ଭୁବନେଶ୍ୱର , ଧାମନଗର ଉପନିର୍ବାଚନକୁ ଜିତିବା ପାଇଁ ଏସ୍ଏଚଜି ଗ୍ରୁପମାନଙ୍କ ଜରିଆରେ ବ୍ୟାପକ ମାତ୍ରାରେ ଟଙ୍କା ବଂଟନ କରାଯାଇ ଭୋଟରମାନଙ୍କୁ ପ୍ରଭାବିତ କରାଯାଉଛି ବୋଲି ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି । ବିଜେଡି ସପକ୍ଷରେ ଭୋଟ ଦେବା ପାଇଁ ଜଣେ ମହିଳା ଖୋଲାଖୋଲି ଭାବେ ଅନୈତିକ ଭାବେ ଟଙ୍କା ବାଂଟିବାର ଏକ ଭିଡିଓ ଗତକାଲି ସାମ୍ନାକୁ ଆସିଛି । ସମ୍ପୃକ୍ତ ମହିଳାଙ୍କୁ ଗିରଫ କରିବାକୁ ଦାବି କରି ବିଜେପି ପକ୍ଷରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।
ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ସମସ୍ତ ତଥ୍ୟ ଓ ପ୍ରମାଣ ସିଇଓଙ୍କୁ ପ୍ରଦାନ କରାଯାଇଛି । ଆସନ୍ତା ୪୮ ଘଂଟା ଭିତରେ ଧାରା ୧୨୩ / ୧୭୧-ଇ ଅନୁଯାୟୀ ସଂପୃକ୍ତ ମହିଳାଙ୍କୁ ଗିରଫ କରାଯାଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରାଗଲେ ରାଜ୍ୟ ନିର୍ବାଚନ ଅଧିକାରୀ ଏବଂ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ।
ଆଦର୍ଶ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନକାରୀଙ୍କୁ ଧରିବା ଦାୟୀତ୍ୱ ହେଉଛି ପୋଲିସର ଏବଂ ତାଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଦାୟୀତ୍ୱ ହେଉଛି ରାଜ୍ୟ ନିର୍ବାଚନ ଅଧିକାରୀଙ୍କର । ମାତ୍ର ପୋଲିସର ପକ୍ଷପାତିତା ଏବଂ ସିଇଓଙ୍କ ନୀରବତା କାରଣରୁ ଶାସକ ବିଜେଡି ଖୋଲାଖୋଲି ଆଇନ ଉଲ୍ଲଂଘନ କରୁଛି । ଚଳିତ ଧାମନଗର ଉପନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଟଙ୍କା ବାଂଟିବା କାର୍ଯ୍ୟ ଆରମ୍ଭ କରିଦେଇଛି ଶାସକ ବିଜେଡି । ଏନେଇ ବିଜେଡିର ମନ୍ତ୍ରୀ, ନେତା ଓ କର୍ମୀମାନେ ମିଶନ ଶକ୍ତି, ଅଙ୍ଗନବାଡୀ କର୍ମଚାରୀଙ୍କୁ ନିର୍ବାଚନ ପରିଚାଳନା ଦାୟୀତ୍ୱରେ ରଖୁଛନ୍ତି । ଫଳରେ ମିଶନ ଶକ୍ତି ମହିଳାମାନେ ମତଦାତାଙ୍କ ଘରେ ଘରେ ବୁଲି ଟଙ୍କା ବାଂଟୁଥିବା ଭିଡିଓ ଭାଇରାଲ ହେଉଛି । ବିଜୁ ଜନତା ଦଳ ସଭାରେ ଯେଉଁ ଜନତା ଆସୁଛନ୍ତି ସେମାନଙ୍କୁ ଏସ୍ଏଚ୍ଜି ମହିଳା ଟଙ୍କା ବାଂଟି ଭୋଟ ଦେବାକୁ ପ୍ରଲୋଭିତ କରୁଛନ୍ତି ।
ଏହି ଅବସରରେ ରାଜ୍ୟ ମୁଖପାତ୍ର ରମାରଞ୍ଜନ ବଳିୟାରସିଂହ, ଲିଗାଲ ସେଲ୍ ରାଜ୍ୟ ସଂଯୋଜକ ଜୟନ୍ତ ଜେନା, ଗଣମାଧ୍ୟମ ସହମୁଖ୍ୟ ସୁଜିତ ଦାସ୍ ପ୍ରମୁଖ ଉପସ୍ଥିତ ଥିଲେ । ଏହି ପ୍ରସଙ୍ଗରେ ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର, ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟ ଏବଂ ଜିଲ୍ଲା ଉପସଭାପତି ଶ୍ରୀହର୍ଷ ସ୍ୱାଇଁ ଆଜି ଭଦ୍ରକ ଜିଲ୍ଲାପାଳଙ୍କୁ ଭେଟି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ।