
-
ପଂଚାୟତ ପାଇଁ ୧ କୋଟି ଟଙ୍କାର ପୁରସ୍କାର ଘୋଷଣା କରି ଆଦର୍ଶ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଛି ବିଜେଡି
ଭୁବନେଶ୍ୱର, ଧାମନଗର ଉପନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବିଜୁ ଜନତା ଦଳ ଖୋଲାଖୋଲି ଭାବେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଚାଲୁଛି । ନିର୍ବାଚନ ପରିଚାଳନା ଦାୟୀତ୍ୱରେ ଥିବା ରାଜ୍ୟ ନିର୍ବାଚନ ଅଧିକାରୀ ବିଭିନ୍ନ ବେଆଇନ କାର୍ଯ୍ୟରେ ଶାସକ ବିଜେଡିକୁ ଘଂଟ ଘୋଡାଇବା ସହିତ ନିଜେ ଆଚରଣ ବିଧି ଉଲ୍ଲଂଘନ କରୁଛନ୍ତି । ନିଜେ ସିଇଓ ବାଡ ସାଜି, କ୍ଷେତ ଖାଇବା ଭଳି କାର୍ଯ୍ୟରେ ବ୍ୟସ୍ତ ଥିବା କାରଣରୁ ଧାମନଗର ଉପନିର୍ବାଚନ ଅବାଧ, ମୁକ୍ତ ଓ ନିରପେକ୍ଷ ହେବା ନେଇ ବିରାଟ ସନ୍ଦେହ ସୃଷ୍ଟି ହୋଇଛି । ଧାମନଗର ନିର୍ବାଚନ ପାଇଁ ଅନୁଷ୍ଠିତ କାର୍ଯ୍ୟକର୍ତା ସମ୍ମିଳନୀରେ ରାଜ୍ୟ ଗ୍ରାମ ଉନ୍ନୟନ ମନ୍ତ୍ରୀ ପ୍ରୀତିରଂଜନ ଘଡାଇ, ରାଜ୍ୟସଭା ସାଂସଦ ସୁଲତା ଦେଓ, ଖଦି ବୋର୍ଡ ଅଧ୍ୟକ୍ଷ ଏବଂ ଅନ୍ୟାନ୍ୟ ସ୍ଥାନୀୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ପ୍ରତ୍ୟେକ ପଂଚାୟତ ପାଇଁ ୧ କୋଟି ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି । ଏହାର ଭିଡିଓ ଭାଇରାଲ ହୋଇଛି ତଥାପି ଉଭୟ ସିଇଓ ଏବଂ ଜିଲ୍ଲାପାଳ ନୀରବ । ନିଜ କର୍ତବ୍ୟ ଓ ଦାୟୀତ୍ୱରୁ ଓହରି ଯାଇ ଉଭୟ ସିଇଓ ଓ ଜିଲ୍ଲାପାଳ ଶାସକ ବିଜେଡି ସପକ୍ଷରେ କାର୍ଯ୍ୟ କରିବା ସପୂର୍ଣ୍ଣ ଅଗଣତାନ୍ତ୍ରୀକ ଓ ଆଇନବିରୋଧୀ ବୋଲି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ।
ଶାସକ ବିଜେଡିର ଖୋଲାଖୋଲି ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଏବଂ ସିଇଓ ଓ ଜିଲ୍ଲାପାଳଙ୍କ ପକ୍ଷପାତିତା ବିରୁଦ୍ଧରେ ଆଜି ରାଜ୍ୟ ସଭାପତି ଶ୍ରୀ ମହାନ୍ତିଙ୍କ ନେତୃତ୍ୱରେ ଏକ ଉଚ୍ଚ ପ୍ରତିନିଧି ଦଳ ସିଇଓଙ୍କୁ ଭେଟିଛନ୍ତି । ଏହା ପରେ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ଗଣମାଧ୍ୟମରେ ପ୍ରସାରିତ ଭିଡିଓ ସମେତ ସମସ୍ତ ତଥ୍ୟ ଓ ପ୍ରମାଣ ସିଇଓଙ୍କୁ ପ୍ରଦାନ କରାଯାଇଛି । ସିଇଓ ନିଜ କ୍ଷମତାର ବ୍ୟବହାର କରି ଆଇପିସି ଧାରା ୧୭୧-ବି, ୧୭୧-ସି, ୧୭୧-ଇ, ୧୭୧-ଏଫ୍ ଏବଂ ଲୋକପ୍ରତିନିଧି ଆଇନ ୧୯୫୧ର ଧାରା ୧୨୩ ଅନୁଯାୟୀ ଦୃଷ୍ଟାନ୍ତମୁଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରାଯାଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଏଥି ସହ ଭୋଟରଙ୍କୁ ଲାଂଚ ଦେବା ପାଇଁ ପ୍ରବର୍ଥାଉଥିବା ଉପସ୍ଥିତ ମନ୍ତ୍ରୀ, ସାଂସଦ ଓ ନେତାଙ୍କ ବିରୋଧରେ ମାମଲା ଦାୟର କରିବା ସହିତ ଆଗାମୀ ଦିନରେ ନିର୍ବାଚନ ପ୍ରଚାର କାର୍ଯ୍ୟରୁ ସେମାନଙ୍କୁ ବାଦ୍ ଦେବା ପାଇଁ ଦାବୀ କରାଯାଇଛି । ଆସନ୍ତା ୪୮ ଘଂଟା ଭିତରେ ସିଇଓ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଭାରତୀୟ ଜନତା ପାର୍ଟୀ ତରଫରୁ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବା ସହିତ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରାଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଏହି ଅବସରରେ ରାଜ୍ୟ ଉପସଭାପତି ପ୍ରଭାତୀ ପରିଡା, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ମୁଖପାତ୍ର ମନୋଜ ମହାପାତ୍ର, ଲିଗାଲ ସେଲ ରାଜ୍ୟ ସଂଯୋଜକ ଜୟନ୍ତ ଜେନା, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ ଦାସ୍ ପ୍ରମୁଖ ଉପସ୍ଥିତ ଥିଲେ ।