ମାଲକାନଗିରି, ଚିତ୍ରକୋଣ୍ଡା ଥାନା କର୍ମଚାରୀମାନେ ଏସ ଆଇ ସର୍ବେଶ୍ଵର ଭୋଇଙ୍କ ନେତୃତ୍ଵରେ ଗତକାଲି ରାତ୍ରି ପାଟ୍ରୋଲିଂ, ଅବରୋଧ ଡ୍ୟୁଟି ଡାଏକ -୧, ମନ୍ତ୍ରୀପୁଟ, ଟନେଲ କ୍ୟାମ୍ପ ଏବଂ ସ୍ପିଲବାଇର ମୁଖ୍ୟ ରାସ୍ତାରେ କରୁଥିଲେ। ରାତ୍ର ୨ ଟା ୫ ମିନିଟରେ ଗୋଟିଏ ହୋଣ୍ଡା ୟୁନିକର୍ଣ୍ଣ ଗାଡି ନମ୍ବର ଓଡି – ୧୦- ୪୩୨୨ ରେ ଦୁଇ ଜଣ ଯୁବକ ଆସୁଥିବା ଦେଖି ଅଟକାଇ ପଚରାଯିବାରୁ ସେମାନେ ପ୍ରକାଶ କରିଥିଲେ ଯେ, ପଛରେ ଏକ ଗଞ୍ଜାଇ ଭର୍ତ୍ତି ମାରୁତି ସୁଜୁକି ଇକୋ ଗାଡି ଆସୁଛି ତାକୁ ବାଟ କଢେଇବା ପାଇଁ ଯାଉଛୁ। ପୋଲିସ ଟିମ ଉକ୍ତ ଦୁଇ ଯୁବକଙ୍କୁ ଅଟକ ରଖି ଗଞ୍ଜେଇ ଗାଡିକୁ ଧରିବା ପାଇଁ ସେଠାରେ ଜଗି ରହିଥିଲେ। ହଠାତ ଓଡି୩୦-ଡି ୪୭୫୫ ନମ୍ବର ବିଶିଷ୍ଟ ଏକ ମାରୁତି ସୁଜୁକି ଇକୋ ଗାଡି ଡ଼ାଇକ -୩ ପାର୍ଶ୍ଵରୁ ଆସିଥିଲା। ଗାଡିର ଡ୍ରାଇଭର ପୋଲିସ୍ ଟିମ୍ କୁ ଦେଖି ବାଟରେ ଗାଡି ଛାଡି ଡ୍ରାଇଭର ଏବଂ ଗାଡି ଭିତରେ ଥିବା ଅନ୍ୟ ଦୁଇଜଣ ବ୍ୟକ୍ତି ଜଙ୍ଗଲ ଆଡ଼କୁ ଧାଇଁ ପଳାଇ ଥିଲେ। କିନ୍ତୁ, ପୋଲିସ୍ ପାର୍ଟି ସେମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲା। ସନ୍ଧାନ ସମୟରେ ସେମାନେ ଚାରିଟି ଜରି ପ୍ୟାକେଟରେ ୧୧୦ କିଲୋଗ୍ରାମ ୬୦୦ ଗ୍ରାମ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ। ପଚରାଯିବାରୁ ସେମାନେ ପ୍ରକାଶ କରିଥିଲେ ଯେ, ସେମାନେ ଡ଼ାଇକ ୩ ପାର୍ଶ୍ଵରୁ ଗଞ୍ଜେଇ କିଣି ବିକ୍ରୟ ଉଦ୍ଦେଶ୍ୟରେ ଆନ୍ଧ୍ର ଅଞ୍ଚଳକୁ ପରିବହନ କରୁଥିଲେ । ପୋଲିସ ଗଞ୍ଜେଇ ଏବଂ ୨ ଟି ଗାଡି ସହ ଏହି ଚୋରା ଚାଲାଣରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରି ଚିତ୍ରକୋଣ୍ଡା ଥାନାକୁ ଆଣିଥିଲେ। ସେମାନଙ୍କ ଠାରୁ ୩୧ ହଜାର ୯୫୦ ଟଙ୍କା ଓ ୫ ଟି ମୋବାଇଲ ଜବତ ହୋଇଛି।
ଗିରଫ ଅଭିଯୁକ୍ତ ମାନେ ହେଲେ ବାଲିମେଳା ପାୱାର ହାଉସ କଲୋନୀର ଧାବୁ ପାଙ୍ଗି, ଦୈତାରୀ ପାଙ୍ଗି, ପ୍ରଶାନ୍ତ ପାଙ୍ଗି, ଲାଲୁ ନାଗ ଓ ଦାମୋଦର ଖରା। ଆଜି ସକାଳ୧୦ଟା ୩୦ ମିନିଟ ସମୟରେ ଅଭିଯୁକ୍ତ ମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ଚିତ୍ରକୋଣ୍ଡା ଥାନା ଅଧିକାରୀ ଅନିଲ କୁମାର ପରିଡା ସୂଚନା ଦେଇଛନ୍ତି।