
ଧର୍ମଶାଳା – ଆଜି ଅପରାହ୍ନରେ ଜନଗହଳିପୂର୍ଣ୍ଣ ଟ୍ରାଫିକ ପୋଷ୍ଟ ନିକଟରେ ଥବା ବୁଦ୍ଧ ମୂର୍ତି ନିକଟରୁ ବଡଚଣା ଥାନା ନଛିପୁର ଗ୍ରାମର ସୁକାନ୍ତି ସାହାଣୀ(୩୫)ଙ୍କ ଠାରୁ ଦୁଇ ଜଣ ପଲସରରେ ଆସି ଭ୍ୟାନିଟି ବ୍ୟାଗଟି ଛଡାଇ ନେଇଥିଲେ । ଭ୍ୟାନିଟି ବ୍ୟାଗରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳିଥିବା ୪୫ ହଜାର ୧୦୦ଟଙ୍କା ଅର୍ଥ ସେ ଷ୍ଟେଟ ବ୍ୟାଙ୍କରୁ ଉଠାଇ ଘରକୁ ଯାଉଥିଲେ । ପଲସରଟିର କୌଣସି ନମ୍ବର ନଥିବା ଜଣାପଡିଛି । ଏନେଇ ସୁକାନ୍ତି ଚଣ୍ଡିଖୋଲ ଫାଣ୍ଡିରେ ବଡଚଣା ଥାନା ଅଧିକାରୀଙ୍କ ଉପସ୍ଥିତିରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଦୁବୃତ ମାନଙ୍କୁ ଧରିବା ପାଇଁ ଚଣ୍ଡିଖୋଲ ଛକର ବିଭିନ୍ନ ସ୍ଥାନ ଚଢାଉ ଜାରି ରଖିଥିବା ଜଣାପଡିଛି । ଏଠାରେ ପ୍ରଶ୍ନ ଉଠେ ଦିନ ଦ୍ୱିପ୍ରହରରେ ଟ୍ରାଫିକ ପୋଷ୍ଟରେ ଯେଉଁଠି ୫ରୁ ଉର୍ଦ୍ଧ କର୍ମଚାରୀ ଉପସ୍ଥିତ ରହିଥାନ୍ତି ତାର ୧୦ ମିଟର ଦୂରରେ ଯଦି ଏଭଳି ଘଟଣା କରିବା ପାଇଁ ଦୃବୃତମାନେ ସାହାସ କରନ୍ତି ତେବେ ଅନ୍ୟ ସ୍ଥାନମାନଙ୍କରେ ଯାତ୍ରୀମାନେ କିଭଳି ନିରାପଦରେ ଯିବାଆସିବା କରିବେ ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୂର୍ବରୁ ଏହିପରି ଚାରି ପାଂଚଟି ଘଟଣା ଘଟିସାରିଥିଲେ ସୁଦ୍ଧା କୌଣସି ଗୋଟିଏ ଘଟଣାରେ ପୋଲିସ ଲୁଟେରାମାନଙ୍କୁ ଧରିବାକୁ ସକ୍ଷମ ହୋଇନାହିଁ ।