
ଭୁବନେଶ୍ୱର, ୨୦୦୧ ମସିହାରେ ଜନସଂଖ୍ୟା ନିୟନ୍ତ୍ରଣ ନୀତି ଲାଗୁହେବା ପରେ ଜନସଂଖ୍ୟା ବୃଦ୍ଧିର ଟି.ଏଫ୍.ଆର. ବା ଦମ୍ପତିମାନଙ୍କର ହାରାହାରି ପ୍ରଜଜନ ହାର ୩.୪ ରୁ କମି ୧.୯ରେ ପହଁଚିଛି । କିନ୍ତୁ ଏହି ଜନସଂଖ୍ୟା ନିୟନ୍ତ୍ରଣରେ ଅନେକ ଅସନ୍ତୁଳନତା ଅଛି । କାରଣ ବିଭିନ୍ନ ବର୍ଗର ଦମ୍ପତିମାନଙ୍କର ପ୍ରଜଜନ ହାରରେ ବେଶ ତାରତମ୍ୟ ରହିଛି ଏବଂ ଅନ୍ୟ କାରଣ ଗୁଡିକ ହେଉଛି ସୀମାବର୍ତି ଅଂଚଳରେ ଅନୁପ୍ରବେଶର ବୃଦ୍ଧି ଓ ବିଭିନ୍ନ ସ୍ଥାନରେ ବେଆଇନ ଧର୍ମାନ୍ତିକରଣ । ଯେଉଁ କାରଣରୁ ଦେଶରେ ଜନସଂଖ୍ୟାର ଠିକ୍ ସନ୍ତୁଳନ ହୋଇ ପାରୁନାହିଁ । ଏହି ତ୍ରୁଟି କାରଣରୁ ଅତୀତରେ ଆମ ଦେଶର ବିଭାଜନ ହୋଇଛି ଏବଂ ଇଣ୍ଡୋନେସିଆ ଓ ସୁଦାନ ଭଳି ଦେଶ ମଧ୍ୟ ବିଭାଜନର ଶିକାର ହୋଇଛନ୍ତି । ଆଜି ଭାରତ ଏକ ଯୁବାଦେଶ କିନ୍ତୁ ଆଉ କିଛି ବର୍ଷ ପରେ ଏହା ବୃଦ୍ଧମାନଙ୍କ ଦେଶରେ ପରିଣତ ହେବ । ଏସବୁ ଗୁଡିକର ନିରାକରଣ ପାଇଁ ଉପଯୁକ୍ତ ଜନସଂଖ୍ୟା ନୀତି ପ୍ରଣୟନ ହେବା ଦରକାର । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କାର୍ଯ୍ୟକାରୀ ମଣ୍ଡଳ ବୈଠକରେ ଏହି ବିଷୟ ଗୁଡିକ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଆରଏସଏସର ପ୍ରାନ୍ତ ସଂଘଚାଳକ ସମୀର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି େ ଯ – ଏହି ବୈଠକ ପ୍ରୟାଗରାଜର ଗୌହନିୟା ସ୍ଥିତ ବାତ୍ସଲ୍ୟ ବିଦ୍ୟାଳୟ ପରିସରରେ ଅକ୍ଟୋବର ୧୬ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଚାରିଦିନ ଧରି ଅନୁଷ୍ଠିତ ହୋଇଯାଇଛି । ସରସଂଘଚାଳକ ଡ.ମୋହନ ଭାଗବତ ଓ ସରକାର୍ଯ୍ୟବାହ ଦତାତ୍ରେୟ ହୋସୱାଲେ ପୂର୍ଣ୍ଣ ସମୟ ଧରି ଉକ୍ତ ବୈଠକରେ ଉପସ୍ଥିତ ଥିଲେ । ଏଥିରେ ସମଗ୍ର ଭାରତର ୩୭୯ ସଦସ୍ୟ ମଧ୍ୟରୁ ୩୭୨ ସଦସ୍ୟ ଯୋଗ ଦେଇଥିଲେ । ଓଡିଶାରୁ ୧୪ ଜଣଙ୍କ ମଧ୍ୟରୁ ୧୩ ଜଣ ଯୋଗ ଦେଇଥିଲେ । ଏହି ବୈଠକରେ ନୂତନ ଶିକ୍ଷାନୀତି ପ୍ରଚଳନ ଦ୍ୱାରା ମାତୃଭାଷା ମାଧ୍ୟମରେ ବିଦ୍ୟାଳୟ ଗୁଡିକରେ ଶିକ୍ଷାଦେବାର ବ୍ୟବସ୍ଥା କରିବା ପାଇଁ ଆହ୍ୱାନ କରାଯାଇଛି । ଯୁବ ସମାଜକୁ ରୋଜଗାର ନିମିତ ଚାକିରୀ ପରିବର୍ତେ ଆତ୍ମନିର୍ଭରଶୀଳ ହେବା ପାଇଁ ମଧ୍ୟ ଆହ୍ନାନ ଦିଆଯାଇଛି । ଏହାର ସୁଫଳ ମଧ୍ୟ ଦେଶରେ ଦେଖିବାକୁ ମିଳିଲାଣି । କାରଣ ୨୦୧୪ ମସିହାରେ ଆମ ଦେଶରେ ଷ୍ଟାଟ ଅପ୍ ସଂଖ୍ୟା ୫୦୦ ଥିଲା ବେଳେ ବର୍ତମାନ ଏହା ବଢି ୬୦,୦୦୦ରୁ ଉର୍ଦ୍ଧ୍ୱରେ ପହଁଚିଲାଣି । ବୈଠକରେ ଆସିଥିବା ବିବରଣୀ ଅନୁସାରେ ଗତ ଏକ ବର୍ଷ ଭିତରେ ଦୈନିକ ଶାଖା ସଂଖ୍ୟାରେ ୬,୦୦୦,ସାପ୍ତାହିକ ଶାଖା ସଂଖ୍ୟାରେ ୪,୦୦୦ ଓ ମାସିକ ଶାଖା ସଂଖ୍ୟାରେ ୧,୮୦୦ ବୃଦ୍ଧି ଘଟିଛି । ସମଗ୍ର ଦେଶରେ ବର୍ତମାନ ୬୧,୦୪୫ ଦୈନିକ ଶାଖା, ୨୨,୦୭୭ ସାପ୍ତାହିକ ଶାଖା ଓ ୯,୦୭୧ ମାସିକ ଶାଖା ଚାଲୁଅଛି । ଓଡିଶାରେ ମଧ୍ୟ ଦୈନିକ ଶାଖା ୧,୩୯୦,ସାପ୍ତାହିକ ଶାଖା ୩୦୪ ଓ ମାସିକ ୮୪ ଶାଖା ଚାଲୁଅଛି । ବିଗତ ୪ ବର୍ଷ ମଧ୍ୟରେ ୬,୦୦,୦୦୦ ଯୁବକ ଜଏନ ଆର.ଏସ୍.ଏସ୍ ମାଧ୍ୟମରେ ସଂଘର ସଦସ୍ୟତା ଗ୍ରହଣ କରିବା ପାଇଁ ଅନୁରୋଧ କରିଛନ୍ତି । ସେମାନଙ୍କ ଭିତରେ ୨୩,୦୦୦ ମହିଳା ମଧ୍ୟ ଅଛନ୍ତି । ୨୦୨୫ ମସିହା ସୁଦ୍ଧା ସଂଘର ଏକଶହ ବର୍ଷ ପୂର୍ତି ଅବସରରେ ସମଗ୍ର ଦେଶରୁ ୪୦୦୦ ଶତାବ୍ଦୀ ବିସ୍ତାରକ ବାହାରିବା ପାଇଁ ଆହ୍ୱାନ ଦିଆଯାଇଛି । ବର୍ତମାନ ସୁଦ୍ଧା ୩୦୦୦ ଶତାବ୍ଦୀ ବିସ୍ତାରକ ବାହାରିଛନ୍ତି । ଓଡିଶାରୁ ମଧ୍ୟ ୩୭ ଜଣ ବିସ୍ତାରକ ବାହାରି ସାରିଛନ୍ତି ।
ସେ କହିଛନ୍ତି ଯେ – କରୋନା ବିଭିଷିକା ସମୟରେ ଓଡିଶା ସମେତ ସମସ୍ତ ରାଜ୍ୟରେ ସଂଘ ସେବାସହିତ ଅନ୍ୟ ବିବିଧକାର୍ଯ୍ୟ ମଧ୍ୟ ସମ୍ପାଦିତ କରିଥିଲା । ଦେଶର ସମସ୍ତ କାର୍ଯ୍ୟବିଭାଗରେ ମହିଳାମାନଙ୍କ ଅଧିକ ସହଭାଗିତା ବଢୁ ସେଥିପାଇଁ ସଂଘ ପ୍ରୟାସ କରୁଛି । ମେଘାଳୟ, ତ୍ରିପୁରା ସହିତ ସମଗ୍ର ଉତରପୂର୍ବାଚଂଳ ରାଜ୍ୟମାନଙ୍କରେ ଜନଜାତି ସଂପ୍ରଦାୟର ଲୋକମାନେ ନିଜର ସ୍ୱାଭିମାନ ଜାଗରଣ କାରଣରୁ ସ୍ୱଧର୍ମର ସୁରକ୍ଷା ପାଇଁ ସଂଘ ସହିତ ଯୋଡି ହେବାକୁ ଚାହୁଁଛନ୍ତି ଏବଂ ଏଥିପାଇଁ ସଂଘର ସରସଂଘଚାଳକ ଡ.ମୋହନ ଭାଗବତଙ୍କୁ ମଧ୍ୟ ଆମନ୍ତ୍ରଣ କରୁଛନ୍ତି । ବୈଠକ ପ୍ରାରମ୍ଭରେ ଦେଶର ଦିବଙ୍ଗତ ନେତା ତଥା ବିଶିଷ୍ଟ ବ୍ୟକ୍ତିମାନଙ୍କ ବିୟୋଗରେ ଏକ ଶୋକ ପ୍ରସ୍ତାବ ଆଗତ କରାଯାଇ ନିରବ ପ୍ରାର୍ଥନା କରାଯାଇଥିଲା । ଏଥିରେ ଓଡିଶାର ସ୍ୱର୍ଗତ ଜୟନ୍ତୀ ପଟ୍ଟନାୟକ, ମନୋରଂଜନ ପାତ୍ର, ବୀଣାପାଣି ମହାନ୍ତି, ପାଣୁ ମାଝି ପ୍ରଭୃତି ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ କ୍ଷେତ୍ରକାର୍ଯ୍ୟବାହ ଡ. ଗୋପାଳ ପ୍ରସାଦ ମହାପାତ୍ର ଓ ସହପ୍ରାନ୍ତ ପ୍ରଚାର ପ୍ରମୁଖ ସୁମନ୍ତ କୁମାର ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ ।