ନୂଆପଡା- ନୂଆପଡା ଜିଲ୍ଲା ସିନାପାଲି ପଂଚାୟତ ସମିତି ସଭାଗୃହ ଠାରେ ଦାଦନ ସମସ୍ୟାକୁ ନେଇ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ବୃଷଭ ଚନ୍ଦ୍ର ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କର୍ମଶାଳାରେ ନୂଆପଡା ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତା ପ୍ରଧାନ ମୁଖ୍ୟଅତିଥି ଭାବରେ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାନୁପ୍ରତାପ ମାଝୀ, ଖଡିଆଳ ପଂଚାୟତ ସମିତି ଅଧ୍ୟକ୍ଷ ବାଳକୃଷ୍ଣ ଶବର, ସିନାପାଲି ପଂଚାୟତ ସମିତି ଅଧ୍ୟକ୍ଷା ତପସ୍ୱିନୀ ମାଝୀ, ବୋଡେନ ପଂଚାୟତ ସମିତି ଅଧ୍ୟକ୍ଷା ପ୍ରେମଶିଳା ନାଗ, ଡିପିଇଓ ବିବେବାକାନନ୍ଦ ମହାନନ୍ଦ, ସିନାପାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁରେନ୍ଦ୍ର କୁମାର ମେହେର ପ୍ରମୁଖ ମଂଚାସୀନ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସିନାପାଲି ବୋଡେନ ଏବଂ ଖଡିଆଳ ବ୍ଲକ୍ ଅନ୍ତର୍ଗତ ସମସ୍ତ ପଂଚାୟତର ସରପଂଚ, ସମିିତି ସଭ୍ୟସଭ୍ୟା, ଜିଲା ପରିଷଦ ସଭ୍ୟସଭ୍ୟା ଉପସ୍ଥିତ ଥିଲେ । ଦାଦନ ଚାଲାଣ ଓ ନିର୍ଯ୍ୟାତନାକୁ ନିୟନ୍ତ୍ରଣ କରିବା ପାଇଁ ମନରେଗା ଯୋଜନା ମାଧ୍ୟମରେ ଲୋକଙ୍କୁ କାମ ଯୋଗାଇ ଦିଆଯିବା ସହ ଲୋକଙ୍କ ମଧ୍ୟମରେ ସଚେତନତା ସୃଷ୍ଟି କରିବାକୁ ନେଇ ମଂଚାସୀନ ଅତିଥିବୃନ୍ଦ ମତବ୍ୟକ୍ତ କରିଥିଲେ । ଆଗାମୀ ଦିନରେ ଘୁମୁରା, ପାଲା, ଦାସକାଠିଆ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସଚେତନତା କରାଯିବା ନେଇ ପ୍ରକଳ୍ପ ନିର୍ଦ୍ଦେଶକ ସୂଚନା ଦେଇଥିଲେ । ଏହି ବୈଠକରେ ମନରେଗା ଯୋଜନାର ବିଭିନ୍ନ କାର୍ଯ୍ୟକଳାପ ଉପରେ ଆଲୋଚନା ହେବା ସହ ଉପସ୍ଥିତ ସରପଂଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟମାନେ ମନରେଗା ଯୋଜନା ପାଉଣାରେ ବିଳମ୍ବ, ଲୋକଙ୍କୁ କାମ ଯୋଗାଇବାରେ ଅବହେଳା ଭଳି ବିଭିନ୍ନ ସମସ୍ୟା ଉପରେ ଜିଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏପିଡି, ଜିଲ୍ଲା ପରିଷଦ ସଭ୍ୟ ପ୍ରିୟରଞ୍ଜନ ମେହେର, ଗିରିରାଜ ମାଝୀ, ସେଫାଲି ସଲମା, ସିନାପାଲି ବ୍ଲକ୍ ସରପଂଚ ସଂଘ ସଭାପତି ରାସେଶ୍ୱର ପାଣିଗ୍ରାହୀ, ଶିବାନନ୍ଦ ହୋତା, ପୁଷ୍ପାଞ୍ଜଳି ଗୁଆଲ ପ୍ରମୁଖ ଉପସ୍ଥିତ ଥିଲେ ।
Related Stories
November 23, 2024