
ଭୁବନେଶ୍ୱର, ଆସନ୍ତାକାଲିଠାରୁ ଭୁବନେଶ୍ୱର ୟୁନିଟ୍ ୩ ସ୍ଥିତ ପ୍ରଦର୍ଶନୀ ପଡିଆରେ କଳିଙ୍ଗ ପୁସ୍ତକ ମେଳା ଆରମ୍ଭ ହେବାକୁ ଯାଉଛି । ଏହି ମେଳାରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ବିଭାଗ ଅଧିନରେ ଥିବା ପ୍ରକାଶନ ବିଭାଗ ଅଂଶଗ୍ରହଣ କରୁଛି । ଏଥିରେ ପ୍ରକାଶନ ବିଭାଗ ପକ୍ଷରୁ ଭାରତ ତଥା ଓଡିଶାର ଇତିହାସ, ଭୂଗୋଳ, କଳା, ସଂସ୍କୃତି, ଦେଶ ପାଇଁ ନିଜ ଜୀବନର ବଳିଦାନ ଦେଇଥିବା ବିଭିନ୍ନ ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନ କାହାଣୀ, ସାମାଜିକ ବିଜ୍ଞାନ, ସାମନ୍ୟ ଜ୍ଞାନ ଆଦି ସମ୍ପର୍କିତ ପୁସ୍ତକ ରିହାତିରେ ଉପଲବ୍ଧ ହେବ । ଏ ସମ୍ପର୍କରେ ପ୍ରକାଶନ ବିଭାଗ ପକ୍ଷରୁ ପ୍ରକାଶିତ ହେଉଥିବା ଯୋଜନା (ଓଡିଆ)ର ସମ୍ପାଦକ ଇତିଶ୍ରୀ ସିଂହ ରାଠୌର କହିଛନ୍ତି, କୋଭିଡ୍ ପରେ ଏହି ପୁସ୍ତକ ମେଳା ଆୟୋଜିତ ହେଉଛି । ସେ ଜନସାଧାରଣ ତଥା ଛାତ୍ରଛାତ୍ରମାନଙ୍କୁ ପ୍ରକାଶନ ବିଭାଗର ଷ୍ଟଲ ପରିଦର୍ଶନ କରିବାକୁ ନିବେଦନ କରିଛନ୍ତି ।
ସୂଚନା ଅନୁସାରେ ୧୯୪୧ ମସିହାରେ ପ୍ରତିଷ୍ଠା ହୋଇଥିବା ପ୍ରକାଶନ ବିଭାଗ ଭାରତର କଳା, ସଂସ୍କୃତି, ଐହିତ୍ୟ, ବିଜ୍ଞାନ, ଇତିହାସ ଆଦିକୁ ନେଇ ପତ୍ରିକା, ପୁସ୍ତକ ପ୍ରକାଶିତ କରି ଆସୁଛି । ଶିଶୁ ସାହିତ୍ୟ ପ୍ରକାଶନରେ ମଧ୍ୟ ପ୍ରକାଶନ ବିଭାଗର ଅଗ୍ରଣୀ ଭୂମିକା ରହିଛି । ପ୍ରକାଶନ ବିଭାଗ ଅଧିନରେ କୁରୁକ୍ଷେତ୍ର, ଯୋଜନା, ଆଜକଲ, ରୋଜଗାର ସମାଚାର, ବାଳ ଭାରତୀ ଭଳି ଅତ୍ୟନ୍ତ ଲୋକପ୍ରିୟ ପତ୍ରିକା ବିଭିନ୍ନ ଭାଷାରେ ପ୍ରକାଶିତ ହୋଇ ଆସୁଛି ।