ନୂଆଦିଲ୍ଲୀ/ଭୁବନେଶ୍ୱର, ବିଜେପି ବିରୁଦ୍ଧରେ ଭାରତୀୟ ନିର୍ବାଚନ ଆୟୋଗଙ୍କ ନିକଟରେ ଫେରାଦ ହୋଇଛି ବିଜେଡି । ଦିଲ୍ଲୀରେ ନିର୍ବାଚନ କମିଶନରଙ୍କୁ ବିଜେଡିର ଏକ ପ୍ରତିନିଧି ଦଳ ଭେଟି ଅଭିଯୋଗ କରିଛି ଯେ ଧାମନଗର ଉପନିର୍ବାଚନ ପାଇଁ ପ୍ରଚାର ଚାଲିଥିବା ବେଳେ ବିଜେପି କର୍ମକର୍ତା ଅର୍ଥବଳରେ ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛି । ସେହିପରି ବିଜେପି ଏସଏଚଜି ମହିଳାଙ୍କୁ ଅପମାନିତ କରୁଛି । ଏପରିକି ରାଜ୍ୟ ବିଜେପି ନେତା ଓ କର୍ମୀ ସ୍ଥାନୀୟ ପ୍ରଶାସନ ଉପରେ ମଧ୍ୟ ଚାପ ସୃଷ୍ଟି କରୁଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି ।
ଗୁରୁବାର ଦିନ ସାଂସଦ ସସ୍ମିତ ପାତ୍ରଙ୍କ ନେତୃତ୍ୱରେ ସାଂସଦ ନିରଞ୍ଜନ ବିଶି, ମୁନ୍ନା ଖାଁ ଓ ଚନ୍ଦ୍ରଶେଖର ସାହୁ ପ୍ରମୁଖ ନିର୍ବାଚନ କମିଶନରଙ୍କୁ ଭେଟି ଦାବିପତ୍ର ଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଛନ୍ତି । ରାଜ୍ୟ ବିଜେପି ନେତାଙ୍କୁ ଏହି ସବୁ ଅନୈତିକ କାମରୁ ନିବୃତ କରିବାକୁ ଦାବି କରିଛି ବିଜେଡି । ଏଥିସହ ନିର୍ବାଚନମଣ୍ଡଳୀରେ ଅର୍ଥବଳ, ବାହୁବଳ ଓ ମିଛ ଅପପ୍ରଚାରକୁ ରୋକିବାକୁ ମନଟରିଂ ବ୍ୟବସ୍ଥାକୁ କଡ଼ା କଡି କରିବାକୁ ଦାବି କରିଛି ବିଜେଡି ।