ବଲାଙ୍ଗିର, ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ପରିସରରୁ ଆଜି ସକାଳେ ଏକ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର ହୋଇଛି । ଖବର ପାଇ ବଲାଙ୍ଗିର ଟାଉନ୍ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଏମ.ସି.ଏଚ ବିଲ୍ଡିଂ ପଛପଟେ ଡ୍ରେନ୍ ଭିତରେ ପାଣିରେ ଭାସୁଥିବା ଶିଶୁର ମୃତଦେହକୁ ଉଦ୍ଧାର କରିଛି । ଏକ ପଲିଥିନ ବ୍ୟାଗ ଭିତରେ ଭର୍ତି ହୋଇଥିବା ମୃତ ଶିଶୁଟି ଏଠାକୁ କିପରି ଆସିଲା ସେନେଇ ଖୋଳତାଡ଼ ଚଳାଇଛି ପୋଲିସ । ଏହି ନବଜାତ ଶିଶୁକନ୍ୟାକୁ ଜୀବିତ ଅବସ୍ଥାରେ ଡ୍ରେନରେ ପକାଯାଇଥିଲା ବା ମୃତଶିଶୁ ଜନ୍ମ ପରେ ଫିଙ୍ଗା ଯାଇଛି ତାହା ଜଣାପଡିନାହିଁ । ଆଗରୁ ମଧ୍ୟ ଅନେକ ଥର ହସପିଟାଲ ପରିସରରୁ ଶିଶୁ ମାନଙ୍କ ମୃତଦେହ ଉଦ୍ଧାର ହୋଇଛି ।
ବାରମ୍ବାର ମୃତ ଶିଶୁ ମିଳୁଥିବା ବେଳେ କୌଣସି ପ୍ରକାର ଉଚିତ ତଦନ୍ତ କରାଯାଉନାହିଁ । ଅନୈତିକ ସମ୍ପର୍କରୁ ଶିଶୁଜନ୍ମ ପରେ କେହି ଲୋକଲଜ୍ଜାରେ ଶିଶୁଟିକୁ ଫିଙ୍ଗି ଦେଇଛି ନା ଝିଅ ଜନ୍ମ ହୋଇଛି ଭାବି ତାକୁ ଫିଙ୍ଗା ଯାଇଛି ସେନେଇ ମଧ୍ୟ ତଦନ୍ତର ଆବଶ୍ୟକତା ରହିଛି । ଯଦି ମୃତ ଶିଶୁ ଜନ୍ମ ହୋଇଛି ତାହେଲେ ଉପଯୁକ୍ତ ସଂସ୍କାର ନକରି କ’ଣ ପାଇଁ ଡ୍ରେନ ପାଣିରେ ଫିଙ୍ଗା ଗଲା, ସେ ଉପରେ ମଧ୍ୟ ତଦନ୍ତ କରାଯିବାକୁ ଦାବୀ କରିଛନ୍ତି ସ୍ଥାନୀୟ ଲୋକେ । ସେପଟେ ଏନେଇ ହସପିଟାଲ କର୍ତୃପକ୍ଷ କୌଣସି ପ୍ରତିକ୍ରିୟା ରଖିନାହାଁନ୍ତି ।