କଟକ, କାଳୀପୂଜା ପାଇଁ କଟକ କମିଶନରେଟ୍ ପୋଲିସ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ କଟକ ଡିସିପି ଏନେଇ ସୂଚନା ଦେଇ କହିଛନ୍ତି ଯେ, କାଳୀପୂଜା ପାଇଁ କଟକର ବିଭିନ୍ନ ସ୍ଥାନରେ ୫୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ । ୬ ଜଣ ଅତିରିକ୍ତ ଡିସିପିଙ୍କ ସହ ୩୦୦ ପୋଲିସ ଅଧିକାରୀ ଏହାର ତଦାରଖ କରିବେ । ଚଳିତ ବର୍ଷ କଟକରେ ୨୫ଟି ସୁନା ଓ ଚାନ୍ଦି ମେଢ଼ ସହ ମୋଟ୍ ୯୦ଟି କାଳୀ ମେଢ଼ ହେଉଛି ।
ବାଣ ଫୁଟାଇବା ପାଇଁ ରାତି ୮ଟାରୁ ୧୦ଟା ପର୍ଯ୍ୟନ୍ତ ସମୟ ରହିଛି । ତେବେ ବିସ୍ଫୋରକ କିମ୍ବା କୌଣସି ରାସାୟନିକ ବାଣ ଫୁଟାଇଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିପରି ଜନଗହଳିପୂର୍ଣ୍ଣ ସ୍ଥାନରେ ଅଧିକ ଶବ୍ଦ କରୁଥିବା ବାଣ ଫୁଟାଇବା ଉପରେ କଟକଣା ରହିଛି । ପୋଲିସ ପକ୍ଷରୁ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ ବୋଲି ଡିସିପି କହିଛନ୍ତି ।