ଭୁବନେଶ୍ୱର , ବହୁ ଚର୍ଚ୍ଚିତ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଓ ଅର୍ଚ୍ଚନା ନାଗ ଘଟଣାରେ ସଂପୃକ୍ତ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ଗତ କାଲିଠାରୁ ବିଜେପି ପକ୍ଷରୁ ପୋଲିସ କମିଶନରେଟ କାର୍ଯ୍ୟାଳୟ ସମ୍ମୁଖରେ ଅହୋରାତ୍ର ଧାରଣା ଦିଆଯାଇଥିଲା । ତଥାପି ପୋଲିସ ପ୍ରଶାସନ ଚୁପ୍ ହୋଇ ବସି ରହିଛି । ଆଗାମୀ ୪୮ ଘଂଟା ଭିତରେ ଅଭିଯୁକ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇ ଜେରା କରାନଗଲେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି କହିବା ସତ୍ୱେ ପୋଲିସ ପ୍ରଶାସନ ନୀରବ ସାଜିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ତେଣୁ ଏହି ଅନ୍ଦୋଳନକୁ ଅହୁରି ଶାଣିତ କରିବା ପାଇଁ ଆସନ୍ତା ୩୧ ତାରିଖ ଦିନ ବିଜେପି ତରଫରୁ ନବୀନ ନିବାସ ଘେରାଓ କରାଯିବ ବୋଲି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।
ଚାପମୁକ୍ତ ହୋଇ ଜନସାଧାରଣଙ୍କୁ ସୁରକ୍ଷା ପ୍ରଦାନ କରିବା ପୋଲିସର ପ୍ରାଥମିକତା । ମାତ୍ର ରାଜ୍ୟର ଗୃହମନ୍ତ୍ରୀ ଦାୟୀତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ କାରଣରୁ ପୋଲିସ ଚାପର ବଶବର୍ତୀ ହୋଇ ଶାସକ ବିଜେଡି ହିତରେ କାର୍ଯ୍ୟ କରୁଛି ଏବଂ ଏହି କାରଣରୁ ଆଇନଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି । ମହିଳା ସଶକ୍ତୀକରଣ ବଦଳରେ ମହିଳାଙ୍କୁ ଶୋଷଣ କରାଯାଉଛି ଏବଂ ପୋଲିସ ପ୍ରଶାସନର ଅପବ୍ୟବହାର କରାଯାଇ ଅଭିଯୁକ୍ତମାନଙ୍କୁ ସୁରକ୍ଷା ପ୍ରଦାନ କରାଯାଉଛି । ରାଜ୍ୟ ସରକାରଙ୍କ ଚାପର ବଶବର୍ତୀ ହୋଇ ପୋଲିସ ଅଭିଯୁକ୍ତଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗାମୀ ଦିନମାନଙ୍କରେ ରାଜ୍ୟର ସମସ୍ତ ଜିଲ୍ଲା ଏବଂ ସବଡିଭିଜନରେ ଦୁର୍ନୀତିଖୋର, ଅନାଚାର ଓ ବ୍ୟଭିଚାର ଶାସକ ବିଜେଡି ବିରୁଦ୍ଧରେ ଆନ୍ଦୋଳନ ଜରିଆରେ ଜନଜାଗରଣ ସୃଷ୍ଟି କରାଯିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ଆଜି ଦ୍ୱିତୀୟ ଦିବସରେ ବରିଷ୍ଠ ନେତ୍ରୀ ସୁରମା ପାଢୀ, ରାଜ୍ୟ ଉପସଭାପତି ପ୍ରଭାତୀ ପରିଡା, ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ପୁରୀ ଜିଲ୍ଲା ସଭାପତି ଆଶ୍ରୀତ ପଟ୍ଟନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଓମପ୍ରକାଶ ମିଶ୍ରଙ୍କ ସମେତ ରାଜ୍ୟ ତଥା ଜିଲ୍ଲାର ବହୁ କାର୍ଯ୍ୟକର୍ତା ସାମିଲ ହୋଇଥିଲେ ।