, କରମଙ୍ଗା ସମେତ ଅନ୍ୟାନ୍ୟ ଫଳ ବହୁ ମାତ୍ରାରେ ପ୍ରଭାବିତ ହେଉଛି । ଏପରିକି ଫୁଲ ଗଛର ପତ୍ର ଓ କଢକୁ ମଧ୍ୟ ମାଙ୍କଡମାନେ ଖାଇ ଦେଉଥିବା ଦେଖାଯାଇଛି । ସେହିଭଳି କୁକୁରମାନେ ମଧ୍ୟ ହିଂସ୍ର ହୋଇ ଅନେକ ସମୟରେ ଲୋକମାନେ ପାଳିଥିବା ଛେଳି, ମେଣ୍ଢା, କୁକୁଡା ଓ ଅନ୍ୟାନ୍ୟ ଗୃହପାଳିତ ପଶୁମାନଙ୍କର ବହୁତ କ୍ଷତି କରୁଛନ୍ତି । ଗତ ତିନିଦିନ ତଳେ ସରପଡା ଗ୍ରାମର ବିଚିତ୍ରାନନ୍ଦ ପୃଷ୍ଟିଙ୍କ ଏକ ନବଜାତ ବାଛୁରୀକୁ କୁକୁର ପଲ ଆକ୍ରମଣ କରି ଖାଇଦେଇଥିବା ଜଣାଯାଇଛି । ଏହାଛଡା ବିଦ୍ୟାଳୟକୁ ଯିବା ସମୟରେ ଛାତ୍ର ଛାତ୍ରୀମାନଙ୍କୁ କାମୁଡିବାକୁ ଗୋଡାଇବା ଏବଂ ରାସ୍ତାରେ ବାଇକ ଯିବା ସମୟରେ ହଠାତ୍ ବାଇକ୍ ଆଗକୁ ପଶିଯିବାରୁ ଦୁର୍ଘଟଣା ଘଟି ଲୋକମାନଙ୍କର ବହୁ କ୍ଷତି ହେଉଥିବା ଦେଖିବାକୁ ମିଳିଛି । ତୁରନ୍ତ ଉପଦ୍ରବ କରୁଥିବା କୁକୁର ମାଙ୍କଡପଲଙ୍କୁ ଆୟତରେ ରଖିବା ପାଇଁ କଟକ ଜିଲ୍ଲାପାଳଙ୍କ ଠାରେ ବ୍ଲକ ଅଂଚଳବାସୀ ଦାବି କରିଛନ୍ତି ।