କେନ୍ଦୁଝର, କେନ୍ଦୁଝର ସଦର ରେଞ୍ଜ୍ ର ବଡପଶି ମହାକୁଡ ସାହିକୁ ଧସେଇ ପଶିଛନ୍ତି ୧୨ ଟିକିଆ ବଣୁଆ ହାତୀ ପଲ । ଏହି ହାତୀପଲ ଧାନ ଓ ପନିପରିବା ଫସଲ ଖାଇବା ସହ ବ୍ୟାପକ ଫସଲ ଦଳିଚକଟି ନଷ୍ଟ କରିଛନ୍ତି । ହାତୀପଲଙ୍କ ଉପଦ୍ରବରେ ଗାଁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ବନ ବିଭାଗ ସ୍କ୍ବାର୍ଡ ସହ ପୋଲିସ ବିଭାଗ ପକ୍ଷରୁ ହାତୀପଲ ଉପରେ ନଜର ରଖାଯାଇଛି ।
ଏହି ୧୨ ଟିକିଆ ବଣୁଆ ହାତୀ ପଲରେ ଅଛନ୍ତି ୪ଟି ଦନ୍ତା, ୬ ଟି ମାଈ ଓ ୨ଟି ଛୁଆ ହାତୀ । ହାତୀ ପଲ କିଛି ଫସଲ ଖାଇବା ସହ ବ୍ୟାପକ ଫସଲ ପାଦରେ ଦଳି ଚକଟି ନଷ୍ଟ କରିଥିବା ଲୋକେ ଅଭିଯୋଗ କରିଛନ୍ତି । ଏହି ହାତୀ ପଲ ବଡପଶି ଗାଁଠାରେ ପହଂଚିବା ବେଳକୁ ସକାଳ ହୋଇଯିବାରୁ ଏଠାରେ ରହିଯାଇଛନ୍ତି । ହାତୀଙ୍କୁ ବିଲ କିମ୍ବା ଗାଁକୁ ପୁରାଇ ନ ଦେବାକୁ ଚାରିପଟେ ହଜାର ହଜାର ସଂଖ୍ୟାରେ ଲୋକ ଜମି ରହିଛନ୍ତି । ବନ ବିଭାଗ ଓ ପୋଲିସ ବିଭାଗ ପକ୍ଷରୁ ହାତୀପଲଙ୍କ ଗତିବିଧି ଉପରେ ନଜର ରଖାଯାଇଛି । ହାତୀକୁ ଟେକା ପଥର ମାରି ବିରକ୍ତ ନ କରିବା, ମୋବାଇଲରେ ଫଟୋ ଉଠାଇବା କିମ୍ବା ସେଲ୍ଫି ନେବାକୁ ହାତୀପଲର ନିକଟତର ନହେବାକୁ ବନ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସୂଚନା ଦିଆଯାଉଛି ।